ସାନ ଭଉଣୀର ଗୋଡ଼ ସାଜିଛି ବଡ଼ ଭଉଣୀ : ପାଠପଢ଼ି ପରିବାର ପାଇଁ ପାଲଟିବ ଆଶାର କିରଣ

ନବରଙ୍ଗପୁର : ସାନ ଭଉଣୀର ଶିକ୍ଷୟିତ୍ରୀ ହେବା ଇଚ୍ଛାକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବଡ଼ ଭଉଣୀ। ସାନଭଉଣୀ ଶାରୀରିକ ଭିନ୍ନକ୍ଷମ। ଚାଲିବା ପାଇଁ ସକ୍ଷମ ନୁହନ୍ତି ସେ। ଘରେ ପୁଣି ନାହିଁ ନଥିବା ଅଭାବବୋଧ। ଗାଡ଼ିଟିଏ କିଣିବା ପାଇଁ ପରିବାରର ବଳ ବି ନାହିଁ। ଫଳରେ, ବାଧ୍ୟହୋଇ ବଡ଼ଉଉଣୀ ନିଜର ସାନ ଭଉଣୀକୁ କାନ୍ଧରେ ଏକ କିଲୋମିଟର ବୋହିବୋହି କଲେଜ ଆଣୁଛନ୍ତି। ଯିଏ ବି ଏହି ଦୃଶ୍ୟ ଦେଖୁଛନ୍ତି ଦୁଇଭଉଣୀଙ୍କୁ ସାବାସି ନଦେଇ ରହିପାରୁନାହାନ୍ତି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍‌ ତଥା ଛତିଶଗଡ ସୀମାନ୍ତ ସନ୍ତୋଷପୁର ପଞ୍ଚାୟତ ଘୋଢ଼ାଦାନୁଆ ଗ୍ରାମର ଗୀତାରାଣୀ ଗୌଡ ଜନ୍ମରୁ ପୋଲିଓରେ ଆକ୍ରାନ୍ତ। ଚାଲିବାର ଶକ୍ତି ହରାଇ ବସିଛନ୍ତି ସେ। ହେଲେ, ପିଲାଦିନୁ ତାଙ୍କର ପାଠପଢ଼ାରେ ଢେର୍‌ ମନ। ଚଳିତବର୍ଷ ୬୦ ପ୍ରତିଶତ ନମ୍ବର ରଖି ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରିବାରର ଅଭାବବୋଧ ଭିତରେ ଇଏ ଯେମିତି ଏକ ଆଶାର କିରଣ ପାଲଟି ଯାଇଛନ୍ତି।

ଗୀତାରାଣୀଙ୍କ ପରିବାର କହିଲେ ତାଙ୍କ ବାପା ବିଶ୍ୱନାଥ ଗୌଡ ଜଣେ ଗ୍ରାମ ପୋଷ୍ଟମାଷ୍ଟର। ମା’ ଗୃହିଣୀ। ତାଙ୍କ ୪ ଭଉଣୀ ମଧ୍ୟରୁ ବଡ ଭଉଣୀ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ି ବିବାହ କରିଗଲେ। ଏବେ ବି ବାପାଙ୍କ ଉପରେ ୩ ଭଉଣୀଙ୍କ ସହ ପରିବାରର ଆର୍ଥିକ ବୋଝ। ବାପାଙ୍କ ଚାକିରି ନିୟମିତ ହୋଇନାହିଁ। କେବଳ ମାସିକ ୮ ହଜାର ଟଙ୍କା ଦରମା ମିଳୁଛି। ଗୀତାରାଣୀ ଗ୍ରାମରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ସେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ିବା ସମୟରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ତାଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇଥିଲା। ତଥାପି ସେ ଚାଲିବା ପାଇଁ ସକ୍ଷମ ହୋଇପାରି ନଥିଲେ। ଯେତେବେଳେ ଅଷ୍ଟମ ପରେ ଘୋଢ଼ାଦାନୁଆ ଗ୍ରାମ ଠାରୁ ୫ କିମି ଦୂର ତେମରା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଲେ, ପ୍ରତିଦିନ ତାଙ୍କ ସହପାଠୀ ମଂଶିରା ଭତ୍ରାଙ୍କ ସାଇକେଲରେ ୫ କିମି ଦୂର ସ୍କୁଲକୁ ଯିବାଆସିବା କରୁଥିଲେ। ଏତେ କଷ୍ଟ ସତ୍ତ୍ୱେ ପାଠପଢ଼ିବା ପାଇଁ ମନରେ ରହିଥିବା ଝୁଙ୍କ୍‌ କମିନଥିଲା।

ଏବେ ଗୀତାରାଣୀ ନବରଙ୍ଗପୁରସ୍ଥିତ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ଶ୍ରେଣୀରେ ନାମ ଲେଖାଇଛନ୍ତି। ଏପରି ଅବସ୍ଥା ଓ ପାଠପଢ଼ା ପ୍ରତି ଆଗ୍ରହ ଦେଖି କଲେଜ କର୍ତ୍ତୃପକ୍ଷ ତାଙ୍କର ସମସ୍ତ ଫିସ୍‌୍‌ ଛାଡ କରିଛନ୍ତି। ଘୋଡାଦାନୁଆରୁ ନବରଙ୍ଗପୁର ୫୦ କିମି ହୋଇଥିବାରୁ ସେ ନବରଙ୍ଗପୁର ଗାନ୍ଧୀନଗର ଠାରେ ଏକ ଘରଭଡ଼ା ନେଇ ରହୁଛନ୍ତି। ସେ ଚଲାବୁଲା କରିପାରୁ ନଥିବାରୁ ତାଙ୍କୁ ସହାୟତା ପାଇଁ ପାଖରେ ଅଛନ୍ତି ବଡ ଭଉଣୀ ଭୁବନେଶ୍ୱରୀ। ଭୁବନେଶ୍ୱରୀ ପାଖରେ ରହି ସମସ୍ତ କାମରେ ସହାୟତା କରିବା ସହ ତାଙ୍କୁ ଗାନ୍ଧୀନଗର ଠାରୁ ପ୍ରାୟ ୧ କିମି କାନ୍ଧେଇ ବୋହି କଲେଜକୁ ଆଣୁଛନ୍ତି । ବଡ଼ଉଭଉଣୀ ଭୁବନେଶ୍ୱରୀ ବି ଗତ ୫ ବର୍ଷ ପୂର୍ବେ ଦଶମ ଶ୍ରେଣୀ ପାସ କରିଥିଲେ। କିନ୍ତୁ ନିକଟରେ କଲେଜ ନଥିବାରୁ ଏବଂ ଆର୍ଥିକ ସମସ୍ୟା ଯୋଗୁଁ କଲେଜ ବାରଣ୍ଡା ମାଡିପାରି ନଥିଲେ। ସାନ ଭଉଣୀର ପାଠପଢ଼ାର ଇଚ୍ଛାଶକ୍ତି ଦେଖି ଏଥରକ ସେ ବି ଯୁକ୍ତ ୨ରେ ନାମଲେଖା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ମାର୍କ କମ୍‌ ଯୋଗୁଁ ସେ ଯୁକ୍ତ ୨ରେ ସିଟ୍‌ ମିଳିପାରି ନଥିଲା।

ଏବେ ନିଜ କଥା ଛାଡ଼ି ଭଉଣୀ ପାଇଁ ଆଶ୍ରାବାଡ଼ି ପାଲଟିଛନ୍ତି ଭୁବନେଶ୍ୱରୀ। ସାନଭଉଣୀ ଚାଲିବାର ଗୋଡ଼ ପାଲଟିଛନ୍ତି। ସାନଭଉଣୀର ଇଚ୍ଛା ସେ ଶିକ୍ଷକ ହେବ। ସାନଉଉଣୀର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ୱରୀ। ଏଥିପାଇଁ ତାଙ୍କ ମନରେ ତିଳେମାତ୍ର କଷ୍ଟ ନାହିଁ। ସାନ ଭଉଣୀର ଆଖିରେ ଆଖି ମିଳାଇ ସେ ବି ସେହି ସ୍ୱପ୍ନରେ ନିଜକୁ ହଜେଇ ଦେଇଛନ୍ତି। ‘ଭଉଣୀ ଶିକ୍ଷୟିତ୍ରୀ ହେବ। ଘରର ଅଭାବ ଦୂର ହେବ।’ ଆହୁରି, ତାଙ୍କ ନ ପଢ଼ିବାର ଦୁଃଖ ବି ଦୂର ହୋଇଯିବ!!! ସେଇଥିପାଇଁ ସାନଭଉଣୀକୁ କାନ୍ଧରେ ୧ କିଲୋମିଟର ବୋହିବୋହି ଆଣିଲେ ବି ମନରେ ତାଙ୍କର ଟିକିଏ ବି କଷ୍ଟ ନାହିଁ ବୋଲି କୁହନ୍ତି ଭୁବନେଶ୍ୱରୀ!

ସମ୍ବନ୍ଧିତ ଖବର