ବିଜେପୁର ଉପନିର୍ବାଚନ ବିଗୁଲ୍‌ ବାଜିଲା : ସେପ୍ଟେମ୍ବର ୨୩ରେ ବିଜ୍ଞପ୍ତି ଓ ପ୍ରାର୍ଥିପତ୍ର ଦାଖଲ, ଅକ୍ଟୋବର ୨୧ରେ ଭୋଟ୍‌, ୨୪ରେ ଗଣତି

ପ୍ରଥମ ଥର ବ୍ୟବହାର ହେବ ଏମ୍‌୩ ଇଭିଏମ୍‌, ବରଗଡ଼ ଜିଲ୍ଲାରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଭାରତର ନିର୍ବାଚନ କମିସନ୍‌ ଏ ନେଇ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଅକ୍ଟୋବର ୨୧ ତାରିଖ ସୋମବାର ଦିନ ବିଜେପୁରରେ ମତଦାନ ହେବ ଏବଂ ୨୪ରେ ଗଣତି ‌‌ହୋଇ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୩ ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସେହିଦିନଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ‌ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ରହିଛି ସେପ୍ଟେମ୍ବର ୩୦। ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ପତ୍ର ଯାଞ୍ଚ ଓ ୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଅକ୍ଟୋବର ୨୧ ତାରିଖରେ ଭୋଟ୍‌ ଗ୍ରହଣ ହେବା ସହ ୨୪ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଅକ୍ଟୋବର ୨୭ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଏହି ଉପନିର୍ବାଚନରେ ୧୮୫ଟି ବୁଥ୍‌ରେ ୨,୩୨,୦୦୫ ଭୋଟର୍‌ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧,୧୯,୯୧୬ ଜଣ ପୁରୁଷ ଭୋଟର୍‌, ୧,୧୨,୦୭୪ ଜଣ ମହିଳା ଭୋଟର୍‌ ଓ ୧୫ ଜଣ ତୃତୀୟ ଲିଙ୍ଗ ଭୋଟର୍‌ ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଦେଶରେ ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଏମ୍‌୩ ଇଭିଏମ୍‌ ବ୍ୟବହାର କରାଯିବ। ଇଭିଏମ୍‌କୁ ଟାମ୍ପରିଂ ମୁକ୍ତ କରିବାକୁ ନିର୍ବାଚନ କମିସନ୍ ଏହି ମେସିନ୍‌କୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨୦୧୯ ନିର୍ବାଚନରେ ଏମ୍‌୨ ଇଭିଏମ୍‌ ବ୍ୟବହାର ହୋଇଥିଲା। ଏମ୍‌୨ ଇଭିଏମ୍‌ ଠାରୁ ଏମ୍‌୩ ଇଭିଏମ୍‌ରେ ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏଥିରେ ଭିଭିପାଟ୍‌ ଓ ଇଭିଏମ୍‌ ମିଶିଛି। ଏହି ମେସିନ୍‌କୁ ଅବୈଧ ଉପାୟରେ ଅଦଳବଦଳ କରିବାକୁ ଉଦ୍ୟମ କରାଗଲେ ଏଥିରେ ସଂଲଗ୍ନ ଥିବା ପରଦାରେ ସବୁ କିଛି ପ୍ରଦର୍ଶନ ହେବ। ଏଥିରେ ୨୪ଟି ବାଇଟ୍‌ ୟୁନିଟ୍‌ ଲାଗିବା ସହ ୩୮୪ ପ୍ରାର୍ଥୀଙ୍କ ନାଁ ରହିବ। ଏମ୍‌୩ ମେସିନ୍ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ ଦ୍ବାରା ପ୍ରସ୍ତୁତ କରାଯାଇଛି। ଯଦି କୌଣସି ସିଷ୍ଟମ୍ କିମ୍ବା ସଫ୍ଟୱେର୍ ସମସ୍ୟା ମେସିନ୍‌ରେ ଦେଖାଦିଏ, ତାହା ମଧ୍ୟ ଇଭିଏମ୍‌ର ଡିସ୍‌ପ୍ଲେରେ ଦେଖାଯିବ। ଏହା ବାଦ୍ ମେସିନ୍‌ରେ କେଉଁଠି ତ୍ରୁଟି ଅଛି ତାହା ମନକୁ ମନ ଚିହ୍ନଟ କରିପାରିବ।

ସମ୍ବନ୍ଧିତ ଖବର