ବିଜେପୁର ଉପନିର୍ବାଚନ : ୨୮୫ ବୁଥ୍‌ରେ ମତଦାନ କରିବେ ୨ ଲକ୍ଷ ୩୨ ହଜାର, ୧୩୫ ବୁଥ୍‌ ସମ୍ବେଦନଶୀଳ

ବରଗଡ଼ : ଉପନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ପଦ୍ମପୁର ଆର୍‌ଏମ୍‌ସିଠାରୁ ପୁଲିଂ ଦଳଗୁଡ଼ିକ ଇଭିଏମ୍‌ ଏବଂ ଅନ୍ୟ ସାମଗ୍ରୀ ନେଇ କଡ଼ା ସୁରକ୍ଷା ଭିତରେ ନିଜନିଜ ବୁଥ୍‌କୁ ଯାତ୍ରା କରିଛନ୍ତି। ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି।

ବିଜେପୁର ଉପନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨୮୫ଟି ବୁଥ୍‌ରେ ମତଦାନ ହେବ। ୨୦୫ଟି ସ୍ଥାନରେ ଗୋଟିଏ ଏବଂ ୩୮ଟି ସ୍ଥାନରେ ଏକାଧିକ ମତଦାନ କେନ୍ଦ୍ର ବ୍ୟବସ୍ଥା ରହିଛି। ଏଥିରୁ ୬ଟି ବୁଥ୍‌ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ଉପନିର୍ବାଚନରେ ମୋଟ୍‌ ୨,୩୨,୦୫୫ ଭୋଟ୍‌ର ମତଦାନରେ ଭାଗ ନେବେ। ଏଥିରୁ ୧,୧୯,୯୩୯ ପୁରୁଷ, ୧,୧୨,୧୦୧ ମହିଳା ଏବଂ ୧୫ଜଣ ତୃତୀୟ ଲିଂଗୀ ଭୋଟର୍‌ ଅଛନ୍ତି। ଚିହ୍ନଟ ‌ହୋଇଥିବା ୨୭୫୦ଜଣ ଦିବ୍ୟାଂଗ ଭୋଟର୍‌ ପାଇଁ ୨୮୫ଟି ହ୍ବିଲ୍‌ ଚେୟାର ରହିବ। ପ୍ରତି ଦିବ୍ୟାଂଗଙ୍କୁ ୨ଜଣ ଲେଖାଏଁ ସ୍ବେଚ୍ଛାସେବୀ ମତଦାନ ବେଳେ ସହଯୋଗ କରିବେ। ଘରୁ ଦିବ୍ୟାଂଗମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ମୋଟ୍‌ ୨୩୨୧ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ୧୪୮ଟି ଡମି ବ୍ରେଲି ବାଲାଟ୍‌ ପେପର୍‌ ରହିବ। ୨୮ଟି ବୁଥ୍‌ରେ ୱେବ୍‌କାଷ୍ଟିଂ, ୧୪ଟିରେ ସିସିଟିଭି, ୧୬ଟିରେ ଭିଡିଓଗ୍ରାଫି କରାଯିବ। ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର୍‌, ୪ଜଣ ପୁଲିଂ ଅଧିକାରୀ ଏବଂ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର