ରୋଚକ ସ୍ଥିତିରେ ସୁନ୍ଦରଗଡ଼ ରାଜନୀତି : ଜୁଏଲ ଓରାମଙ୍କୁ ଟକ୍କର ଦେବେ ସୁନୀତା ବିଶ୍ୱାଳ ଏବଂ ଜର୍ଜ ତିର୍କୀ

ସୁନ୍ଦରଗଡ଼ : ଏକଦା କଂଗ୍ରେସ ଓ ବିଜେପିର ଗଡ ଥିବା ସୁନ୍ଦରଗଡ ଲୋକସଭା ଆସନରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ବିଜେପି ଏଠାରେ ସାଂସଦ ଜୁଏଲ୍ ଓରାମଙ୍କୁ ରିପିଟ୍ କରିଛି । ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ଜର୍ଜ ତୀର୍କୀଙ୍କୁ ପ୍ରାର୍ଥୀ କରିଛି । ସେପଟେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ସୁନୀତା ବିଶ୍ୱାଳଙ୍କୁ ଏଥର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତିନି ଦଳର ପ୍ରାର୍ଥୀ ମୈଦାନରେ ଜୋରଦାର ପ୍ରଚାର ଆରମ୍ଭ କରିଦେଲେଣି ।

ରୋଚକ ସ୍ଥିତିରେ ପହଁଚିଛି ସୁନ୍ଦରଗଡ଼ ରାଜନୀତି । ତ୍ରିମୁଖୀ ଲଢ଼େଇ ଆଡକୁ ମୁହାଁଉଛି ବିଜେପି ଓ କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ଲୋକସଭା ଆସନ । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମକୁ ଟକ୍କର ଦେଉଛନ୍ତି ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କି । ବିଜୟର ତିଳକ ପିନ୍ଧିବାକୁ ପ୍ରଚାର ମଇଦାନରେ ଜୋରଦାର କସରତ କରୁଛନ୍ତି ତିନି ଦଳର ପ୍ରାର୍ଥୀ ।

ବିଜେପି ପ୍ରାର୍ଥୀ – ଜୁଏଲ ଓରାମ। ୪ ଥର ଏହି ଆସନରୁ ଜିତିଛନ୍ତି, କେନ୍ଦ୍ରମନ୍ତ୍ରୀ ରହିଛନ୍ତି ଜୁଏଲ, ମୋଦୀଙ୍କ ହାୱା ଯିବ ଜୁଏଲଙ୍କ ସପକ୍ଷରେ, ସୁନ୍ଦରଗଡ଼ରେ ରହିଛି ପକେଟ୍ ଭୋଟ

ବିଜେଡି ପ୍ରାର୍ଥୀ – ସୁନୀତା ବିଶ୍ୱାଳ। ଶଙ୍ଖ ଚିହ୍ନର ପ୍ରଭାବ, ଯୁବ ଓ ମହିଳା ଚେହେରା, ବାପା ହେମାନନ୍ଦ ବିଶ୍ୱାଳଙ୍କ ଲିଗାସୀ, ପ୍ରଜା ଭୂୟାଁ ସଂପ୍ରଦାୟର ସମର୍ଥନ

କଂଗ୍ରେସ ପ୍ରାର୍ଥୀ – ଜର୍ଜ ତିର୍କି। ସୁନ୍ଦରଗଡ଼ର ପ୍ରଭାବଶାଳୀ ଆଦିବାସୀ ନେତା, ପଥରଗାଡ଼ି ଆନ୍ଦୋଳନରୁ ଫାଇଦା, ବୀରମିତ୍ରପୁରରେ ଅଖଣ୍ଡ ପ୍ରଭାବ, କଂଗ୍ରେସର ଚିରାଚରତ ଭୋଟ

ଗତ ନିର୍ବାଚନରେ ପ୍ରବଳ ମୋଦି ହାୱା ସତ୍ୱେ ଓଡ଼ିଶାରେ ଏକମାତ୍ର ଆସନ ସୁନ୍ଦରଗଡ଼କୁ ହାତେଇଥିଲା ବିଜେପି । ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କିଙ୍କୁ ହରାଇ ଜିତିଥିଲେ ଜୁଏଲ ଓରାମ । ତେବେ ମାତ୍ର ୧୯,୦୦୦ ପାଖାପାଖି ଭୋଟରେ ହାରିଥିଲା ବିଜେଡି । ତୃତୀୟ ସ୍ଥାନରେ ଥିଲେ କଂଗ୍ରେସର ହେମାନନ୍ଦ ବିଶ୍ୱାଳ । ଏବେ କିନ୍ତୁ ପରିସ୍ଥିତି ବଦଳିଛି । ସୁନ୍ଦରଗଡ଼ର ଅନ୍ୟତମ ପ୍ରଭାବଶାଳୀ ନେତା ଯୋଗେଶ ସିଂହ କଂଗ୍ରେସ ଛାଡି ବିଜେଡି ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରେ ଲଢ଼ୁଥିବା ବେଳେ ବିଜେଡି ଛାଡି ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି କୁସୁମ ଟେଟେ । ସେପଟେ ଦିଲୀପ ରାୟ ମଧ୍ୟ ବିଜେପି ଛାଡି ଦେଇଛନ୍ତି । ତେଣୁ ଓଲଟପାଲଟ ହୋଇଯାଇଛି ସୁନ୍ଦରଗଡ଼ର ସମୀକରଣ ।

ସମ୍ବନ୍ଧିତ ଖବର