ଭୁବନେଶ୍ୱର : ୧୪ ବର୍ଷ ଧରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ରହିବା ପରେ ଆଜି ଅବସର ଗ୍ରହଣ କରିଛନ୍ତି ଡ. ଶରତ ଚନ୍ଦ୍ର ସାହୁ। ପାଣିପାଗ କେନ୍ଦ୍ରରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କର୍ମଚାରୀ ଓ ଶୁଭେଚ୍ଛୁମାନେ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେଇଥିଲେ। କଲିକତା ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ଏଚ୍.ଆର. ବିଶ୍ୱାସ ନୂତନ ନିର୍ଦେଶକ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ ଗ୍ରହଣ କରିବେ। ଏହାପୂର୍ବରୁ ଆଜି ବିଦାୟ ନିର୍ଦେଶକ ଶ୍ରୀ ସାହୁ ଓ ନୂତନ ନିର୍ଦେଶକ ଶ୍ରୀ ବିଶ୍ୱାସ ସମ୍ବାଦ ସହ କଥାବାର୍ତ୍ତା ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଫାଇଲିନ୍ ସୂଚନା ବଡ଼ ଚାଲେଞ୍ଜ ଥିଲା: ଶରତ ସାହୁ
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦେଶକ ଭାବେ ୧୪ ବର୍ଷର ଅଭିଜ୍ଞତା କିଭଳି ଥିଲା?
– ଏଠାକୁ ଆସିବା ସମୟରେ ପାରମ୍ପରିକ ପଦ୍ଧତିରେ ଲୋକଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ଦିଆଯାଉଥିଲା। ପରବର୍ତୀ ସମୟରେ ଡିଜିଟାଲ ମାଧ୍ୟମରେ ସୂଚନା ଦିଆଯାଉଛି। ଆଗରୁ ଟେଲି ପ୍ରିଣ୍ଟରରେ ତଥ୍ୟ ଆସୁଥିଲା, ମାନୁଆଲ ଚାର୍ଟ ପ୍ରସ୍ତୁତ ହେଉଥିଲା। ଏବେ ପ୍ରତି ୩ ଘଣ୍ଟାରେ ଡିଜିଟାଲ ମୋଡ୍ରେ ସୂଚନା ଦିଆଯାଉଛି। କମ୍ପ୍ୟୁଟର ମାଧ୍ୟମରେ ତଥ୍ୟ ପଠାଯାଉଛି।
ଆପଣଙ୍କ ସମୟରେ ଆଉ କିଛି କାର୍ଯ୍ୟ ବାକି ରହିଗଲା କି?
-ଓଡ଼ିଶାରେ ୪ଟି ଡପଲର୍ ରାଡାର ପ୍ରତିଷ୍ଠା ହେବାର ଥିଲା। ସେଥିମଧ୍ୟରୁ ପାରାଦ୍ୱୀପ ଓ ଗୋପାଳପୁରଠାରେ ରାଡାର କାର୍ଯ୍ୟକ୍ଷମ ହୋଇଛି। ତା’ ମାଧ୍ୟମରେ କାଳବୈଶାଖୀ ସମ୍ପର୍କିତ ସୂଚନା ଆଗୁଆ ଦିଆଯାଇ ପାରୁଛି। ସମ୍ବଲପୁର ଓ ବାଲେଶ୍ୱର କାମ ଶେଷ ହୋଇନି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ ହେବ। ବ୍ଲକସ୍ତରରେ ସୂଚନା ଦେବାର ବ୍ୟବସ୍ଥା ହେବା ଆବଶ୍ୟକ।
କାର୍ଯ୍ୟକାଳ ମଧ୍ୟରେ ସବୁଠାରୁ ବଡ଼ ଚାଲେଞ୍ଜ କ’ଣ ରହିଥିଲା?
-୨୦୧୩ରେ ‘ଫାଇଲିନ୍’ ଆସିବାର ୫ରୁ ୬ ଦିନ ଆଗରୁ ଆମକୁ ସୂଚନା ମିଳିଥିଲା। ସେହି ଅନୁଯାୟୀ ପ୍ରସ୍ତୁତ ହୋଇଥିଲୁ। ୧୯୯୯ରେ ଯିଏ ଏଠାର ନିର୍ଦେଶକ ରହିଥିଲେ ତାଙ୍କ ସହ ଆଲୋଚନା କରିଥିଲି। ବିଜୁଳି ବିଭ୍ରାଟ ପ୍ରମୁଖ ସମସ୍ୟା ହୋଇଥିବାରୁ ସିପିଡବ୍ଲୁଡି ସହ ଆଲୋଚନା କରି ପ୍ରଥମେ ୨୪ ଘଣ୍ଟିଆ ବିଜୁଳି ବ୍ୟବସ୍ଥା କରାଗଲା। ୨୫ ଜଣ ଲୋକଙ୍କ ଖାଇବା ଲାଗି ଏଠାରେ କ୍ୟାଣ୍ଟିନ୍ ବି ହେଲା। ଯୋଗାଯୋଗ ମାଧ୍ୟମକୁ ସୁଦୃଢ଼ କରାଗଲା। ଫଳରେ ଠିକ୍ ସମୟରେ ସାଧାରଣ ଲୋକ ଓ ସରକାରଙ୍କୁ ସୂଚନା ଦେଇପାରିଲୁ।
ଅନ୍ୟ ରାଜ୍ୟରେ ଥିବା ପାଣିପାଗ କେନ୍ଦ୍ରଠାରୁ ଭୁବନେଶ୍ୱର କେନ୍ଦ୍ର କିଭଳି ଭିନ୍ନ?
-ଏଠାରେ ମାଟେରିଓଫାନ୍ସ ଇଣ୍ଟରନ୍ୟାସନାଲ ସିନର୍ଜି ସିଷ୍ଟମ ରହିଛି। ୩ଟି ମନିଟରିଂ ସିଷ୍ଟମ ମାଧ୍ୟମରେ ଆସନ୍ତା ୪୮ ଘଣ୍ଟାର ସୂଚନା ଦିଆଯାଇପାରୁଛି। ଅନ୍ୟ କୌଣସି କେନ୍ଦ୍ରରେ ଏଭଳି ବ୍ୟବସ୍ଥା ନାହିଁ। ଏସ୍ଏମ୍ଏସ୍ରେ ସୂଚନା ଦେବାର ସୁବିଧା ଏବେ ହୋଇଛି। ୨୦୦୮ରୁ ଭୁବନେଶ୍ୱର କେନ୍ଦ୍ରରେ ବାତ୍ୟା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦିଆଯାଉଛି।
ଆପଣଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା କିଭଳି ରହିଛି?
-ଏଠାରେ ଯେଉଁ କାର୍ଯ୍ୟ କରୁଥିଲି ଯଦି ସେହି କାର୍ଯ୍ୟ ଉପରେ କେଉଁଠି ଗବେଷଣା କରିବାକୁ ସୁଯୋଗ ମିଳିବ ସେଠାରେ କାମ କରିବି।
ସାକ୍ଷାତ: କେଶବ ପାଣି
ଡପଲର ରାଡାର ପ୍ରତିଷ୍ଠା ମୋର ପ୍ରାଥମିକତା: ଏଚ୍ ଆର ବିଶ୍ୱାସ
ରାତି ପାହିଲେ କାର୍ଯ୍ୟରେ ଯୋଗଦେବେ। କିଭଳି ତୁଲାଇବେ ଆପଣଙ୍କ ଦାୟିତ୍ୱ?
-ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିକାଶ ଜାରି ରହିବ। ପାଣିପାଗ ସମ୍ପର୍କିତ ପୂର୍ବାନୁମାନକୁ କିଭଳି ସୁଦୃଢ଼ କରିହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।
ପାଣିପାଗ ସମ୍ପର୍କରେ ଶୀଘ୍ର ସୂଚନା ପ୍ରଦାନ ଲାଗି କିଭଳି କାର୍ଯ୍ୟ କରିବେ?
-ଦିନକୁ ଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ହେଉଛି। ତାହାକୁ ଦୃଷ୍ଟିରେ ରଖି ପାଣିପାଗ ପୂର୍ବାନୁମାନ ସଠିକ୍ କରିବା ଲାଗି ଡପଲର୍ ରାଡାରର ଆବଶ୍ୟକତା ରହିଛି। ପାରାଦ୍ୱୀପ ଓ ଗୋପାଳପୁରଠାରେ ରାଡାର କାର୍ଯ୍ୟକ୍ଷମ ହୋଇଛି। ବାକି ସମ୍ବଲପୁର ଓ ବାଲେଶ୍ୱରରେ ରାଡାର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ପ୍ରାଥମିକତା ଦିଆଯିବ।
ଜଳବାୟୁ ପରିବର୍ତନ ଉପରେ ଗବେଷଣା କରିବାକୁ ଯୋଜନା ରହିଛି କି?
-ବଙ୍ଗୋପସାଗରରେ ଅଧିକାଂଶ ସମୟ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଫଳରେ ବାତ୍ୟା, ବର୍ଷାର ଆଶଙ୍କା ଓଡ଼ିଶା ପ୍ରତି ସବୁବେଳେ ରହୁଛି। ତାହାକୁ ଦୃଷ୍ଟିରେ ରଖି ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଜଳବାୟୁ ପରିବର୍ତନ ଏବେ ସାରା ବିଶ୍ୱ ପାଇଁ ଚାଲେଞ୍ଜ। ସେଥିପାଇଁ ବିଶ୍ୱବିଦ୍ୟାଳୟ ଓ ଗବେଷଣା ସଂସ୍ଥା ସହ ମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯିବ।
ଚାଷୀଙ୍କ ନିକଟରେ ପାଣିପାଗ ସୂଚନା ପହଞ୍ଚାଇବା ପାଇଁ କିଛି ଯୋଜନା?
-କୃଷକଙ୍କ ପାଇଁ ସପ୍ତାହକୁ ଦୁଇ ଥର ପାଣିପାଗ ସମ୍ପର୍କିତ ସୂଚନା ଦିଆଯାଉଛି। ଏଥିସହ ଆଗ୍ରୋମେଟ୍ ଫିଲଡ୍ ୟୁନିଟ୍ ବି ଆରମ୍ଭ ହୋଇଛି। ସେଠାରେ କୃଷି ବିଶେଷଜ୍ଞ ରହିଛନ୍ତି। ସେମାନଙ୍କୁ ପାଣିପାଗ ତଥ୍ୟ ଦିଆଯିବା ପରେ ଚାଷୀଙ୍କ ନିକଟରେ ସୂଚନା ପହଞ୍ଚିପାରୁଛି।