ବିପଦ ଆଣିପାରେ ବଡ଼ ବଜେଟ୍‌ : ଏତେ ଅର୍ଥ ଆସିବ କେଉଁଠୁ, ଖର୍ଚ କରିବେ କେମିତି ?

ଭୁବନେଶ୍ୱର : ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ। ରାଜସ୍ୱ ଆୟ ବି ଉତ୍ସାହଜନକ ନୁହେଁ। ଋଣ ଭାର ବଢିବାରେ ଲାଗିଛି। ତା’ ସତ୍ତ୍ୱେ ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ପୁଣି ଯେଉଁ (ଅତିରିକ୍ତ) ବଜେଟ୍‌ ପ୍ରସ୍ତୁତ କରିଛନ୍ତି, ତାହା ଗତବର୍ଷ ତୁଳନାରେ ପାଖାପାଖି ୩ହଜାର କୋଟି ଟଙ୍କା ଅଧିକ।

ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଚିଠା ଅତିରିକ୍ତ ବଜେଟ୍‌ର ଆକାର ପାଖାପାଖି ୧୨ହଜାର ୭୬୮ କୋଟି ଟଙ୍କା ଛୁଇଁପାରେ। ଅର୍ଥାତ୍‌ ମୂଳ ବଜେଟ୍‌କୁ ବିଚାରକୁ ନେଲେ, ଏହି ଆର୍ଥିକ ବର୍ଷରେ ରାଜ୍ୟ ସରକାର ପାଖାପାଖି ୧ଲକ୍ଷ ୩୨ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗତ ମାର୍ଚ ମାସରେ ଯେଉଁ ମୂଳ ବଜେଟ ପ୍ରସ୍ତୁତ କରିଥିଲେ ସେଥିରେ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଏହା ପୂର୍ବବର୍ଷ ବଜେଟ୍‌ରେ ତୁଳନାରେ ୧୨.୩% ଅଧିକ ଥିଲା।

ତେବେ ଏଥରର ବଜେଟରେ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ଯୋଜନାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଅର୍ଥନୀତି ବିଶେଷଜ୍ଞ। ସେମାନଙ୍କ ମତରେ ରାଜ୍ୟ ଅର୍ଥନୀତି ସମ୍ପୂର୍ଣ୍ଣ ବିଗିଡିନାହିଁ ସତ, ମାତ୍ର ଠିକ୍‌ ଧାରାରେ ନାହିଁ। ଏକଥା ୨୦୧୮-୧୯ ଆର୍ଥିକ ବର୍ଷର ମୂଳ ବଜେଟ୍‌ ଆଗତ ବେଳଠାରୁ ଜଳ ଜଳ ଦିଶୁଛି। ରାଜ୍ୟ ସରକାର ବଳକା ବଜେଟ ନେଇ ଯେତେ ବି ଉତ୍ସାହ ଦେଖାନ୍ତୁ, ରାଜ୍ୟ ଉପରେ ଋଣ ଚାପ କିନ୍ତୁ ବଢି ବଢି ଚାଲିଛି।

ଏମିତି ପରିସ୍ଥିତିରେ ବଜେଟ୍‌ର ବିଶାଳତା, ରାଜ୍ୟ ଅର୍ଥନୀତି ପାଇଁ ବିପଦ ଆଣିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି। କାରଣ, ଏତେ ସମ୍ବଳ ସଂଗ୍ରହ କରିବା ଯେମିତି ଏକ ଚ୍ୟାଲେଞ୍ଜ, ଅର୍ଥ ଖର୍ଚ୍ଚ କରିବା ବି ସେମିତି କାଠିକର ପାଠ। ଗତ ଆର୍ଥିକ ବର୍ଷମାନଙ୍କରେ ଖୋଦ୍‌ ଅର୍ଥ ବିଭାଗ ବିଭାଗମାନଙ୍କୁ ଏ ନେଇ ବାରମ୍ବାର ତାଗିଦ୍‌ କରିଛନ୍ତି। କାରଣ ଅତିରିକ୍ତ ବଜେଟ୍‌ର ଆକାର ଯେତିକି, ପ୍ରାୟ ତା ଠାରୁ ଅଧିକ ଅର୍ଥ ବିଭିନ୍ନ ବିଭାଗ ବର୍ଷ ଶେଷରେ ସରେଣ୍ଡର କରିଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କୁ ବାରମ୍ବାର ସମାଲୋଚନାର ଶିକାର ହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ୧ଲକ୍ଷ ୩୨ ହଜାର କୋଟି ଟଙ୍କା ବିନିଯୋଗ ଏବେ ବିଭାଗ ପାଇଁ ଆହ୍ଵାନରେ ପରିଣତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ମୂଳ ବଜେଟ୍‌ରେ ଉପସ୍ଥାପନ ସମୟରେ ମଧ୍ୟ ଅର୍ଥ ମନ୍ତ୍ରୀ ଋଣ ଉପରେ ନିର୍ଭରଶୀଳତା ନେଇ ଯଥେଷ୍ଟ ସଙ୍କେତ ଦେଇଥିଲେ। ରାଜସ୍ୱ ପ୍ରାପ୍ତି ସଂପର୍କରେ ସୂଚନା ଦେବାକୁ ଯାଇ ଅର୍ଥମନ୍ତ୍ରୀ କହିଥିଲେ, ରାଜ୍ୟର ନିଜସ୍ୱ ଓ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଆଦି ମିଶାଇ ମୋଟ ୧ଲକ୍ଷ ୨୦୦ କୋଟି ଟଙ୍କା ମିଳିବ। ଏଥିରୁ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ବାବଦକୁ ୩୬ ହଜାର ୫୮୬ କୋଟି, ରାଜ୍ୟର ନିଜସ୍ୱ ଟିକସ ୨୮ ହଜାର ୫୫୦ କୋଟି ଟଙ୍କା, ନିଜସ୍ୱ ଅଣ ଟିକସ ବାବଦରେ ୧୦ହଜାର ୩୦୦ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୪ ହଜାର ୭୬୪ କୋଟି ଟଙ୍କା ମିଳିବ।

ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ଗତବର୍ଷ ସରକାର ୨୦୧୭-୧୮ ବର୍ଷରେ ଖୋଲା ବଜାରରୁ ୧୦ ହଜାର ୨୭୩ କୋଟି ଟଙ୍କା ଋଣ ଉଠାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୭୮କୋଟି ଟଙ୍କାର ଋଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏମଧ୍ୟରୁ ଖୋଲା ବଜାରରୁ ପ୍ରାୟ ୧୨ହଜାର ୩୨ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍‌ ବର୍ଷ ଶେଷ ବେଳକୁ ମୋଟ ଋଣ ପରିମାଣ ୯୧ ହଜାର ୯୪୩ କୋଟି ଟଙ୍କା ଛୁଇଁଯିବ। ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍‌ ହେବା ଆବଶ୍ୟକ। ଏହା ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ୨୦.୭୩% ଛୁଇଁପାରେ ବୋଲି ସରକାର ଦର୍ଶାଉଛନ୍ତି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ୪ଲକ୍ଷ ୪୩ ହଜାର କୋଟି ଛୁଇଁପାରେ ବୋଲି ଆକଳନ କରାଯାଇଛି।

ଗତ ଅଗଷ୍ଟ ମାସରେ ସଚିବସ୍ତରୀୟ ବୈଠକରେ ଯେଉଁ ଚିତ୍ର ରଖାଯାଇଛି, ତାକୁ ବିଶ୍ୱାସ ନେଲେ ଜଣାପ଼ଡୁଛି ଯେ ପ୍ରଥମ ତିନିମାସରେ ନିଜସ୍ୱ ଟିକସ ଆଦାୟରେ ୩୩% ବୃଦ୍ଧି ଘଟିଛି। ଖଣି ରୟାଲିଟିରେ ୭୨% ଓ ମୋଟର ଯାନ କ୍ଷେତ୍ରରେ ଏହାର ପରିମାଣ ୪୨% ରହିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ଜୁଲାଇ ସୁଦ୍ଧା ୮୧୬୩ କୋଟି ଆଦାୟ ହେଲାଣି। ଏଣୁ ଅର୍ଥ ଅଭାବ ଘଟିବ ନାହିଁ। କିନ୍ତୁ ଏହି ଧାରା ଯେ ବର୍ଷ ଶେଷ ଯାଏ ଅତୁଟ ରହିବ, ଏକଥା ଏବେଠାରୁ ଆକଳନ କରିବା ମୁସ୍କିଲ।

ଅନ୍ୟପକ୍ଷରେ, ମୂଳ ବଜେଟ୍‌ରେ ଯେତିକି ଅର୍ଥ ବରାଦ ହୋଇଥିଲା, ପ୍ରଥମ ତିନିମାସରେ ଖର୍ଚ୍ଚ ହାର ବଢିଛି। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଭିନ୍ନ ଇଞ୍ଜିନିୟରିଂ ସଂସ୍ଥାକୁ ଏଥର ଅଧିକ ଅର୍ଥ ଦିଆଯାଇଥିଲେ ହେଁ, ସେମାନଙ୍କ ପ୍ରଦର୍ଶନ ଆଶାନୁରୂପକ ହୋଇନାହିଁ। ବର୍ଷା ଏ କ୍ଷେତ୍ରରେ ବାଧକ ବୋଲି କୁହାଯାଉଛି। କିନ୍ତୁ ବାସ୍ତବତା ହେଲା, ସରକାର ବଜେଟ୍‌ ଆକାର ସିନା ବୃଦ୍ଧି କରୁଛନ୍ତି, ସେହି ତୁଳନାରେ କର୍ମଚାରୀ ବଢୁନାହାନ୍ତି। ବିଶେଷକରି ଇଞ୍ଜିନିୟରିଂ ବିଭାଗର ଶୀର୍ଷସ୍ତର ଦିନକୁ ଦିନ ଓଜନିଆ ହେବାରେ ଲାଗିଛି, କିନ୍ତୁ ତୃଣମୂଳସ୍ତରରେ ନିୟମିତ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କ୍ଷେତ୍ରରେ ସେତିକି ଗୁରୁତ୍ୱ ଦିଆଯାଉନାହିଁ।

ଆଗୁଆ ବଜେଟ କାହିଁକି
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ଚିଠା ଅତିରିକ୍ତ ବଜେଟ୍‌ ଆଗତ କରିବେ। ସାଧାରଣତଃ ନଭେମ୍ବର ଓ ଡିସେମ୍ବର ମାସରେ ଅତିରିକ୍ତ ବଜେଟ୍‌ ଆଗତ ହୋଇଥାଏ। ହେଲେ ଏଥର ଏତେ ଆଗୁଆ ଚିଠା ଅତିରିକ୍ତ ବଜେଟ୍‌ର ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।

ମନ୍ତ୍ରୀ କରିଡରର ଖବର ଅନୁସାରେ, ଯେ କୌଣସି ମୁହୂର୍ତରେ କେନ୍ଦ୍ର ସରକାର ନିର୍ବାଚନକୁ ଯାଇପାରନ୍ତି। କେନ୍ଦ୍ର ସହିତ ଓଡ଼ିଶା ନିର୍ବାଚନକୁ ଯିବ। ଥରେ କେନ୍ଦ୍ର ସରକାର ନିର୍ବାଚନକୁ ଗଲେ, ନଭେମ୍ବର ବା ଡିସେମ୍ବରରେ ଚିରାଚରିତ ଭାବେ ଅତିରିକ୍ତ ବଜେଟ୍‌ ଆଗତ କରାଯାଇପାରିବ ନାହିଁ। ଏଣୁ ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ଏଥର ଅତିରିକ୍ତ ବଜେଟ୍‌ ଆଗୁଆ ଆସୁଛି। ଯେଉଁଥିରେ ରାଜ୍ୟ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଅବଶ୍ୟ କିଛି ପଦକ୍ଷେପ ନେଇପାରନ୍ତି।

ଅନ୍ୟପକ୍ଷରେ ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅର୍ଥ ଆବଣ୍ଟନର ଫର୍ମୁଲାକୁ ବିଚାରକୁ ନେଇ ଏଣିକି ଦୁଇଟି ଅତିରିକ୍ତ ବଜେଟ୍‌ ଆଣିବା ଲାଗି ରାଜ୍ୟ ସରକାର ବିଚାର କରୁଛନ୍ତି। ଏଥିପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଅଗଷ୍ଟ-ସେପ୍ଟେମ୍ବରରେ ହେବା ଦରକାର।

ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଇତିମଧ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଦି ଘୋଷଣା କରିସାରିଲେଣି। ଆଶା କର୍ମୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀଙ୍କ ଲାଗି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଲାଗି ମୂଳ ବଜେଟ୍‌ରେ ଅର୍ଥ ବରାଦ ହୋଇନଥିଲା। ଏହାବ୍ୟତୀତ ଅନେକ ବଡ଼ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ଲକ୍ଷ୍ୟ। ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ପ୍ରବର୍ତିତ ଯୋଜନା ପାଇଁ ରାଜ୍ୟ ଅଂଶ ବାବଦରେ ଅଧିକ ଅର୍ଥ ଆବଶ୍ୟକ। ଏଣୁ ଏକ ବଡ଼ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର