୩୦ରୁ ବଡ଼ ବର୍ଷା,ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଜୁନ୍‌ରେ ୨୪ ଯାଏ ୨୪% କମ୍‌ ବର୍ଷା

ଭୁବ‌ନେଶ୍ବର: ଚାଷୀଙ୍କ ପାଇଁ ଆଶ୍ବସ୍ତି। ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ୪ ଦିନ ଧରି ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ଜୁଲାଇ ୧ ବେଳକୁ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ଉପରେ ବି ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ ୨୮ ତାରିଖ ରାତିଠାରୁ କୋହଲା ପାଗ ଆରମ୍ଭ ହେବ। କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ନୟାଗଡ଼, ଖୋର୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ। ତେବେ ୨୯ ତାରିଖ ରାତିଠାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଯାହାକି ପରବର୍ତୀ ସମୟରେ ବଢ଼ିବ। ଜୁଲାଇ ୩ ତାରିଖ ଯାଏ ଏହି ବର୍ଷା ଲାଗି ରହିବ ବୋଲି କୁହାଯାଇଛି। ଅନ୍ୟପଟେ ଗତ ୨୧ ତାରିଖରେ ମୌସୁମୀ ସ୍ପର୍ଶ କରିବା ପରେ ଉଭାନ୍‌ ହୋଇଯାଇଛି। ବର୍ଷାର ଦେଖା ନାହିଁ। ଜୁନ୍‌ ମାସରେ ଓଡ଼ିଶାରେ ଯେତିକି ବର୍ଷା ହେବା କଥା, ତାହା ହୋଇନାହିଁ। ମୌସୁମୀ ଦୁର୍ବଳ ରହିଥିବାରୁ ଜୁନ୍‌ ୧ରୁ ୨୪ ତାରିଖ ସୁଦ୍ଧା ଓଡ଼ିଶାରେ ୨୪ପ୍ରତିଶତ କମ୍‌ ବର୍ଷା ହୋଇଛି। ଗଜପତି ଜିଲ୍ଲାରେ ୬୪% ଓ ରାୟଗଡ଼ା ଜିଲ୍ଲାରେ ୫୨% କମ୍‌ ବର୍ଷା ହୋଇଛି। ଜୁନ୍‌ ୨୮ ପ‌ରେ ପୁଣିଥରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ମୌସୁମୀ ଛୁଇଁବାର କିଛି ଦିନ ଲାଗି ବର୍ଷା ଛାଡ଼ିଯାଏ। ତେବେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବା ପରେ ବର୍ଷା ପରିମାଣ ବଢ଼େ। ୩୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ୨୯ ତାରିଖ ରାତିଠାରୁ ବର୍ଷାର ପରିମାଣ ବଢ଼ିବ। ଯାହାକି ଜୁଲାଇ ୨ ଅପରାହ୍‌ଣ ଯାଏ ଲାଗି ରହିବ। ୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ଏହାପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଲଘୁଚାପ ଚାଲିଯିବ ବୋଲି ସେ କହିଛନ୍ତି। କିଛି ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ମୌସୁମୀ ବାୟୁରେ ଥିବା ଟ୍ରପ୍‌ଲାଇନ୍‌ ଏବେ ଉତ୍ତର ଆଡ଼କୁ ଯାଇଛି। ଯେଉଁଥିପାଇଁ ବର୍ଷାର ପରିମାଣ କମିଛି। ଟ୍ରପ୍‌ ଲାଇନ୍‌ ସ୍ୱାଭାବିକ ସ୍ଥିତିରେ ରହିଲେ ମୌସୁମୀ ବାୟୁ ଦେଶରେ ସକ୍ରିୟ ହୋଇ ରୁହେ। ଯେହେତୁ ଏହା ଉତ୍ତର ଓ ହିମାଳୟ ପାଖାପାଖି ହୋଇଛି ସେଥିପାଇଁ ବର୍ଷାର ପରିମାଣ କମିଛି। ମୌସୁମୀ ଆସିବାରେ ବିଳମ୍ୱ ହେବାରୁ ଜୁନ୍‌ ମାସରେ ବର୍ଷାର ପରିମାଣ କମିଛି। ତେବେ ଜୁଲାଇ ମାସରେ ବର୍ଷାର ପରିମାଣ ବଢ଼ିପାରେ। ଦେଶର ଅଧାରୁ ଅଧା ଅଞ୍ଚଳକୁ ମୌସୁମୀ ଛୁଇଁଛି। ଏହା ସତ୍ତ୍ୱେ ଦେଶରେ ଆଶାନୁରୂପ ବର୍ଷା ହୋଇନାହିଁ। ଜୁନ ୧ରୁ ୧୯ ମଧ୍ୟରେ ପ୍ରାୟ ୪୪ପ୍ରତିଶତ କମ ବର୍ଷା ହୋଇଥିଲେ ମଧ୍ୟ ଦୀର୍ଘମିଆଦି ହାରାହାରି ନିଅଣ୍ଟ ପରିମାଣ ୩୭ ପ୍ରତିଶତକୁ ହ୍ରାସ ପାଇଛି। ଆସନ୍ତା ୨୯-୩୦ ବେଳକୁ ଓଡ଼ିଶାରେ ପୁଣି ମୌସୁମୀ ସକ୍ରିୟ ହେବାର ଆଶା କରାଯାଉଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ବର୍ଷା ପରିମାଣ ବଢ଼ିବା ଆଶା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ବର୍ଷା ହୋଇନାହିଁ। ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର