ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ : ତିନି ଦଳରେ ଅସ୍ପଷ୍ଟ ଚିତ୍ର

ଭୁବନେଶ୍ବର : ନିର୍ବାଚନ ବିଗୁଲ୍‌ ବାଜି ସାରିଲାଣି। ଟିକେଟ୍ ପାଇଁ କସରତ୍ ଜୋର୍‌ଦାର୍ ହେଲାଣି। କିନ୍ତୁ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳର କର୍ମୀମାନେ ସେମାନଙ୍କ ନେତା କିଏ, ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହାନ୍ତି। ଏହି ନିର୍ବାଚନମଣ୍ଡଳୀ ଗଠନ ହେବା ପରେ ଦୁଇ ଥର ନିର୍ବାଚନର ସାମ୍ନା କରିଛି। ଦୁଇ ଥର ଯାକ ବିଜେଡି ଜିତାପଟ ମାରିଥିଲେ ବି ତିନି ଦଳର ପ୍ରାର୍ଥୀ ଦୁଇଟି ନିର୍ବାଚନରେ ବଦଳିଛନ୍ତି। ତେଣୁ ତୃତୀୟ ଥର ପ୍ରାର୍ଥୀ ଚୟନ କିପରି ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

୨୦୦୯ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ଭାଗୀରଥି ବଡ଼ଜେନା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଗୋଲକ ମହାପାତ୍ରଙ୍କୁ ପରାସ୍ତ କରିଥିଲେ। ଏହି ନିର୍ବାଚନ‌େର କଂଗ୍ରେସ ପ୍ରାର୍ଥୀ ଥିଲେ କିଶୋର ଜେନା। ୨୦୧୪ରେ ତିନି ଦଳ ଯାକ ପ୍ରାର୍ଥୀ ବଦଳାଇଲେ। ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଦିଲ୍ଲୀପ ମହାନ୍ତିଙ୍କୁ ୪୮ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହେଲେ। ତୃତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାଶ।

୨୦୧୯ ପାଇଁ ବିଜେଡିରୁ ପ୍ରିୟଦର୍ଶୀ ମିଶ୍ର ପୁଣି ପ୍ରାର୍ଥୀ ହେବାକୁ ବଡ଼ ଦାବିଦାର ଅଛନ୍ତି। କିନ୍ତୁ ବିଜେଡିରେ ଆଉ କିଛି ଆଶାୟୀ ତାଙ୍କ ବାଟକୁ ସହଜ କରି ନାହାନ୍ତି। ଗତ କିଛି ମାସ ହେଲା ଭୁବନେଶ୍ବର ଉତ୍ତରର କିଛି କର୍ପୋରେଟର୍‌ଙ୍କ ସହ ଶ୍ରୀ ମିଶ୍ରଙ୍କ ବିବାଦ କାହାରିକୁ ଅଛପା ରହି ନାହିଁ। ବିଧାୟକଙ୍କୁ ଚ୍ୟାଲେଞ୍ଜ୍ ଦେଇ ଏହି କର୍ପୋରେଟର୍‌ମାନେ ସମାନ୍ତରାଳ ସଂଗଠନ କରିବା ସହ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଏକ ପ୍ରକାର ବର୍ଜନ କରିଥିଲେ। ବିଏମ୍‌ସିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସେମାନେ ବିଧାୟକଙ୍କୁ ଦୂରେଇ ରଖୁଥିଲେ। କର୍ପୋରେଟର୍‌ମାନଙ୍କ ମେଳି ସତ୍ତ୍ବେ ବିଭିନ୍ନ ୱାର୍ଡରେ ବିଧାୟକ ତାଙ୍କ କାର୍ଯ୍ୟକ୍ରମ ଜାରି ରଖିଥିଲେ। ନିଜର ସମର୍ଥକ କର୍ପୋରେଟର୍‌, ଦଳର କର୍ମୀ ଓ ବିଭିନ୍ନ ନାଗରିକ ସଂଗଠନକୁ ନେଇ ସେ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରିଥିଲେ। ଗତ କିଛି ମାସ ହେଲା ବିଭିନ୍ନ ୱାର୍ଡରେ ୱାର୍ଡ କମିଟି ବୈଠକ ବି ସେ ଜାରି ରଖିଛନ୍ତି। ତାଙ୍କ ସମୟରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଓ ବିଏମ୍‌ସିର ଗୋଟିଏ ୱାର୍ଡର ଉପନିର୍ବାଚନରେ ବିଜେଡି ସଫଳତା ପାଇଥିବାରୁ ଏହାର ଶ୍ରେୟ ବିଧାୟକଙ୍କର ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ତେଣୁ ପ୍ରିୟଦର୍ଶୀ ଟିକେଟ୍‌ ପାଇବେ ବୋଲି ସମର୍ଥକମାନେ ଆଶାବାଦୀ। ଏହା ସହ ଗତ ପାଞ୍ଚ ବର୍ଷରେ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ନେଇ ସେ ତାଙ୍କ ପ୍ରଚାର ଅଭିଯାନ ଏକପ୍ରକାର ଆରମ୍ଭ କରିଦେଇଛନ୍ତି। ଯେଉଁ ପୂର୍ବତନ କର୍ପୋରେଟର୍‌ମାନେ ପ୍ରିୟଦର୍ଶୀଙ୍କ ବିରୋଧୀ ଭାବେ ଜଣାଶୁଣା, ସେମାନେ ବି ଏବେ ଏକପ୍ରକାର ନିରବ ରହିଛନ୍ତି। ବିଧାୟକଙ୍କୁ ସମର୍ଥନ କରୁ ନାହାନ୍ତି କି ଖୋଲା ବିରୋଧରେ ବି ବାହାରି ନାହାନ୍ତି। ଏଠାରେ ବିଜେଡିର ଆଉ ଦୁଇ ଜଣ ପ୍ରମୁଖ ଦାବିଦାବର ହୋଇଛନ୍ତି ସୁବାସ ପାତ୍ର ଓ ଚିନ୍ମୟ ସାହୁ। ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ଶ୍ରୀ ସାହୁ ଯୁବ, ଛାତ୍ରମାନଙ୍କୁ ନେଇ ନିଜର ଦବ୍‌ଦବା ଜାହିର କରୁଥିବା ଦେଖିବାକୁ ମିଳୁଛି। ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ଏହି ଆସନ ଉପରେ ଆଖି ରଖିଛନ୍ତି। ତାଙ୍କୁ ବିଡିଏ ଅଧ୍ୟକ୍ଷ କରାଯାଇଥିବା ସ‌େତ୍ତ୍ବ ଉତ୍ତର କିମ୍ବା ମଧ୍ୟ ନିର୍ବାଚନମଣ୍ଡଳୀରେ ତାଙ୍କୁ ପ୍ରାର୍ଥୀ କରାଇବା ପାଇଁ ସେ ଲବି ଜାରି ରଖିଛନ୍ତି।

ବିଜେପିର ଗତ ଥରର ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ଏଥର ପୁନର୍ବାର ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଆଗରେ ଦେଖିବାକୁ ମିଳୁଛି। ୨୦୦୯ ନିର୍ବାଚନର ପ୍ରାର୍ଥୀ ଗୋଲକ ମହାପାତ୍ର ବିଜେପି ରାଜନୀତିରେ ବେଶ୍ ସକ୍ରିୟ ଥିଲେ ବି ଏଥର ଏଠାରେ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ ନାହାନ୍ତି। ତେଣୁ ଦିଲ୍ଲୀପଙ୍କ ସମ୍ଭାବନା ଅଧିକ ବୋଲି କୁହାଯାଉଛି। ବିଜେପିର ଆଉ ଦୁଇ ଜଣ ନେତା ଯିଜ୍ଞାଂଶୁ ପଣ୍ଡା ଓ ପ୍ରକାଶ ଶ୍ରୀଚନ୍ଦନ ମଧ୍ୟ ପ୍ରାର୍ଥୀ ହେବା ଦୌଡ଼ରେ ଅଛନ୍ତି। ଏହି ଦୁଇ ନେତାଙ୍କୁ ମଧ୍ୟ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଆଗ ଧାଡ଼ି‌େର ରହୁଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ସାଂଗଠନିକ ସ୍ତରରେ ବେଶ୍‌ ଦୁର୍ବଳ ରହିଛି। ଏଠାରେ ସାଂଗଠନିକ ସ୍ଥିତି ଦୃଢ଼ କରିବାକୁ ସେପରି କିଛି ଠୋସ୍ ପଦକ୍ଷେପ ବି ନିଆଯାଇ ନାହିଁ। ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କିଶୋର ଜେନା ଓ ମନୋରଞ୍ଜନ ଦାଶଙ୍କ ନାମ ଏଥର ମଧ୍ୟ ଚର୍ଚ୍ଚାରେ ରହିଛି। ଏହା ବାଦ୍ ଅଶୋକ ଦାଶ ଓ ଇତିଶ ପ୍ରଧାନ ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି।

ସମ୍ବନ୍ଧିତ ଖବର