ଡିସେମ୍ବର ୭ରୁ ଏୟାର ଏସିଆ ପକ୍ଷରୁ ସିଧାସଳଖ ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ସେବା, ମାତ୍ର ୨,୯୯୯ଟଙ୍କାରେ ଯାତ୍ରୀ କରିପାରିବେ ବ୍ୟାଙ୍କକ ଯାତ୍ରା

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ସେବା। ପୂର୍ବରୁ ଓଡିଶାକୁ କ୍ୱଲାଲାମପୁର ସହ ଯୋଡିଥିବା ଏୟାରଲାଇନ୍‌ ସଂସ୍ଥା ଏୟାର ଏସିଆ ବ୍ୟାଙ୍କକ୍‌ ସହ ଯୋଡିବ ଭୁବନେଶ୍ୱରକୁ। ମାତ୍ର ୨,୯୯୯ଟଙ୍କାରେ ଯାତ୍ରୀ ଉଠାଇପାରିବେ ଏହାର ମଜା। ଏଣିକି ଆପଣମାନେ ସିଧାସଳଖ ଯାଇପାରିବେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌। ପ୍ରଥମଥର ପାଇଁ ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଏସିଆ ପକ୍ଷରୁ ସିଧାସଳଖ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା ହୋଇଛି।

ବ୍ୟାଙ୍କକ୍‌ ସହ ଯୋଡିହେଲା ଭୁବନେଶ୍ୱର। ଖୁବ୍‌ ଶୀଘ୍ର ଏୟାର୍‌ ଏସିଆ ଏହି ରୁଟରେ ନିଜ ଯାତ୍ରା ଆରମ୍ଭ କରିବ। ସୂଚନା ଅନୁଯାୟୀ ଡିସେମ୍ବର ୭ତାରିଖରୁ ଯାତ୍ରୀ ସିଧାସଳଖ ବ୍ୟାଙ୍କକ୍‌ ଯାତ୍ରା କରିପାରିବେ। ସପ୍ତାହରେ ୩ଦିନ ଉଡାଣ ଭରିବ ଏୟାର ଏସିଆର ବିମାନ। ବୁଧବାର, ଶୁକ୍ରବାର ଏବଂ ରବିବାର ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ବ୍ୟାଙ୍କକରୁ ଯାତ୍ରୀ ଭୁବନେଶ୍ୱର ଫେରିପାରିବେ।

ମାତ୍ର ୨ହଜାର ୯ଶହ ୯୯ଟଙ୍କା ଦେଇ ଯାତ୍ରୀ ବ୍ୟାଙ୍କକ୍‌ ପାଇଁ ଟିକେଟ୍‌ ବୁକିଂ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୦ତାରିଖରୁ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ। ଆଉ ଏହି ଟିକେଟରେ ଯାତ୍ରୀ ଡିସେମ୍ବର ମାସ ୭ତାରିଖରୁ ୨୦୧୯ ମାର୍ଚ୍ଚ ୩୦ତାରିଖ ମଧ୍ୟରେ ଯାତ୍ରା କରିପାରିବେ। ତେବେ ସେଠାକୁ ଯାଉଥିବା ପର୍ଯ୍ୟଟକ କିଭଳି ସୁବିଧାରେ ବୁଲିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଥାଇଲାଣ୍ଡ ଟୁରିଜିମ୍‌ ବିଭାଗର ଡାଇରେକ୍ଟର, ଇଶ୍ରା ଷ୍ଟାପନସେଥ୍‌। ଏହି ରୁଟରେ ବିମାନ ଚଳାଚଳ କରିବା ପରେ ଯାତ୍ରୀଙ୍କ ସଂଖ୍ୟା ବଢିବା ସହ ପର୍ଯ୍ୟଟନ ତଥା ବାଣିଜ୍ୟିକ କ୍ଷେତ୍ରରେ ଉନ୍ନତି ହେବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର