ଭୁବନେଶ୍ୱର ମହିଳା ଥାନାରେ ୩ ବର୍ଷରେ ୬୧୮ ମାମଲା

ଗୋଟିକରେ ବି ଦଣ୍ଡବିଧାନ ହୋଇନାହିଁ

ଭୁବନେଶ୍ୱର : ଭୁବନେଶ୍ୱର ମହିଳା ଥାନାରେ ଗତ ୩ ବର୍ଷ ମଧ୍ୟରେ ୬୧୮ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଗୋଟିଏ ମାମଲାରେ ବି ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ହୋଇପାରିନାହିଁ। ବିଜେପି ବିଧାୟକ ଦିିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱର ମହିଳା ଥାନାରେ ୨୦୧୫ରେ ୩୪୭ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୨୮୩ଟିରେ ଅଭିଯୋଗ ଫର୍ଦ ଦାଖଲ ହୋଇଛି। ୨୦୧୬ରେ ଏହି ଥାନାରେ ୧୯୨ଟି ମାମଲା ରୁଜୁ ହୋଇଥିଲା। ସେହି ମାମଲାଗୁଡ଼ିକ ମଧ୍ୟରୁ ୧୫୧ଟିରେ ଅଭିଯୋଗ ଫର୍ଦ ଦାଖଲ ହୋଇଛି। ଚଳିତ ବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଏହି ଥାନାରେ ୭୯ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୩୮ଟିରେ ଅଭିଯୋଗ ଫର୍ଦ ଦାଖଲ ହୋଇଛି। ଏହି ତିନିବର୍ଷ ମଧ୍ୟରେ ଏହି ମହିଳା ଥାନାରେ ଦାଏର ହୋଇଥିବା ମୋଟ ୬୧୮ଟି ମାମଲା ମଧ୍ୟରୁ କୌଣସି ଗୋଟିକରେ ବି ଦଣ୍ଡବିଧାନ ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ଜୟପୁରଠାରେ ୬ଟି ମହିଳା ଥାନା ରହିଛି। ସେଥିମଧ୍ୟରୁ କଟକ ଏବଂ ଭୁବନେଶ୍ୱର ମହିଳା ଥାନା ପାଇଁ ମଞ୍ଜୁରୀପ୍ରାପ୍ତ ପଦବିଠାରୁ ଢେର୍‌ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ରହିଛନ୍ତି। ବ୍ରହ୍ମପୁର ଓ ରାଉରକେଲାରେ କିଛି ପଦବି ଖାଲି ରହିଛି।

ସମ୍ବନ୍ଧିତ ଖବର