ପୁଣି ଚର୍ଚ୍ଚାରେ ବିଜେପୁର

ଭୁବନେଶ୍ୱର : ପ୍ରଥମେ ଦଳବଦଳ ଓ ମିଶ୍ରଣକୁ ନେଇ ଚର୍ଚ୍ଚାରେ ରହିଲା ବିଜେପୁର। ତା’ପରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍‌ ଘୋଷଣା ଓ ସ୍ଥାନୀୟ ସମସ୍ୟା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାଧିକ ଚିଠି ବିଜେପୁରକୁ ଚର୍ଚ୍ଚାରେ ରଖିଲା। କିଛି ଦିନ ନିରବତା ପରେ ଏବେ ପୁଣି ଆଲୋଚନାର ଶିରୋନାମା ପାଲଟିଛି ବିଜେପୁର। ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ବିବାଦୀୟ ମନ୍ତବ୍ୟ ଦେଇ ଆଲୋଚନାକୁ ଖୋରାକ ଯୋଗାଇଛନ୍ତି। ଏଠାରେ ଉପନିର୍ବାଚନ ବିଳମ୍ବ ପାଇଁ ସେ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି। ବିଜେପି ଏହାର ଜବାବ ଦେଇଥିଲେ ବି ପ୍ରସଙ୍ଗଟି ବେଶ୍‌ ଚର୍ଚ୍ଚିତ ହୋଇଛି।

ଅଗଷ୍ଟ ୨୨ ତାରିଖରେ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ଆସନଟି ଖାଲି ପଡ଼ିଛି। ନିୟମ ଅନୁଯାୟୀ ୬ ମାସ ଭିତରେ ନିର୍ବାଚନ ହେବା କଥା। ଏହା ମଧ୍ୟରେ ତିନି ମାସ ବିତିଗଲାଣି। ପ୍ରଥମେ ହାଇକୋର୍ଟରେ ମାମଲା ଥିବାରୁ ନିର୍ବାଚନ କମିସନ୍‌ ନିଷ୍ପତ୍ତି ନେଇପାରି ନ ଥିଲେ। ତେବେ ଅକ୍ଟୋବର ୧୬ ତାରିଖରେ ମାମଲା ଆଗକୁ ନ ନେବା ପାଇଁ ହାଇକୋର୍ଟ ରାୟ ଶୁଣାଇଦେଇଥିଲେ। ରଜ୍ୟା ମୁଖ୍ୟ ନିର୍ବାଚନ ଅଧିକାରୀ କୋର୍ଟଙ୍କ ରାୟର ନକଲକୁ ମୁଖ୍ୟ ନିର୍ବାଚନ କମିସନ୍‌ଙ୍କ ନିକଟକୁ ପଠାଇଥିଲେ। ଏହା ପରେ ଯେ କୌଣସି ମୂହୁର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ଦେଖାଯାଇଥିଲା।

ହାଇକୋର୍ଟଙ୍କ ରାୟ ଆସିବାର ଏକ ମାସ ବିତିଯାଇଥିଲେ ବି ତାରିଖ ଘୋଷଣା ହୋଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିିୟା ବି ସରି ନାହିଁ। କିନ୍ତୁ ଏପଟେ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।

ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ଗଣମାଧ୍ୟମକୁ କହିଥିଲେ, ଲୋକ କହୁଛନ୍ତି ଯେ ବିଜେପି ଚାପରେ ନିର୍ବାଚନ କମିସନ୍‌ ବିଜେପୁର ଉପ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ କରୁଛନ୍ତି। କାରଣ ବିଜେପି ଜାଣିଛି ବିଜେପୁରରେ ଦଳ ତିନି ନମ୍ବର ସ୍ଥାନରେ ରହିବ। କଂଗ୍ରେସରୁ ପ୍ରଣୟ ସାହୁ ପ୍ରାର୍ଥୀ ହେଲେ ବିଜେପି ତିନି ନମ୍ବର ସ୍ଥାନକୁ ଯିବ। ଏଥିରେ ବିଜେଡିକୁ ଫାଇଦା ମିଳିବ। ନିଜ ସ୍ଥିତି ଦୁର୍ବଳ ଥିବା ଜାଣି ବିିଜେପି ବର୍ତ୍ତମାନ ନିର୍ବାଚନ ସପକ୍ଷରେ ନାହିଁ। ତେବେ ନିର୍ବାଚନ ଯେତେବେଳେ ହେଲେ ବି ବିଜେଡି ଏଠାରେ ଜିତିବ ବୋଲି ଶ୍ରୀ ସିଂହ ଜୋର୍‌ ଦେଇଛନ୍ତି।

କିନ୍ତୁ ମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଶ୍ରମ ମନ୍ତ୍ରୀ ଅବାନ୍ତର କଥା କହୁଛନ୍ତି। ନିର୍ବାଚନ କମିସନ ଏକ ନିରପେକ୍ଷ ସଂସ୍ଥା। ନିରପେକ୍ଷତା ଅଛି ବୋଲି ଶ୍ରୀ ସିଂହ ଜିତି ଆଜି ମନ୍ତ୍ରୀ ହୋଇଛନ୍ତି। ବାସ୍ତବରେ ତାଙ୍କୁ ହାରିବାର ଭୟ ଗ୍ରାସୁଛି। ତେଣୁ ଏମିତି ବିବୃତି ଦେଉଛନ୍ତି। ସେ ବିଜେପୁର ଯାଇନାହାନ୍ତି। ଭୁବନେଶ୍ୱରରେ ବସି ବାହାସ୍ଫୋଟ ମାରୁଛନ୍ତି। ବିଜେପୁରରେ ବିଜେପି ହିଁ ଜିତିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଅପର ପକ୍ଷରେ ବିଜେଡି-ବିଜେପି କଳି ଠାରୁ ଦୂରରେ ରହି ଗଣମାଧ୍ୟମରେ ବିଜେପୁର ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ବିଜେପୁର ପାଇଁ କଂଗ୍ରେସର ପ୍ରାର୍ଥୀ କିଏ ହେବ, ନିଷ୍ପତ୍ତି ହୋଇ ନାହିଁ। କିନ୍ତୁ କଂଗ୍ରେସ ଲଢ଼ିବ ଓ ଜିତିବ। ଆମେ ଦ୍ୱିତୀୟ ନୁହେଁ, ପ୍ରଥମ ସ୍ଥାନରେ ରହିପାରୁ। ବିଜେଡି-ବିଜେପି କଳିରେ କଂଗ୍ରେସ ପଶିବାକୁ ଚାହୁଁନି। ତେବେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର