ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

ଅନୁବାଦ ସାହିତ୍ୟ ପାଇଁ ଚଳିତ ବର୍ଷରୁ ଯୁଗଳ ଦତ୍ତଙ୍କ ସ୍ମୃତିରେ ପୁରସ୍କାର ଦିଆଯିବ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ମାସ ୫ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍- ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ପକ୍ଷରୁ ରାଜ୍ୟର ସର୍ବବୃହତ୍ ପୁସ୍ତକ ମେଳା ଅନୁଷ୍ଠିତ ହେବ । ଦଶ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗ ଦେବେ ।

‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ୩୬ତମ ପୁସ୍ତକ ମେଳା ସମ୍ପର୍କରେ ଗତ ୨୬ ତାରିଖ ଦିନ ଏଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିକଟରେ ପରଲୋକ ଗମନ କରିଥିବା ଭୁବନେଶ୍ୱର ପୁସ୍ତକ ମେଳା କମିଟିର ବୟୋଜ୍ୟେଷ୍ଠ ସଦସ୍ୟ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ସ୍ମୃତିରେ ବୈଠକ ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷଠାରୁ ସ୍ୱର୍ଗତ ଦତ୍ତଙ୍କ ସ୍ମୃତିରେ ପୁସ୍ତକ ମେଳା କମିଟି ପକ୍ଷରୁ ଅନୁବାଦ ସାହିତ୍ୟ ପାଇଁ ଏକ ପୁରସ୍କାର ପ୍ରବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କମିଟି ସମ୍ପାଦକ ଅଶୋକ ମହାନ୍ତି କହିଛନ୍ତି ଯେ, ଏପ୍ରିଲ ମାସ ୫ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ପୁସ୍ତକ ମେଳାରେ କେବଳ ଗୋଟିଏ ବର୍ଗର ଷ୍ଟଲ ରହିବ । ପ୍ରକାଶକମାନେ ଚାହିଁଲେ ଏକାଧିକ ଷ୍ଟଲ ନେଇପାରିବେ । ପ୍ରକାଶନୀ ସଂସ୍ଥା ବ୍ୟତୀତ ସ୍କୁଲ୍, କଲେଜ, ବୈଷୟିକ ଅନୁଷ୍ଠାନ, ଆର୍ଥିକ ସଂସ୍ଥା ଇତ୍ୟାଦି ମଧ୍ୟ ଷ୍ଟଲ ନେଇପାରିବେ । ମେଳା ହେବାକୁ ଥିବା ଦଶ ଦିନ ମଧ୍ୟରୁ ୬ ଦିନ ସରକାରୀ ଛୁଟି ଦିବସ ଥିବାରୁ ଏଥର ମେଳା ପରିସରରେ ଅଧିକ ଦର୍ଶକ ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି ।

ମେଳା ଅବସରରେ ରାଜ୍ୟ ଓ ରାଜ୍ୟ ବାହାରର ଲେଖକ ଓ ପ୍ରକାଶକମାନେ ସାମିଲ ହେଉଥିବାରୁ ସେମାନଙ୍କ ସହିତ ପାଠକ, ପାଠିକାମାନେ ଭାବର ଆଦାନପ୍ରଦାନ କରିବାର ସୁଯୋଗ ପାଇବେ । ଏଥିନିମନ୍ତେ ‘ସ୍ୱତନ୍ତ୍ର ସାହିତ୍ୟିକ ମଣ୍ଡପ’ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକ ଦିନ ପୁସ୍ତକ ମେଳା ମୁଖ୍ୟ ମଣ୍ଡପରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପୁସ୍ତକ ମେଳା ସମ୍ପର୍କରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯିବ, ଯେଉଁଥିରେ ପୁସ୍ତକ, ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ ସାହିତ୍ୟ ସମ୍ପର୍କିତ ଲେଖା ଓ ତଥ୍ୟ ରହିବ । ପୁସ୍ତକ ମେଳାରେ ଷ୍ଟଲ ନେବାକୁ ଏବଂ ସ୍ମରଣିକାରେ ବିଜ୍ଞାପନ ଦେବାକୁ ଇଚ୍ଛୁକ ସଂସ୍ଥା ଓ ପ୍ରକାଶକମାନେ ପୁସ୍ତକ ମେଳା କମିଟି ଆବାହକ ପବିତ୍ର ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଧଳ (୯୪୩୭୦ ୫୯୪୧୭)ଙ୍କ ସହିତ ଯୋଗାଯୋଗ କରିପାରିବେ ।

ସମ୍ବନ୍ଧିତ ଖବର