ନବୀନଙ୍କ ବିଜେପୁର ମନ : ଗୋଟିଏ ଗୁଳିରେ ଦୁଇ ଶିକାର!

ବରଗଡ଼ : ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ବରଗଡ଼ର ୫ଟି ବିଧାନସଭା ଏବଂ ‌ଗୋଟିଏ ଲୋକସଭା ପ୍ରାର୍ଥୀ ନାମ ଘୋଷଣା ହୋଇଛି। ଏଥିରୁ ଦୁଇଟି ଘୋଷଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚକିତ କରି ଦେଇଛନ୍ତି। ଖୋଦ୍‌ ବିଜେପୁର ଆସନରୁ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନସ୍ଥ କରିବା ରାଜ୍ୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଘଟଣା। ନିଜ ମୁଖ୍ୟମନ୍ତ୍ରୀ କାଳରେ ଶ୍ରୀ ପଟ୍ଟନାୟକ ଏକମାତ୍ର ଆସନ ହିଞ୍ଜିଳିକାଟୁରୁ ପ୍ରତିଦ୍ବନ୍ଦ୍ବିତା କରି ସହଜ ବିଜୟ ପାଇ ଆସୁଥିଲେ। ଏଥର କ’ଣ ପାଇଁ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାମୁହାଁ ହେବା ସହ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ, ତାହା ପରବର୍ତୀ ରାଜନୈତିକ ପାଣିପାଗ ବୟାନ କରିବ।

ଅନ୍ୟପକ୍ଷରେ ବରଗଡ଼ର ସମସ୍ତ ବିଧାନସଭା ଆସନରେ ପୁରୁଣା ଚିହ୍ନା ମୁହଁ ହିଁ ଦେଖିବାକୁ ମିଳିଛି। ତେବେ ଲୋକସଭା ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକଟ୍‌ ଦେବା ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଅଧ୍ୟାୟ। ଲୋକସଭା ଆସନ ରେସ୍‌ରେ ଡ. ପ୍ରଭାସ ସିଂ, କିଶୋର ମହାନ୍ତି ଏପରିକି ଦିଲିପ ରାଏ ଏବଂ ଅନୁପ ସାଏଙ୍କ ନାମ ବି ଶୁଣାଯାଉଥିଲା। ରାଜ୍ୟସଭା ସାଂସଦ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକସଭା ଟିକଟ୍‌ ଦେଇ ମୁଖ୍ୟମନ୍ତ୍ରୀ ସବୁ ଚର୍ଚ୍ଚାରେ ବିରାମ ଦେଇଛନ୍ତି। ତେବେ ବିଜେପୁରରେ ମୁଖ୍ୟମନ୍ତ୍ରୀ ନିଜେ ଲଢ଼ିବା ନିଷ୍ପତ୍ତି ନେବା ଗୋଟିଏ ଗୁଳିରେ ଦୁଇ ଶିକାର କରିଛନ୍ତି ବୋଲି ଚର୍ଚ୍ଚା। ବିଜେପୁରରେ ରୀତାଙ୍କୁ ପୁନର୍ବାର ଟିକଟ୍‌ ମିଳିବା ଆଶା କ୍ଷୀଣ ଥିବା ରାଜନୀତି ପାଣିପାଗରୁ ଜଣାପଡ଼ୁଥିଲା। ତେଣୁ ତାଙ୍କ ଟିକଟ୍‌ ହାତେଇବା ପାଇଁ ଦଳର ତୁଙ୍ଗନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା। ରୀତାଙ୍କୁ ଟିକଟ୍‌ ମିଳିଥିଲେ ବିଦ୍ରୋହର ଆଶଂକ ଥିଲା। ଯଦ୍ବାରା ବିଜେପୁର ସମେତ ଜିଲ୍ଲାର ଅନ୍ୟ ଆସନ ମଧ୍ୟ ପ୍ରଭାବିତ ହୋଇଥାନ୍ତା। ବିଦ୍ରୋହୀଙ୍କୁ ଦମନ ଏବଂ ପଶ୍ଚିମ ଓଡ଼ିଶାରେ ବିରୋଧୀ ଦଳଗୁଡ଼ିକୁ େରାକିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ବିଜେପୁର ନିର୍ବାଚନମଣ୍ଡଳୀରେ ବାହାର ପ୍ରାର୍ଥୀଙ୍କୁ ଅଗ୍ରାହ୍ୟ କରିବା ପରମ୍ପରା ରହିଛି। ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତାଦିତ୍ୟ ମିଶ୍ର (ବରଗଡ଼)ଙ୍କୁ ସୁବଳ ସାହୁ ୯ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ। ୨୦୧୪ରେ ପ୍ରସନ୍ନ ଆଚାର୍ଯ୍ୟ (ବରଗଡ଼) ଅଳ୍ପ ଭୋଟ୍‌ରେ ପରାସ୍ତ ହୋଇଥିଲେ। ଗତ ଉପନିର୍ବଚନ ବେଳେ ବିଜେପିର ଅଶୋକ ପାଣିଗ୍ରାହୀ ମଧ୍ୟ ପରାଜୟ ଭୋଗିଥିଲେ। ଅଶୋକ ଛାତ୍ରଜୀବନରୁ ବରପାଲିରେ ଅବସ୍ଥାନ କରୁଥିଲେ ହେଁ ତାଙ୍କୁ ବାହାରିଆ ଲୋକ ବୋଲି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହୁଏ। ଏହି ଧାରା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରରେ ଅବତୀର୍ଣ୍ଣ ପରେ ଭାଙ୍ଗିବ େବାଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି।

ସମ୍ବନ୍ଧିତ ଖବର