ଏନ୍‌କାଉଣ୍ଟରରେ ଗ୍ୟାଙ୍ଗ୍‌ଷ୍ଟାର୍‌ ବିଭୁ ଆହତ

କେନ୍ଦ୍ରାପଡ଼ା/ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ନିକଟ ଯମୁନାବାଦଗଡ଼ାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗ୍‌ଷ୍ଟାର୍‌ ପ୍ରତାପ ସାହୁ(୪୨) ଓରଫ ବିଭୁ ଗୁରୁତର ଆହତ ହୋଇଛି। ତା’ର ଦୁଇ ଗୋଡ଼ ଆଣ୍ଠୁ ତଳେ ଦୁଇଟି ଗୁଳି ବାଜିଛି। ଏହାପୂର୍ବରୁ ୨୦୧୨ ମସିହାରେ ବିଭୁ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ହୋଇଥିଲା। ଜଣେ ଅପରାଧୀକୁ ପୁଲିସ ଦୁଇ ଦୁଇଥର ଏନକାଉଣ୍ଟର କରିବା ଜିଲ୍ଲାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା।

ମିଳିଥିବା ସୂଚନା ଅନୁସାରେ, ଜେଲ୍‌ ଥିବା ଅପରାଧୀ କଟା ଦୀପୁକୁ ମୁକୁଳାଇବା ପାଇଁ ୩ ଲକ୍ଷ ଟଙ୍କା ଯୋଗାଡ଼ରେ ରହିଥିଲା ବିଭୁ। ଏହି ଟଙ୍କା ପାଇଁ ସେ ଯମୁନାବାଦ ଗଡ଼ାକୁ ଆସିଥିବା ନେଇ ପୁଲିସ୍‌ ପକ୍କା ଖବର ପାଇଥିଲା। ଗତକାଲି ରାତି ୨ଟା ବେଳେ ପାଟକୁରା ଥାନାଧିକାରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ଅନ୍ୟ ଏକ ଗାଡ଼ିରେ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଇନ୍‌ସପେକ୍ଟର ପି.କେ. କାନୁନଗୋଙ୍କ ନେତୃତ୍ୱରେ ଫୋର୍ସ ତାଳସଙ୍ଗା-ଗରଦପୁର ରୋଡ୍‌ରେ ଜଗି ରହିଥିଲା। ଠିକ୍‌ ୩ଟା ବେଳେ ସେମାନେ ଯମୁନାବାଦ ଗାଁ ନିକଟ ଶିବ ମନ୍ଦିର ପାଖ କଲଭର୍ଟରେ ଜଣେ ଯୁବକ ବସିଥିବା ଦେଖିବାକୁ ପାଇଥିଲେ। ପୁଲିସକୁ ଦେଖି ଯୁବକ ଜଣଙ୍କ କଲଭର୍ଟ ତଳେ ଲୁଚି ଯାଇଥିଲା। ସନ୍ଦେହରେ ପୁଲିସ କଲଭର୍ଟ ପାଖକୁ ଯିବା ବେଳକୁ ସେ ପୁଲିସ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୁଲିସ ମଧ୍ୟ ଗୋଟିଏ ରାଉଣ୍ଡ୍‌ ଫାଙ୍କା ଗୁଳିଚାଳନା କରିଥିଲା। ପୁନର୍ବାର ଯୁବକଜଣଙ୍କ ଆଉ ଗୋଟିଏ ରାଉଣ୍ଡ୍‌ ଗୁଳିମାଡ଼ କରିଥିଲା। ତେବେ ତୃତୀୟ ରାଉଣ୍ଡ ଗୁଳି ଫୁଟାଇବା ବେଳକୁ ଯୁବକର ବନ୍ଧୁକ ଲକ୍‌ ହୋଇଯାଇଥିଲା। ଏହି ସୁଯୋଗରେ ତା’ର ଦୁଇ ଗୋଡ଼କୁ ଲକ୍ଷ୍ୟ କରି ପୁଲିସ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା। ସେ ଜଖମ ହେବା ପରେ ପୁଲିସ ତାକୁ ମାଡ଼ି ବସି କାବୁ କରି ନେଇଥିଲା। ସେ ମୋଷ୍ଟ୍‌ ଓ୍ଵାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ବିଭୁ ବୋଲି ଚିହ୍ନଟ କରିଥିଲା। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ବିଭୁର ଘର ମାର୍ଶାଘାଇ ଥାନା ଭଗବାନପୁର ଗ୍ରାମ । ତା’ ନାଁରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ ଓ ଯାଜପୁର ଜିଲ୍ଲାରେ ୪୦ରୁ ଅଧିକ ଗୁରୁତର ମାମଲା ରହିଛି। ଏହାପୂର୍ବରୁ, ୨୦୧୨ ମସିହାରେ ମହାକାଳପଡ଼ାଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍କ୍ଵାଡ ଏନ୍‌କାଉଣ୍ଟର କରିଥିଲା । ସେତେବେଳେ ବିଭୁର ଗୋଟିଏ ଗୋଡ଼ରେ ଗୁଳି ବାଜିଥିଲା । ହେଲେ ଜେଲ୍‌ରୁ ଜାମିନ୍‌ରେ ଆସି ବିଭୁ ପୁଣି ଅପରାଧ ଦୁନିଆରେ ଆତଙ୍କ ଖେଳାଇଥିଲା।

ସମ୍ବନ୍ଧିତ ଖବର