ଛତିଶଗଡ଼ ପାଇଁ ମିତ୍ରତା, ଓଡ଼ିଶା ପାଇଁ ଶତ୍ରୁତା

ଓଡ଼ିଶା ବିରୋଧରେ ବଡ଼ ଷଡ଼୍‌ଯନ୍ତ୍ର ପ୍ରମାଣିତ

ରାଜ୍ୟବାସୀଙ୍କ ସ୍ୱାଭିମାନ ଉପରେ ଆଘାତ: ବିଜୟ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ମନେ ହେଉଛି, ତାହାକୁ କେନ୍ଦ୍ର ସରକାର ନୁହେଁ ଛତିଶଗଡ଼ ହିଁ ଲେଖିଛି। ପ୍ରତି ପାରାରେ ସେହି ରାଜ୍ୟକୁ ପ୍ରଶଂସା କରାଯାଇଛି ଓ ଓଡ଼ିଶାକୁ ନିନ୍ଦା ମିଳିଛି। ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ଛଡ଼ା ଆଉ କିଛି ହୋଇନପାରେ। ଉଭୟ ଛତିଶଗଡ଼ ଓ ଜଳସଂପଦ ମନ୍ତ୍ରାଳୟ ହାତ ମିଳାଇ ଓଡ଼ିଶାବାସୀଙ୍କ ବିରୋଧରେ ଏଭଳି ଚକ୍ରାନ୍ତ କରିଥାଇପାରନ୍ତି।

ବିଜେପି ନେତା ବିଜୟ ମହାପାତ୍ର ଆଜି ଏମିତି ଢଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଚେତାବନୀ ଦେଇଛନ୍ତି, ମହାନଦୀ ସ୍ୱାର୍ଥ ବିରୋଧରେ କେହିି ବି ସାମାନ୍ୟ ପଦକ୍ଷେପ ନେଲେ, ଓଡ଼ିଶାବାସୀ ତାର ଠିକଣା ଜବାବ ଦେବେ। କେବଳ ସେତିକି ନୁହେଁ, ମହାନଦୀ ମହାବିବାଦ ସମାଧାନ ଲାଗି ଯେହେତୁ ଟ୍ରିବ୍ୟୁନାଲ ହିଁ ଏକମାତ୍ର ବିକଳ୍ପ, ଏଣୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର। ସମାନ୍ତରାଳ ଭାବେ ନିଷ୍ଠାର ସହିତ ଆଉ ସବୁ କଥାକୁ ପଛରେ ପକାଇ ଏହି ମାମଲାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଗୁରୁତ୍ଵ ଦେଇ ଲଢିବା ଦରକାର।

ଆଜି ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ମହାନଦୀ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଓଡ଼ିଶାର ସ୍ୱାଭିମାନ ଉପରେ ପ୍ରଚଣ୍ଡ ଆଘାତ। ଏହା ପ୍ରମାଣିତ କରୁଛି, କେନ୍ଦ୍ର ସରକାର ଛତିଶଗଡ଼ ସହିତ ମିତ୍ରତାର ବନ୍ଧନରେ ଆବଦ୍ଧ ଓ ଓଡ଼ିଶା ପାଇଁ ଶତ୍ରୁତା ଆଚରଣ କରୁଛନ୍ତି। କାରଣ ଗତ ଦୁଇ ବର୍ଷ ଧରି ରାଜ୍ୟର ମହାନଦୀ ସହିତ ଯୋଡ଼ି ହୋଇଥିବା ଭାବାବେଗକୁ ନେଇ ଅନେକ ମତ ରଖିଛନ୍ତି। ମାତ୍ର କେନ୍ଦ୍ର ସରକାର ସେସବୁକୁ ପଛକୁ ଠେଲି ଦେଇ ଏକପାଖିଆ ଭାବେ ଛତିଶଗଡ଼କୁ ସୁହାଇଲା ଭଳି ସତ୍ୟପାଠ କରିଛନ୍ତି।

ଆଜି ରାଜ୍ୟ ସରକାର ତଥ୍ୟ ଦେଇ ନାହିଁ ବୋଲି ଅଭିଯୋଗ ଆଣୁଥିବା ବେଳେ ୨୦୧୬ ସେପ୍‌ଟେମ୍ବର ୧୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସତ୍ୟପାଠରେ ଥିବା ପ୍ରଶ୍ନ ସବୁ ଉଠାଇଲେନି କାହିଁକି? ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବଙ୍କ ବୈଠକରେ ବି ଏସବୁ କଥା କହିଲେନି? ୨୦୧୬ ନଭେମ୍ବର ୧୯ ତାରିଖରେ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ପାଇଁ ସମସ୍ତ ଯୁକ୍ତି ସହିତ ଦାବି ଉଠାଗଲା ପରେ କେନ୍ଦ୍ର ସରକାର କାହିଁକି ଚୁପ୍‌ ହୋଇ ବସିଥିଲେ? ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଣ ଅପରାଧ?୨୦୧୭ ଜୁଲାଇ ୩୧ ତାରିଖରେ ତତ୍କାଳୀନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସଂଜୀବ କୁମାର ବାଲ୍ୟାନ୍‌ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ ଟ୍ରିବ୍ୟୁନାଲ ଗଠନ ସଂପର୍କରେ ନିଷ୍ପତ୍ତି ହୋଇଥିବା କଥା କହିଥିଲେ। କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ ହୋଇଛି ବୋଲି ଜଣାଇଥିଲେ। ହେଲେ ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ବିପରୀତ ସତ୍ୟପାଠ ହେଲା କେମିତି? ମନ୍ତ୍ରୀଙ୍କୁ ବିଭାଗ କାଠଗଡାରେ ଠିଆ କରିଦେଲା। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ବିବୃତି ଓ ସୁପ୍ରିମକୋର୍ଟର ସତ୍ୟପାଠ ସୂଚାଇ ଦେଉଛି ଯେ କେନ୍ଦ୍ର ଦୋମୁହାଁ ନୀତି ଅବଲମ୍ବନ କରୁଛି ଓ ଛତିଶଗଡ଼ ସରକାରଙ୍କୁ ନିଃସର୍ତ୍ତ ସମର୍ଥନ ଯୋଗାଇ ଦିଆଯାଉଛି।

ମହାନଦୀରେ ଆଜି ଡିସେମ୍ବର ମାସରେ ମହାନଦୀରେ ଟୋପାଟିଏ ବି ପାଣି ନାହିଁ ବୋଲି ସୂଚାଇ ଶ୍ରୀ ମହାପାତ୍ର କହିଥିଲେ, ଯୋବ୍ରା ବ୍ୟାରେଜରୁ ମହାନଦୀ ଓ ତା’ର ଶାଖା ନଦୀମାନଙ୍କ ପାଇଁ ୪ ହଜାର କ୍ୟୁସେକ୍‌ ପାଣି ଯାଉଛି। ଏହି ସମୟରେ ପୂର୍ବ ବର୍ଷଗୁଡ଼ିକରେ ୧୦ ହଜାର କ୍ୟୁସେକ୍‌ ପାଣି ଯାଉଥିଲା। ମହାନଦୀର ଛତିଶଗଡ଼ ରାଜ୍ୟରେ ଥିବା ଅବବାହିକାରୁ ୨୭.୪୮ ମିଲିୟନ୍‌ ଏକର ଫୁଟ୍‌ ପାଣି ନିଜ ରାଜ୍ୟରେ ବ୍ୟବହାର କରିବା ପାଇଁ ପ୍ରକଳ୍ପ ରିପୋର୍ଟରେ ଅଛି ନା ନାହିଁ? ନଦୀ ସଂଯେୀଗକରଣ ଯୋଜନା ରଖି ଛତିଶଗଡ଼ ଏମିତି ଏକ ରିପୋର୍ଟ ପ୍ରସ୍ତୁତ କରିନାହାନ୍ତି? ଆଜି ଦିନରେ ୪୧ ପ୍ରତିଶତ ଜଳ ପ୍ରବାହ ହୀରାକୁଦକୁ କମିଯାଇଛି। ଏମିତିରେ ବି ୨୦ ପ୍ରତିଶତ ପଟୁ ଅଛି। ଏହା ସତ ନା ମିଛ। ଏହାଦ୍ୱାରା ହୀରାକୁଦର ସ୍ଥିତି ବିପନ୍ନ ହେବ ନା ନାହିଁ?

ଶ୍ରୀ ମହାପାତ୍ର କହିଥିଲେ, କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟ ଓଡ଼ିଶାର ଉଚ୍ଚପଦସ୍ଥ ଅଫିସରମାନଙ୍କ ସଂପର୍କରେ କଟୁକ୍ତି ପ୍ରକାଶ କରି ଲିଖିତ ମନ୍ତବ୍ୟ ରଖିବା ଶାଳୀନତା ବିରୋଧୀ। ଏହି ସତ୍ୟପାଠରେ ଓଡ଼ିଶା ସରକାରଙ୍କ ଠାରୁ ଜରିମାନା ଆଦାୟ କରିବା ଟିପ୍‌ପଣୀ କେନ୍ଦ୍ର ସରକାରଙ୍କ ପକ୍ଷପାତିତା ଆଚରଣର ଏକ ନମୂନା ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର