ଚମକିବ ଭୁବନେଶ୍ବର ଷ୍ଟେସନ୍‌ : ରାଜ୍ୟ ସରକାର-ରେଳ ମନ୍ତ୍ରାଳୟ ବୁଝାମଣା, ଖର୍ଚ୍ଚ ହେବ ୧୩୦ କୋଟି, ତିନି ବର୍ଷରେ ସରିବ

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ୍‌ ମଲ୍ଟିମୋଡାଲ ହବ୍ (ବହୁମୁଖୀ ପରିବହନ କେନ୍ଦ୍ର) ପାଇଁ ଆଜି ଓଡ଼ିଶା ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। କେଉଁଠି ଏମ୍‌ଓୟୁ ସ୍ବାକ୍ଷର ହେବ, ଡିଜାଇନ୍ କିପରି ହେବ ସେନେଇ ପ୍ରାୟ ଦେଢ଼ ବର୍ଷ କାଳ ଟଣାଓଟରା ଚାଲିବା ପରେ ଆଜି ନୂଆଦିଲ୍ଲୀର ଉଦ୍ୟୋଗ ଭବନ ଠାରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୧୩୦କୋଟିର ଏହି ପ୍ରକଳ୍ପକୁ ତିନି ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ନୂଆଦିଲ୍ଲୀରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବାବେଳେ ସେଠାରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ୍‌ ହୋଇଥିଲେ। ରେଳ ମନ୍ତ୍ରାଳୟ ପକ୍ଷରୁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ଏହି ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏହି ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ ଯୋଜନା ହୋଇଥିବା ବେଳେ ଏହି ପ୍ରକଳ୍ପକୁ ବିଡିଏ ନିର୍ମାଣ କରିବ। ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରାଳୟ ୭୦କୋଟି ଖର୍ଚ୍ଚ କରିବାକୁ ଥିବା ବେଳେ ଓଡ଼ିଶା ସରକାର ୬୦କୋଟି ଖର୍ଚ୍ଚ କରିବେ। ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ମଲ୍ଟିମୋଡାଲ ହବ୍‌ ନିର୍ମାଣ ହେବ। ଏଠାରେ ରେଳ ଷ୍ଟେସନ ପାଇଁ ନୂତନ ଟର୍ମିନାଲ ବିଲଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ ଏବଂ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ପୁରୁଣା ଷ୍ଟେସନ ବଜାରକୁ ସଂଯୋଗ କରି ରେଳ ପ୍ଲାଟଫର୍ମ ଉପରେ ଏକ କନକୋର୍ସ ନିର୍ମାଣ କରାଯିବ।

ରେଳବାଇ ଓ ରାଜ୍ୟ ସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଂ, ଆଉ ଦୁଇଟି ନୂଆ ପ୍ଲାଟଫର୍ମ ହେବ। ଏହି ୫ମହଲା ବିଶିଷ୍ଟ ବିଲଡିଂର ତଳ ମହଲା ସହିତ ପ୍ରଥମ ଦୁଇ ମହଲାକୁ ରେଳବାଇ ବ୍ୟବହାର କରିବ। ରେଳବାଇକୁ ମୋଟ୍‌ ୧.୭୪ଲକ୍ଷ ବର୍ଗଫୁଟ ଅଞ୍ଚଳ ମିଳିବ। ଏହାସହ ଭୁବନେଶ୍ବର ରେଳ ଷ୍ଟେସନର ସମ୍ପ୍ରସାରଣ ହେବ। ଦୁଇଟି ଅତିରିକ୍ତ ରେଳଲାଇନ୍ ସହ ପ୍ଲାଟଫର୍ମ, ପୂର୍ଣ୍ଣ କଭରସେଡ୍‌ ଥାଇ ଗୋଟିଏ ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌ର ସମ୍ପ୍ରସାରଣ ଏବଂ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯିବ।

ଆଜି ଏମ୍‌ଓୟୁ ସ୍ବାକ୍ଷର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ବିକାଶ ଲାଗି ରେଳ ମନ୍ତ୍ରାଳୟକୁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଏକ ବିଶ୍ବସ୍ତରୀୟ ବହୁମୁଖୀ ପରିବହନ କେନ୍ଦ୍ର ହେବ। ଏହି ଧରଣର ପରି‌ବହନ କେନ୍ଦ୍ର ଦେଶରେ ପ୍ରଥମ ହେବ।

କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଓଡ଼ିଶା ସରକାର ଭୁବନେଶ୍ବର ରେଳ ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ରେଳ ମନ୍ତ୍ରାଳୟ ସହିତ ସହଯୋଗ କରିବା ଲାଗି ଆଗେଇ ଆସିବା ଖୁସିର କଥା।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସାଧାରଣ ଲୋକ ଏହି ପ୍ରକଳ୍ପ ଦ୍ବାରା ଅଧିକ ଲାଭବାନ ହେବେ। ଏହି କ୍ଷେତ୍ରରେ ଏହା ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ।

ଆଜିର ଏହି ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ରେଳବାଇ ବୋର୍ଡ ଇଂଜିନିୟରିଂ ସଦସ୍ୟ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସମେତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର