ଏବର୍ଷ ଉତ୍ସର୍ଗ ହେବ ପୂର୍ଣ୍ଣାଙ୍ଗ ଆଇଆଇଟି : ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୨ରେ ସମାବର୍ତନ ଉତ୍ସବ, ୩୩୨ ଜଣଙ୍କୁ ଡିଗ୍ରି

ଭୁବନେଶ୍ୱର : ଚଳିତବର୍ଷ ଦେଶବାସୀଙ୍କ ପାଇଁ ଉତ୍ସର୍ଗ ହେବ ଭୁବନେଶ୍ୱର ଆଇଆଇଟି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ମଧ୍ୟରେ ଆଗରେ ଥିବା ଏହି ଶିକ୍ଷାନୁଷ୍ଠାନ ଇତି ମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେଇଛି। ଜଟଣୀ ନିକଟ ଅରୁଗୁଳଠାରେ ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଗତ ଅଗଷ୍ଟ ମାସ ସୁଦ୍ଧା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାକୁ ଉତ୍ସର୍ଗ କରିବାକୁ ଯୋଜନା ହୋଇଛି। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାରିଖ ସ୍ଥିର ହୋଇ ନଥିବାରୁ ଉତ୍ସର୍ଗ ସମୟ ବିଳମ୍ବ ହେଉଥିବା ଆଇଆଇଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଇଆଇଟିକୁ କଡ଼ା ନିର୍ଦେଶ ଦିଆଯାଇଛି। ଏହି ଉତ୍ସର୍ଗ କାର୍ଯ୍ୟକ୍ରମ ଦ୍ୱାରା କେନ୍ଦ୍ର ସରକାର ଓଡ଼ିଶା କ୍ଷେତ୍ରରେ ନିଜ ସଫଳତାରେ ଆଉ ଗୋଟିଏ ଫର୍ଦ ଯୋଡିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହାତରେ ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଆଇଆଇଟି କର୍ତୃପକ୍ଷ ଦୁଇଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ସମୟ ମାଗିସାରିଛନ୍ତି। ଅଗଷ୍ଟ ମାସରେ ଯୋଜନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିଲା ନାହିଁ। ସେପ୍ଟେମ୍ବର ୨୨ରେ ଆଇଆଇଟିର ୭ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ ଉତ୍ସର୍ଗ କରିବାକୁ ସମୟ ମଗାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହମତି ମିଳିନି। ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ କରିବାକୁ ପ୍ରଧାନମନ୍ତ୍ରୀ ସେହିଦିନ ଓଡ଼ିଶା ଆସୁଛନ୍ତି। କିନ୍ତୁ ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଉଦ୍‌ଘାଟନ ନେଇ ସ୍ଥିର ହୋଇପାରିନି। ଶେଷ ସମୟରେ କିଛି ବି ପରିବର୍ତନ ହେବା ନେଇ କର୍ତୃପକ୍ଷ ଆଶା କରୁଛନ୍ତି। ଯଦି ଚଳିତ ମାସରେ ନ ହୁଏ ତେବେ ଅକ୍ଟୋବରରେ ସମୟ ମଗାଯିବ ବୋଲି ଆଇଆଇଟିର ଅଧିକାରୀ ଜଣକ କହିଛନ୍ତି।

ଆଇଆଇଟି ପ୍ରଶାସନିକ ବିଲଡିଂ ଇତି ମଧ୍ୟରେ ଶେଷ ହୋଇଛି। ମୁଖ୍ୟ ପ୍ରବେଶ ପଥ ପାର୍ଶ୍ୱରେ ଏହି ବିଲଡିଂ କରାଯାଇଛି। ୨୦୧୮ ମାର୍ଚ୍ଚ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ମାସ ବିଳମ୍ବ ହୋଇ ଗତ ଅଗଷ୍ଟ ମାସରେ କାମ ସରିଛି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲଗୁଡ଼ିକ ନିର୍ମାଣ ହୋଇଛି। ପାନୀୟ ଜଳ ସୁବିଧା ବି କରାଯାଇଛି। ପ୍ରଫେସର ଓ କର୍ମଚାରୀଙ୍କ କ୍ୱାର୍ଟର, ଅତିଥି ଭବନ କାର୍ଯ୍ୟ ବି ସରିଛି। କ୍ୟାମ୍ପସ ପରିସରରେ ବଜାର ସୁବିଧା ଉପଲବ୍ଧ କରାଯାଇଛି। ବିଶାଳ ଖେଳ ପଡ଼ିଆ ତିଆରି ହୋଇଛି। ପ୍ରାୟ ଏକ ଲକ୍ଷ ବୃକ୍ଷରୋପଣ କରାଯାଇ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସବୁଜିମାମୟ କରାଯାଇଛି।

ଚଳିତ ମାସ ୨୨ ତାରିଖରେ ସମାବର୍ତନ ଉତ୍ସବରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ଚଳିତବର୍ଷ ୩୩୨ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ। ଏଥିରେ ୧୬୨ ଜଣ ବି.ଟେକ୍‌ ଛାତ୍ରଛାତ୍ରୀ ରହିଥିବା ବେଳେ ଏମ୍‌.ଏସ୍‌ସି, ଏମ୍‌.ଫିଲ୍‌, ପିଏଚ୍‌ଡି ପାଠ୍ୟକ୍ରମରୁ ୧୭୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ସମ୍ବନ୍ଧିତ ଖବର