ବେଦାନ୍ତ ଛାଡ଼ିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ବେଦାନ୍ତରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ଗତ ଅଢ଼େଇ ବର୍ଷ ହେଲା ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫା ଚର୍ଚ୍ଚାର ବିଷୟ ହୋଇଛି। ଏହା ସହ ଆରମ୍ଭରୁ ଜମି ବିବାଦ ମଧ୍ୟରେ ଫସିଥିବା ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ଭବିଷ୍ୟତ ନେଇ ପୁଣି ଆଶଙ୍କା ଦେଖାଦେଇଛି।

ଇସ୍ତଫାକୁ ଶ୍ରୀ ପଟ୍ଟନାୟକ ସ୍ୱୀକାର କରିବା ସହ ଦୁଇ ମାସ ନୋଟିସ୍‌ ପିରିଅଡ୍‌ରେ ଥିବା କହିଛନ୍ତି। ଗଣମାଧ୍ୟମକୁ ସେ ଦେଇଥିବା ମନ୍ତବ୍ୟ ଅନୁଯାୟୀ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେ ସାଧ୍ୟମତେ ଉଦ୍ୟମ କରିଥିବା ସତ୍ତ୍ୱେ କମ୍ପାନି ପକ୍ଷରୁ ସେତେଟା ଆଗ୍ରହ ପ୍ରକାଶ କରାଗଲା ନାହିଁ। ସେଥି ପାଇଁ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲାନି ବୋଲି ଶ୍ରୀ ପଟ୍ଟନାୟକ ଇସ୍ତଫା ଦେଲେ ନା ଏହା ପଛରେ ଆଉ କିଛି କାରଣ ଅଛି, ତାହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ଶ୍ରୀ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ କରାଗଲା। ପରେ ପରେ ତାଙ୍କୁ ମାନବାଧିକାର କମିସନ୍‌ଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା। ସେ ୨୦୧୫ ଏପ୍ରିଲ୍‌ରେ ସେଠାରୁ ଇସ୍ତଫା ଦେଇଥିଲେ। ରାଜନୀତିରେ ଯୋଗ ଦେବେ ବୋଲି ସରକାରୀ ପଦବିରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ସେ ସମସ୍ତଙ୍କୁ ଚକିତ କରି ବେଦାନ୍ତରେ ଯୋଗ ଦେଇଥିଲେ। ପୁଣି ବେଦାନ୍ତ ବିଶ୍ୱବିଦ୍ୟାଳୟ ପରି ଏକ ବିବାଦୀୟ ପ୍ରକଳ୍ପର ମୁଖ୍ୟ ଭାବେ ଦାୟିତ୍ୱ ବି ନେଲେ। ତେଣୁ ଏବେ ଶ୍ରୀ ପଟ୍ଟନାୟକ ଆଉ କୌଣସି ଘରୋଇ ସଂସ୍ଥାରେ ଯୋଗ ଦେବେ ନା ରାଜନୀତି ପ୍ରତି ମନ ବଳାଇଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ। ସେ ମଧ୍ୟ ଏ ନେଇ କୌଣସି ଇସାରା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର