ବିହାର ସ୍କୁଲ୍‌ ଅଫ୍‌ ଯୋଗ ତରଫରୁ ଓଡ଼ିଶାରେ ଯୋଗ ଉତ୍ସବ

ଭୁବନେଶ୍ୱର : ଶ୍ରୀ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ମୁଙ୍ଗେର୍‌ସ୍ଥିତ ବିଶ୍ୱ ଯୋଗ ପୀଠ-ବିହାର ସ୍କୁଲ୍‌ ଅଫ୍‌ ଯୋଗ ତରଫରୁ ଆସନ୍ତା ୨୦୧୮ ଜାନୁଆରିରୁ ଏପ୍ରିଲ୍‌ ମଧ୍ୟରେ ଓଡ଼ିଶାରେ ଯୋଗ ଉତ୍ସବ ପାଳିତ ହେବ। ୨୦୧୩ ମସିହାରେ ପ୍ରତିଷ୍ଠାନର ୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ୫୦ଟି ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲାବେଳେ ଏବେ ପୁଣିଥରେ ୫୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ଯୋଗ ଶିବିରର ଆୟୋଜନ କରାଯାଉଛି। ଏଥିରେ ବିଶେଷ ଭାବରେ ପ୍ରଶିକ୍ଷିତ ସନ୍ନ୍ୟାସୀମାନଙ୍କ ଦ୍ୱାରା ଆସନ, ପ୍ରାଣାୟମ, ଯୋଗନିଦ୍ରା ଓ ଧ୍ୟାନ ଆଦିର ପ୍ରଶିକ୍ଷଣ ସହିତ ସତସଙ୍ଗର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆଜିର ଚାପଗ୍ରସ୍ତ ମାନବ ଜୀବନରେ ମାନସିକ ଶାନ୍ତି ଓ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏହି ଯୋଗ ପଦ୍ଧତି ସାରା ବିଶ୍ୱରେ ଆଦୃତ ହୋଇଛି।

ଭୁବନେଶ୍ୱରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟର ମୁଖ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଜଣାଇଛନ୍ତି ଯେ ନିଜ ଅଞ୍ଚଳରେ ଏହି ଶିବିର ଆୟୋଜନ କରି ଯୋଗ ପଦ୍ଧତି ଶିକ୍ଷା କରିବାକୁ ଚାହୁଁଥିବା ବ୍ୟକ୍ତି ଓ ଅନୁଷ୍ଠାନମାନେ ଏଥିପାଇଁ ତାଙ୍କ ସହ ଯୋଗାଯୋଗ କରିପାରିବେ। ଅନ୍ୟୂନ ୫୦ ଜଣ ଶିବିରାର୍ଥୀ ଏକାଠି ହୋଇପାରିଲେ ଏହି ଶିବିର ଆୟୋଜନ କରାଯାଇପାରିବ। ଆବଶ୍ୟକତା ଅନୁସାରେ ଦିନିକିଆ ବା ତିନିଦିନିଆ ଶିବିର ଆୟୋଜିତ ହେବ ଏବଂ ଏଥିପାଇଁ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ତରଫରୁ ପଠାଯାଇଥିବା ପ୍ରଶିକ୍ଷକମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଓଡ଼ିଶାର ଯେକୌଣସି ସ୍ଥାନରେ ଜାନୁଆରିଠାରୁ ଏପ୍ରିଲ୍‌ ମାସ ମଧ୍ୟରେ ଏଭଳି ଶିବିର ଆୟୋଜନ କରିବା ପାଇଁ ଯେକୌଣସି ଶିକ୍ଷାନୁଷ୍ଠାନ, କର୍ପୋରେଟ୍‌ ହାଉସ୍‌, ବ୍ୟକ୍ତି ବା ସଂଗଠନ ଭୁବନେଶ୍ୱରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟକୁ ଆସନ୍ତା ନଭେମ୍ବର ୧୫ ତାରିଖ ମଧ୍ୟରେ ୦୬୭୪-୨୫୪୨୪୭୮, ୯୪୩୭୧୬୯୭୦୭ ବା ୯୪୩୮୧୮୧୨୧୭ ନମ୍ବରରେ ଯୋଗାଯୋଗ କରିପାରିବେ। ଇମେଲ୍‌ ପାଇଁ [email protected]ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ।

ସମ୍ବନ୍ଧିତ ଖବର