ଭୁବନେଶ୍ବର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ୍‌ର ଶୁଭାରମ୍ଭ

୪୫ଟଙ୍କାରେ ଭୁବନେଶ୍ବରରୁ ନୟାଗଡ଼, ମୋଦୀଙ୍କୁ ଅପରାଜିତା, ନବୀନଙ୍କୁ ଅଶୋକ ଓ ପିନାକୀ ଶ୍ରେୟ ଦେଲେ
ଭୁବନେଶ୍ବର: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ନୂଆଦିଲ୍ଲୀଠାରୁ ଭିଡିଓ କନଫରେନସିଂ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହ ଦେଶର ବିଭିନ୍ନ ସ୍ଥାନକୁ ଚାଲିବାକୁ ଥିବା ସେବା ଟ୍ରେନ୍‌ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି I ଦିଲ୍ଲୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ପୂର୍ବରୁ ଓଡ଼ିଶାକୁ ରେଳ ବଜେଟ୍‌ ପାଇଁ ୧ ହଜାର କୋଟି ଟଙ୍କା ଦାବି କରିବାକୁ ପଡ଼ୁଥିଲା। ମାତ୍ର ଗତ ୬ ବର୍ଷରେ ମୋଟ୍‌ ସାଢ଼େ ୬ହଜାର କୋଟିରୁ ୭ହଜାର କୋଟି ଟଙ୍କା ରେଳ ଅନୁଦାନ ଓଡ଼ିଶାକୁ ମିଳିଛି। ସେହିପରି ରେଳ ସଂଯୋଗକୁ ସୁନିଶ୍ଚିତ କରିବାରେ ‘ସେବା ସର୍ଭିସ୍’ ଟ୍ରେନ୍ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ଯାହା ଓଡ଼ିଶାରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଓ ଯାତାୟାତକୁ ସୁଗମ କରିବ। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଅଶୋକ ପଣ୍ଡା, ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ପ୍ରମୁଖ ପତାକା ଦେଖାଇ ଏହି ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ନୟାଗଡ଼ବାସୀଙ୍କର ବହୁ ଦିନର ଦାବି ପୂରଣ ହୋଇଛି। ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସମ୍ଭବ ହୋଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ପୁରୀ ସାଂସଦ ପିନାକୀ ମିଶ୍ର ନିଜ ଭାଷଣରେ କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଏହି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି। ଓଡ଼ିଶାର ଦେଶର ପ୍ରଥମ ରାଜ୍ୟ ଭାବେ ରେଳ ମନ୍ତ୍ରଣାଳୟ ସହ ସହଭାଗିତାରେ କାର୍ଯ୍ୟ କରୁଛି। ଏହି ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ଭୁବନେଶ୍ବରରୁ ନୟାଗଡ଼କୁ ଟ୍ରେନ୍ ଗଡ଼ି ପାରିଲା। ଅପରାଜିତା ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ଉଲ୍ଲେଖ କରି ନ ଥିଲାବେଳେ ଅଶୋକ ଓ ପିନାକୀ କେନ୍ଦ୍ର ସରକାରଙ୍କ ଭୂମିକା ବିଷୟରେ କିଛି କହିନଥିଲେ।

ସୂଚନା‌ଯୋଗ୍ୟ ଯେ ଏହି ଟ୍ରେନ୍ ପ୍ରତିଦିନ ସଂଧ୍ୟା ୬ଟା ୪୦ମିନିଟରେ ଭୁବନେଶ୍ବରରୁ ବାହାରି ନୟାଗଡ଼ ଟାଉନରେ ରାତି ୮ଟା ୪୫ରେ ପହଞ୍ଚିବ। ସେହିପରି ନୟାଗଡ଼ ଟାଉନରୁ ସକାଳ ୬ଟା ୩୦ରେ ବାହାରି ଭୁବନେଶ୍ବରରେ ସକାଳ ୯ଟାରେ ପହଞ୍ଚିବ। ୮୮କିମିର ଯାତ୍ରା ପାଇଁ ଯାତ୍ରୀଙ୍କୁ ଭଡ଼ା ବାବଦକୁ ୪୫ଟଙ୍କା ଦେବାକୁ ପଡ଼ିବ। ଏହି ଟ୍ରେନ୍ ସେବା ଆରମ୍ଭ ହେବା ଦ୍ବାରା ନୟାଗଡ଼ରୁ ଲୋକମାନେ ଦୈନିକ ଭୁବନେଶ୍ବର ଆସି ବିଭିନ୍ନ କାର୍ଯ୍ୟ କରି ସଂଧ୍ୟାରେ ପୁଣି ନୟାଗଡ଼ ଫେରି ପାରିବେ। ଆଜିର କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ସ୍ବାଗତ ଭାଷଣ ଦେଇଥିବାଚ ବେଳେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶିକାନ୍ତ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର