ଅନଲାଇନ୍‌ ଆବେଦନ ନାଁରେ ବିଡି ଶ୍ରମିକଙ୍କୁ ଶୋଷଣ : ମାସକରେ ଦାବି ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବ ସଂଘ

ଭୁବନେଶ୍ୱର : ଅନଲାଇନ୍‌ରେ ଆବେଦନ ନାଁରେ ବିଡି ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଶୋଷଣ କରିବାକୁ ଆରମ୍ଭ କରିଛନ୍ତି। ଗୃହ ନିର୍ମାଣ ଯୋଜନାଠାରୁ ଆରମ୍ଭ କରି ବିଡ଼ି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବୃତ୍ତି ଯୋଜନା ପାଇଁ ଅନଲାଇନ୍‌ରେ ଆବେଦନ କରିବାକୁ ନିର୍ଦେଶ ଦିଆଯାଉଛି। ଗ୍ରାମାଞ୍ଚଳରେ ରହୁଥିବା ଅନେକ ଶ୍ରମିକ ଅନଲାଇନ୍‌ ଆବେଦନ ସଂପର୍କରେ ଜାଣି ନ ଥିବା ବେଳେ ସେମାନେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେଣୁ ଆସନ୍ତା ୧ମାସ ମଧ୍ୟରେ ବିଭିନ୍ନ ଦାବିର ସମାଧାନ କରା ନ ଗଲେ ବିଡ଼ି ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ରାଜ୍ୟ ବିଡ଼ି ଶ୍ରମିକ ସଂଘ ଚେତାବନୀ ଦେଇଛି।

ସଂଘର ସଂପାଦକ ବୈକୁଣ୍ଠ ବେହେରାଙ୍କ ସୂଚନା ଅନୁଯାୟୀ, ବିଡି ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଯୋଜନା ରହିଛି। ଏଥିରେ ଘର ତିଆରି ପାଇଁ ୪୦ହଜାର ଟଙ୍କାର ରିହାତି ମିଳିଥାଏ। କେନ୍ଦ୍ର ସରକାର ୨୦୧୬ ମସିହାରେ ଗୃହ ନିର୍ମାଣ ଅନୁଦାନ ରାଶିକୁ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ତେବେ ଯେଉଁ ବିଡ଼ି ଶ୍ରମିକଙ୍କ ନାଁରେ ଘରବାଡ଼ି ପଟ୍ଟା ରହିଥିବ ସେମାନଙ୍କୁ ହିଁ ଏହି ରିହାତି ମିଳିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଥିଲା। ଏହାସହ ୨୦୦୭ ମସିହାରୁ ଜମା ଦେଇଥିବା ୪୦ହଜାରରୁ ଅଧିକ ଆବେଦନ ଫର୍ମକୁ ଅକାମି କରି ଦିଆଯାଇଥିଲା। ଏହାକୁ ନେଇ ବିଡ଼ି ଶ୍ରମିକମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଗତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ସରକାର ଏହାକୁ ଉଚ୍ଛେଦ କରିଥିଲେ। ଏଥିରେ ଅନେକ ବିଡ଼ି ଶ୍ରମିକ ନିର୍ଧାରିତ ଫର୍ମରେ ଆବେଦନ କରିଥିଲେ। ସେଥିରୁ ୨୦୨୯ ଲୋକଙ୍କ ଫର୍ମକୁ ବିଚାରକୁ ନେଇ ବଳକା ଫର୍ମ ଅଫିସରେ ପଡ଼ି ରହିଛି। ତେବେ ଚଳିତବର୍ଷ ଏପ୍ରିଲ ୧ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ପୂର୍ବଭଳି ଘରବାଡ଼ି ପଟ୍ଟା ରହିଥିବା ଲୋକଙ୍କୁ ରିହାତି ମିଳିବାର ନିର୍ଦେଶନାମା ରହିଛି। ଯାହାକୁ ନେଇ ବିଡ଼ି ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ବିଡ଼ି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ଯୋଜନା ରହିଛି। ଏଥିରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ବାର୍ଷିକ ୨୫୦ଟଙ୍କା, ୫ମରୁ ୭ମ ଶ୍ରେଣୀର ଝିଅଙ୍କ ପାଇଁ ୯୪୦ଟଙ୍କା ଓ ପୁଅଙ୍କୁ ୫ଶହ, ୧୦ମ ଶ୍ରେଣୀ ପାଇଁ ଝିଅଙ୍କୁ ୧୮୪୦ ଓ ପୁଅଙ୍କୁ ୭ଶହ, +୨ରେ ଝିଅଙ୍କୁ ୨୪୪୦ ଓ ପୁଅଙ୍କୁ ୨ହଜାର, +୩ ପାଇଁ ଉଭୟ ପୁଅ/ଝିଅଙ୍କୁ ୩ହଜାର ଓ ବି.ଟେକ୍‌ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ୮ହଜାର ଟଙ୍କାର ବୃତ୍ତି ମିଳିଥାଏ। ଯୋଜନା ଆରମ୍ଭରୁ ୨୦୧୫ ମସିହା ଯାଏଁ ନିର୍ଧାରିତ ଆବେଦନ ଫର୍ମରେ ଆବେଦନ କରି ବର୍ଷକୁ ୨୫/୩୦ହଜାର ଏଥିରେ ଉପକୃତ ହେଉଥିଲେ। ମାତ୍ର ୨୦୧୬ରେ କେନ୍ଦ୍ର ସରକାର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ର ବୃତ୍ତି ପାଇଁ ଅନ୍‌ଲାଇନ ପ୍ରକ୍ରିୟା ପ୍ରଚଳନ କଲେ। ଯାହାଫଳରେ ୨୦୧୬/୧୭ ଆର୍ଥିକ ବର୍ଷରେ ରାଜ୍ୟର ୭୬୫ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇଛନ୍ତି। ଅନଲାଇନ୍‌ ଆବେଦନ ପାଇଁ ଗାଁ ଗହଳିରେ ସମସ୍ୟା ହେଉଛି। ପୂର୍ବରୁ ବର୍ଷକୁ ୨୫-୩୦ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପାଉଥିବା ବେଳେ ଅନଲାଇନ୍‌ ଆବେଦନ ଯୋଗୁଁ ବୃତ୍ତି ପାଇବାରେ ସମସ୍ୟା ହେଉଥିବା ଶ୍ରୀ ବେହେରା କହିଛନ୍ତି।

ସଭାପତି ସନ୍ତୋଷ ମହାନାଙ୍କ କହିବାନୁଯାୟୀ, ୧୯୭୭ ମସିହାରୁ ବିଡ଼ି ଶ୍ରମିକଙ୍କ ପାଇଁ ହଲିଡେ ହୋମ୍‌ ଭିଜିଟ୍‌ ଯୋଜନା ପ୍ରଚଳିତ ରହିଛି। ଏହି ଯୋଜନାରେ ଜଣେ ବିଡ଼ି ଶ୍ରମିକ ରାଜ୍ୟର ବିଭିନ୍ନ ସ୍ଥାନକୁ ମାଗଣାରେ ଯାତାୟାତ କରିପାରୁ ଥିଲେ। ମାତ୍ର ଚଳିତମାସଠାରୁ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରି ଦେଇଛନ୍ତି। ଫଳରେ ଆଦିବାସୀ ଓ ଗାଁ ଗହଳିର ଗରିବ ଲୋକମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ସେହିପରି ବିଡ଼ି ଶ୍ରମିକଙ୍କ ପାଇଁ ବୀମା ଯୋଜନା ରହିଥିଲା। କାର୍ଯ୍ୟରତ ବିଡ଼ି ଶ୍ରମିକ ପ୍ରାଣ ହରାଇଲେ ୧୦ହଜାର ଟଙ୍କା ଓ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ବୀମା ମିଳୁଥିଲା। ମାତ୍ର ୨ବର୍ଷ ହେଲାଣି କେନ୍ଦ୍ର ସରକାର ଏହାକୁ ବନ୍ଦ କରି ଦେଇଛନ୍ତି। କେବଳ ଶବଦାହ ପାଇଁ ୧୫ଶହ ଟଙ୍କା ଦିଆଯାଉଛି। ଧୀରେ ଧୀରେ ବିଡ଼ି ଶ୍ରମିକଙ୍କ ପାଇଁ ରହିଥିବା ସମସ୍ତ ଯୋଜନା କେନ୍ଦ୍ର ସରକାର ବନ୍ଦ କରିଦେବାକୁ ବସିଛନ୍ତି। ଏହାର ପ୍ରତିବାଦରେ କେନ୍ଦ୍ର ଶ୍ରମ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶ୍ରମ ମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଆସନ୍ତା ୧ମାସ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାରେ ପରିବର୍ତନ ନ ଆଣନ୍ତି ତେବେ ହଜାର ହଜାର ବିଡ଼ି ଶ୍ରମିକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ମହାନା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର