ସ୍ୱଚ୍ଛତାରେ ଦ୍ୱିତୀୟ ସ୍ଥାନ ହାସଲ କଲା ଭୁବନେଶ୍ୱର ଏମ୍‌ସ

ଭୁବନେଶ୍ୱର : ସ୍ୱଚ୍ଛତା ବା ସଫାସୁତରା ପାଇଁ ଦେଶର ବି ଶ୍ରେଣୀର ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏମ୍‌ସ। ଆଉ ଏଥିପାଇଁ ଭୁବନେଶ୍ୱର ଏମ୍‌ସକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ୧ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା କୟାକଳ୍ପ ପୁରସ୍କାର ଯୋଜନା ଅନୁଯାୟୀ ଏହି ଟଙ୍କା ମିଳିବ।

ସ୍ୱଚ୍ଛତା ପାଇଁ ଆବଶ୍ୟକୀୟ ମାପଦଣ୍ଡ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଖାସକରି ଡାକ୍ତରଖାନାର ସ୍ୱଚ୍ଛତା, ସଫେଇ ବ୍ୟବସ୍ଥା, ସ୍ୱାସ୍ଥ୍ୟରକ୍ଷା, ସଂକ୍ରମଣ ନିୟନ୍ତ୍ରଣକୁ ଲକ୍ଷ୍ୟ କରି ଚୟନ କରାଯାଇଥାଏ। ଆଉ ଏଥିପାଇଁ ହସ୍ପିଟାଲର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଏ ଓ ବି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ହସ୍ପିଟାଲରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ସେହିଭଳି ସ୍ୱାସ୍ଥ୍ୟରକ୍ଷା ଓ ସଂକ୍ରମଣ ନିୟନ୍ତ୍ରଣକୁ ପୋତ୍ସାହନ ଦେବା ସହ ହସ୍ପିଟାଲ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଏକ ସୁତ୍ର ଅନୁଯାୟୀ, ଏହି ପୁରସ୍କାର ଏଭଳି ଏକ ସମୟରେ ମିଳିଛି ଯେତେବେଳେ ଏହି ସଂସ୍ଥାନ ସ୍ୱଚ୍ଛତା ପାଖୱାଡା ଉତ୍ସବ ମନାଉଛି। ଗତ ଏପ୍ରିଲ ୧୧ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଗାୟତ୍ରୀ ମିଶ୍ରା ସ୍ୱଚ୍ଛତା ପଯ୍ୟବେକ୍ଷକ ଭାବେ ଭୁବନେଶ୍ୱର ଏମ୍‌ସ ପରିଦର୍ଶନ କରିଥିଲେ। ଏହି ସଂସ୍ଥାନର ସ୍ୱଚ୍ଛ ପରିବେଶ ଦେଖି ଗାୟତ୍ରୀ ମିଶ୍ରା ବେଶ ଖୁସି ବ୍ୟକ୍ତ କରିଥିଲେ। ଭୁବନେଶ୍ୱର ଏମ୍‌ସକୁ ଏଭଳି ସଫଳତା ମିଳିବା ପଛରେ ସଂସ୍ଥାନର ନିର୍ଦ୍ଦେଶକ ଡାକ୍ତର ଗୀତାଞ୍ଜଳୀ ବଟମାନବାନେ ସଫେଇ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର