ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱରରୁ ସିଧାସଳଖ ଅହମ୍ମଦାବାଦକୁ ଉଡିବ ବିମାନ

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିଶେଷ ଭାବେ ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଏହି ଖବର ବହୁ ମହତ୍ତ୍ୱପୂର୍ଣ୍ଣ। ଆସନ୍ତା ସେପ୍ଟେଟର ପହିଲାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ସେବା  ଆରମ୍ଭ ହେବ।

ଭୁବନେଶ୍ୱରରୁ ସିଧାସଳଖ ଅହମ୍ମଦାବାଦକୁ ଯାତ୍ରା କରିବାର ଥିବା ଯାତ୍ରୀଙ୍କ ପାଇଁ ପ୍ରତିଦିନ ମଧ୍ୟାହ୍ନ ୧୧ଟା ୫୦ମିନିଟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ ମିନିଟ୍‌ରେ ଅହମ୍ମଦାବାଦରେ ପହଞ୍ଚିବ। ସେହିପରି ଅହମ୍ମଦାବାଦରୁ ସକାଳ ୮ଟା ୫୫ ମିନିଟରେ ବାହାରି ଦିନ ୧୧ଟା ୨୦ ମିନିଟରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଯାତ୍ରୀ ଏହି ବିମାନ ସେବା ସପ୍ତାହକୁ ତିନିଦିନ (ସୋମବାର, ବୁଧବାର ଓ ଶୁକ୍ରବାର) ପାଇ ପାରିବେ। ଇଣ୍ଡିଆନ୍‌ ଏୟାର ଲାଇନ୍ସ ଖୁବ୍‌ ଶୀଘ୍ର ଭୁବନେଶ୍ୱରରୁ ଅହମ୍ମଦାବାଦ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ସେହିପରି ଇଣ୍ଡିଗୋ ଓ ଏୟାର ଏସିଆ ଭୁବନେଶ୍ୱରରୁ ସିଧାସଳଖ ପୁନେକୁ ବିମାନ ସେବା ଆରମ୍ଭ କରିବାର ଯୋଜନା ରଖିଛନ୍ତି ବୋଲି ବିପିଏଆଇ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ‘ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ ପକ୍ଷରୁ ‘ୱିଣ୍ଟର ସିଡ୍ୟୁଲ୍‌ ପ୍ଲାନ୍‌’ ଘୋଷଣା ହୋଇଛି। ନୂଆ ପ୍ଲାନ୍‌ ଅନୁଯାୟୀ, ଭୁବନେଶ୍ୱରରୁ ବିମାନ ଉଡ଼ାଣ ସଂଖ୍ୟା ୬୮ରେ ପହଞ୍ଚିବ। ବର୍ତ୍ତମାନ ସମୟରେ ଭୁବନେଶ୍ୱରରୁ ପ୍ରତିଦିନ ୪୨ଟି ବିମାନ ଉଡୁଛି।

‘ଉଡ଼ାନ୍‌’ ଯୋଜନାରେ ଭୁବନେଶ୍ୱରରୁ ରାୟପୁର, ରାଉରକେଲା ଓ ଝାରସୁଗୁଡ଼ାକୁ ଉଡ଼ାଣ ଆରମ୍ଭ ହେବ। ନୂଆ ପ୍ଲାନ୍‌ ଅନୁଯାୟୀ, ପ୍ରତ୍ୟହ ନୂଆଦିଲ୍ଲୀକୁ ୧୨ଟି, କୋଲକାତାକୁ ୧୭, ବେଙ୍ଗାଲୁକୁ ୧୫, ହାଇଦ୍ରାବାଦ୍‌, ମୁମ୍ବାଇ ଚେନ୍ନାଇକୁ ୫ଟି ଲେଖାଏଁ, ଅହମଦାବାଦ୍‌ ଓ ରାୟପୁରକୁ ଦୁଇଟି ତଥା ଭାଇଜାଗ୍‌, କୋଏମ୍ବାଟୁର, ଝାରସୁଗୁଡ଼ା, ରାଉରକେଲା ଓ କୁଆଲାଲାମ୍ପୁରକୁ ଗୋଟିଏ ଲେଖାଏଁ ବିମାନ ଚାଲିବ।

ସମ୍ବନ୍ଧିତ ଖବର