ଭୁବନେଶ୍ବର, କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ୪୮ ଘଣ୍ଟା କର୍ଫ୍ୟୁ ପରି କଟକଣା

ରବିବାର ରାତି ୮ଟା ଯାଏ ଲାଗୁ, ନ ମାନିଲେ ୧୪ ଦିନ କ୍ବାରାଣ୍ଟିନ

ଭୁବନେଶ୍ବର: ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ ୪୮ ଘଣ୍ଟା ପୂରା ବନ୍ଦ ରହିବ ଭୁବନେଶ୍ବର, କଟକ ଓ ଭଦ୍ରକ ସହର। ଏହି ତିନି ସହରରେ ଜାରି ‌ହୋଇଛି କର୍ଫ୍ୟୁ ଭଳି କଟକଣା। କରୋନା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନ ନିଏ ସେଥିଲାଗି ରାଜ୍ୟ ସରକାର ଆଜି ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କରୋନା ପଜିଟିଭ୍ ଅଞ୍ଚଳ ଅର୍ଥାତ୍ ଭୁବନେଶ୍ବର, ଭଦ୍ରକ ଓ କଟକ ସହରକୁ ସଟ୍‌ଡାଉନ୍ ବା ସଂପୂର୍ଣ୍ଣ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ଘୋଷଣା କରିଛନ୍ତି। ପୁଲିସ ମହାନିର୍ଦେଶକ ଅଭୟ ଆଉ ପାଦେ ଆଗକୁ ଯାଇ ସ୍ପଷ୍ଟ କରିଦେଇଛନ୍ତି ଯେ ଆଜି ଅର୍ଥାତ୍ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏକ ପ୍ରକାର କର୍ଫ୍ୟୁ ଲାଗୁ ହେବ। ନିୟମ ଭାଙ୍ଗିଲେ ୧୪ ଦିନ ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ବାରାଣ୍ଟିନରେ ରଖାଯିବ। କେବଳ ସେତିକି ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ବର ମହାନଗର ନିଗମ ସମେତ ୧୨ଟି ପଞ୍ଚାୟତ ଓ ଗାଁ ଅଞ୍ଚଳରେ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ କରାଯିବ। ଏହି ଅଞ୍ଚଳଗୁଡିକ
ହେଲା, ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିହଂପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ/ ଚନ୍ଦକା, ଧଉଳି, ଯାଆଁଳା, ସିଜୁଆ, ବାଳକାଟି (ପ୍ରତାପଶାସନ), ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀର ପ୍ରଧାନ ସାହି। ସେହିପରି କଟକ ମହାନଗର ନିଗମ ଓ ଭଦ୍ରକ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ।

ସୀମିତ ଔଷଧ ଦୋକାନ ଖୋଲିବ
କ୍ଷୀର, ପରିବା, ରାସନ ଦୋକାନ ବି ବନ୍ଦ
ଜରୁରୀ ପରିସ୍ଥିତିରେ ଆସିବ ଆମ୍ବୁଲାନ୍ସ

ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ କହିଲେ ଯେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ତାହା ହାସଲ କରିବାରେ ସମର୍ଥ ହୋଇଛନ୍ତି। ହେଲେ ଏବେ ଦେଶରେ ଦ୍ରୁତ ବେଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ରାଜ୍ୟ ସରକାର ଚୁପ୍‌ଚାପ୍‌ ବସିପାରିବେ ନାହିଁ। ବିଶେଷକରି ଗତକାଲି ସୂର୍ଯ୍ୟନଗର ଅଞ୍ଚଳରେ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତାଙ୍କର ଭ୍ରମଣ ଇତିହାସ ନାହିଁ। ଏଣୁ ସରକାର ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ନିରୋଧ ଅଞ୍ଚଳ ଭାବେ ଘୋଷଣା କରି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢୀଭୂତ କରିଛନ୍ତି। ଏହି ଅଞ୍ଚଳର ସମସ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ରୋଗ ପ୍ରତିରୋଧ ନିମନ୍ତେ ଚେଷ୍ଟା କରାଯାଉଛି। ସରକାର ଘୋଷଣା କରିଛନ୍ତି, ଲକ୍‌ ଡାଉନ୍ କର୍ଫ୍ୟୁଠାରୁ ଟିକିଏ କମ୍ ଥିଲା। ହେଲେ ସଟ୍ ଡାଉନ ବା ପୂର୍ଣ୍ଣ ବନ୍ଦ ପାଖାପାଖି କର୍ଫ୍ୟୁ ପରି। ଏଣୁ ନିୟମରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି। ସଟ୍‌ଡାଉନରେ କୌଣସି ଦୋକାନ ବଜାର ଖୋଲା ରହିବ ନାହିଁ। ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ। ଏହି ୪୮ ଘଣ୍ଟା ମଧ୍ୟରେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡ଼ି ଚଳାଚଳରେ କୌଣସି କଟକଣା ରହିବ ନାହିଁ। ମେଡିକାଲ ସେବାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଲକ୍‌ଡାଉନ ସମୟରେ ମେଡିକାଲ୍ ସେବା ସମ୍ପୂର୍ଣ୍ଣ ଖୋଲା ଥିଲା। ହେଲେ ଏହି ୪୮ ଘଣ୍ଟାରେ ମେଡିକାଲ୍ ସେବାକୁ ଆଂଶିକ ସଙ୍କୁଚିତ କରାଯିବ। ଔଷଧ ଦୋକାନ ସଂଖ୍ୟା କମିଯିବ। ପ୍ରଶାସନର ନିଷ୍ପତ୍ତି ଅନୁସାରେ ଖୋଲିବ ଔଷଧ ଦୋକାନ। ଛୋଟମୋଟ ରୋଗ ପାଇଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରୁ ରଖି ଭୁବନେଶ୍ୱରରେ ଆମ୍ବୁଲାନ୍ସ ସେବା ବଢ଼ାଇ ଦିଆଯାଇଛି। ଅତି ଜରୁରୀ ଥିଲେ ଫୋନ୍ କଲେ ଆମ୍ବୁଲାନ୍ସ ଘର ଆଗରେ ଛିଡ଼ାହୋଇଯିବ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ। ସେହିଭଳି ପୂର୍ବରୁ ଦିଆଯାଇଥିବା ପାସ୍ ଏହି ସମୟରେ କାମ କରିବ ନାହିଁ। ଅର୍ଥାତ୍ ଲକ୍‌ଡାଉନ୍ ସମୟର ପାସ୍‌ ବାତିଲ୍ କରିଦିଆଯାଇଛି। ଲକ୍‌ଡାଉନ୍ ପାସ୍ ଦେଖାଇ ସଟ୍‌ଡାଉନରେ ଘରୁ ବାହାରି ପାରିବେ ନାହିଁ। ଏହି ସମୟ ପାଇଁ ନୂଆ ପାସ୍ ଉପଲବ୍ଧ କରାଯିବ। କେବଳ ଅତ୍ୟାବଶ୍ୟକ ସେବାରେ ଥିଲେ ପାସ୍ ଯୋଗାଇ ଦିଆଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର