ଭୁବନ-ଡୁବୁରି ଚୋରା କୋଇଲାର କରିଡର

ଚେର ଲମ୍ବିଛି ତାଳଚେରରୁ ଯାଜପୁର

ଯାଜପୁର/ଛତିଆ : ଯାଜପୁର ଜିଲ୍ଲାରେ ବିକାଶର ଅନ୍ତରାଳେ ମାଫିଆ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ସଂପ୍ରତି ଭୁବନ-ଡୁବୁରି ରାସ୍ତା ଚୋରା କୋଇଲାର କରିଡର ପାଲଟିଛି। ଚେର ଲମ୍ବିଛି ତାଳଚେରରୁ ଯାଜପୁର। ମାଫିଆମାନେ କୋଟିକୋଟି ଟଙ୍କା ମୁନାଫା କମାଉଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି ଶିଳ୍ପାନୁଷ୍ଠାନ ସହ ମାଫିଆଙ୍କର ମଧୁର ସଂପର୍କ ରହିଛି। ଖଣି ବିଭାଗ ଓ ସ୍କ୍ବାଡ୍ ନିରବ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାଫିଆମାନେ ଜାତୀୟ ରାଜପଥକୁ ଚୋରା ବ୍ୟବସାୟର କରିଡରରେ ପରିଣତ କରିଛନ୍ତି। ସମଗ୍ର ଜିଲ୍ଲାରେ ଚୋରା କୋଇଲା କାରବାର ବ୍ୟାପକ ହେଉଛି। ବଡଚଣାରେ ଜବତ କୋଇଲା ଟ୍ରକ୍‌ ଘଟଣାରୁ ବହୁ ରହସ୍ୟ ପଦାକୁ ଆସିଛି। ଚଣ୍ଡିଖୋଲରେ ଚୋରା କୋଇଲା ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଏହି ଗୋଷ୍ଠୀ ୩/୪ମାସ ହେଲା ବ୍ୟବସାୟକୁ ବ୍ୟାପକ କରିଛନ୍ତି। ଗତ ମାସ ୨୯ ତାରିଖରେ ଯାଜପୁରରୋଡ଼ ପୁଲିସ୍‌ ଚୋରା କୋଇଲା ବୋ‌ଝେଇ ଟ୍ରକକୁ ଧରି ବଡଚଣାକୁ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ କେବଳ ଡ୍ରାଇଭର ଗିରଫ ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ମାଲିକଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁ।

ଅନ୍ୟପକ୍ଷରେ, ତାଳଚେରରୁ ଭୁବନ-ଡୁବୁରି(ଚୋରା କୋ‌ଇଲା କରିଡର) ରାସ୍ତାରେ ପ୍ରତିଦିନ ଶହଶହ ଟ୍ରକ ଚୋରା କୋଇଲା ଯାଜପୁର ଜିଲ୍ଲାକୁ ଆସୁଛି। ଏଠାରୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ପର୍ଯ୍ୟନ୍ତ ଆନ୍ତଃଜିଲ୍ଲା କୋଇଲା ମାଫିଆ ସେମାନଙ୍କର ନେଟୱାର୍କ ବିସ୍ତାର କରିଛନ୍ତି। ଢାବା ଠାରୁ ଆରମ୍ଭ କରି ଡିପୋ ପାଇଁ ଲାଇସେନ୍ ନେଇ ଶହ ଶହ ଟନ୍‌ ଚୋରା କୋଇଲା କାରବାର ବର୍ଷତମାମ ଜାରି ରଖିଛନ୍ତି। ବିଶେଷ କରି କଳିଙ୍ଗନଗର, ପାଣିକୋଇଲ, ଚଣ୍ଡିଖୋଲ ସମେତ ବିଭିନ୍ନ ସ୍ଥାନରେ ଥିବା ଶିଳ୍ପାନୁଷ୍ଠାନ ଓ ଇଟା ଭାଟିମାନଙ୍କୁ କୋଇଲା ମାଫିଆ ମାନେ ଟାର୍ଗେଟ୍ କରି ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ତାଳଚେରରେ ଥିବା ଏକ ଟ୍ରନ୍ସପୋର୍ଟକୁ ହାତ କରି ଟ୍ରକର ନମ୍ବର ପ୍ଲେଟ ବଦଳାଇ ୧୦,୧୨ ଓ ୧୪ ଚକିଆ ଟ୍ରକରେ ଚୋରା କୋଇଲା ଆଣି ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଗୋଷ୍ଠୀଚାଲାଣ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର