ଝଟକିଲା ‘ବଡ଼ ଜହ୍ନ’

ଭୁବନେଶ୍ୱର : ଚଳିତବର୍ଷର ପ୍ରଥମ ତଥା ଶେଷ ସୁପରମୁନ୍‌(ବଡ଼ ଜହ୍ନ) ଆଜି ଦେଖାଦେଇଛି। ଆଜି ସଂଧ୍ୟାରୁ ଏହି ସୁପରମୁନ୍‌ ଦେଖା ଦେଇଥିଲେ ହେଁ ରାତି ୯ଟା ୩୦ରେ ଏହା ସ୍ୱାଭାବିକ ଠାରୁ ୧୪% ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଇଛି।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ତଥା ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ୍‌ କଲାମ ପ୍ଲାନେଟୋରିୟମର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଚନ୍ଦ୍ର ପୃଥିବୀ ଚାରିପଟେ ୨୯ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ଲକ୍ଷ କିଲୋମିଟର ଦୂରରେ ରହୁଥିବାବେଳେ ସବୁଠାରୁ ଦୂରରେ ୪.୦୬ଲକ୍ଷ କିମି ଦୂରରେ ରହିଥାଏ। ଯେତେବେଳେ ଚନ୍ଦ୍ର ୩.୬୦ କିମି ବା ଏହାଠାରୁ ନିକଟରେ ଥାଏ ସେତେବେଳେ ଏକ ପୂର୍ଣ୍ଣିମା ପଡ଼ିଥାଏ।

ସେହି ପୂର୍ଣ୍ଣିମାର ଚନ୍ଦ୍ରକୁ ସୁପରମୁନ୍‌ କୁହାଯାଏ। ଆଜି ଚନ୍ଦ୍ର ୩.୫୭ଲକ୍ଷ କିମି ଦୂରରେ ଥିବାରୁ ସ୍ୱାଭାବିକ ଠାରୁ ବହୁତ ବଡ଼ ଦେଖାଯାଉଛି।

ଚଳିତବର୍ଷର ଏହା ଏକମାତ୍ର ସୁପରମୁନ୍‌ ଥିଲେ ହେଁ ଆସନ୍ତା ବର୍ଷ ଜାନୁଆରିରେ ଏହି ସୁପରମୁନ୍‌ ଦୁଇଥର ଦେଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସୁପରମୁନ୍‌ ଖାଲି ଆଖିରେ ଦେଖିବାରେ କୌଣସିି ସମସ୍ୟା ନଥିବାରୁ ରାଜଧାନୀର ଅଧିକାଂଶ ଲୋକ ଆଜି ସଂଧ୍ୟାରେ ଛାତ ଉପରେ, ଘର ବାଲକୋନିରେ ଏବଂ ରାସ୍ତାରେ ଛିଡ଼ା ହୋଇ ସୁପରମୁନ୍‌ ଦେଖୁଥିବା ନଜରକୁ ଆସିଥିଲା।

ସମ୍ବନ୍ଧିତ ଖବର