ପିଲାଚୋରି ସନ୍ଦେହରେ ନିର୍ଘାତ ମାଡ଼

କାମାକ୍ଷାନଗର: ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗାଁରେ ପିଲାଚୋରି ଆଶଙ୍କାରେ ଆଜି ଜଣେ ଅଣଓଡ଼ିଆ ଯୁବକଙ୍କୁ ସ୍ଥାନୀୟ ଲୋକେ ନିର୍ଘାତ୍‌ ମାଡ଼ ମାରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ସମ୍ପୃକ୍ତ ଯୁବକଙ୍କ ବୟସ ପ୍ରାୟ ୩୦ବର୍ଷ ହେବ। ଲୋକଙ୍କ କହିବା ଅନୁସାରେ, ଅପରାହ୍‌ଣ ପ୍ରାୟ ୫ଟା ବେଳେ ଏହି ଅଚିହ୍ନା ଯୁବକ ଜଣକ ବାଙ୍ଗୁରା ସବର ସାହିକୁ ଯାଇଥିଲେ। ସେ କୁଆଡ଼େ ପିଲାଚୋରି ଉଦ୍ୟମ କରୁଥିଲେ ବୋଲି ଗୁଜବ ହୋଇଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ କିଛି ଲୋକ ସମ୍ପୃକ୍ତ ଯୁବକଙ୍କୁ ଧରି ନିର୍ଘାତ୍‌ ପିଟିଥିଲେ। ଯୁବକଙ୍କୁ ପଚରା ଉଚରା କରିବାରୁ ସେ ଆଧା ଖଣ୍ଡିଆ ତେଲୁଗୁ ଭାଷା କହିଥିଲେ।

ଆମ ଆନନ୍ଦପୁୁର ପ୍ରତିନିଧିଙ୍କ ସୂଚନା ଅନୁସାରେ ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ବଣିଆଯୋଡ଼ି ଗାଁରେ ଲୋକମାନେ ଜଣେ ମାନସିକ ବିକୃତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକଙ୍କୁ ସଂକଟାପନ୍ନ ଅବସ୍ଥାରେ ପୁଲିସ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ଡାକ୍ତରଖାନାକୁ ପଠାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଅପରିଚିତ ଯୁବକଙ୍କୁ ଆଜି ଦିନ ୧୦ଟାବେଳେ ବଣିଆଯୋଡ଼ି ଗ୍ରାମରେ ବୁଲୁଥିବା ଦେଖି ଲୋକମାନେ ପିଲାଚୋର ସନ୍ଦେହରେ ପ୍ରଥମେ ଧରି ନେଇଥିଲେ। ସେ ମାନସିକ ବିକୃତ ହୋଇଥିବାରୁ କୌଣସି ଉତ୍ତର ଠିକ ଭାବେ ଦେଇପାରିନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକେ ତାକୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ଏହି ଆକ୍ରମଣ ଘଟଣାରେ ଆନନ୍ଦପୁର ପୁଲିସ୍‌ ୭ଜଣଙ୍କୁ ଥାନାରେ ଅଟକ ରଖିଛି। ସେହିପରି ଅନୁଗୁଳ ପ୍ରତିିନିଧିଙ୍କ ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନ ଭୁବନପୁର ଗ୍ରାମର ନାଳ ଭିତରୁ ଜଣେ ମହିଳାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ତେବେ ପିଲାଚୋରି କରିବା ପାଇଁ ଆସିଥିବା କେତେକ ଅଣଓଡ଼ିଆ ତାଙ୍କୁ ଏଭଳି ବାନ୍ଧି ଫୋପାଡ଼ି ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର