ଆଜି ବିଜେପୁର ଫଳାଫଳ

ପଦ୍ମପୁରରେ ନେତାକର୍ମୀଙ୍କ ଡେରା, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୧ ରାଉଣ୍ଡ ଗଣତି, ଫଳାଫଳ ଉପରେ ତିନି ଦଳର ଆଖି

ବରଗଡ଼ : ରାତି ପାହିଲେ ବିଜେପୁରକୁ ନେଇ ଦୀର୍ଘ ୫ ମାସ ଧରି ଚାଲିଥିବା ହାଇ ଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିବ। ଗତ ଜୁଲାଇ ୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଥିଲା। ବୁଧବାର ଅପରାହ୍ନରେ ବିଜେପୁର ଆସନ କାହା ଭାଗ୍ୟରେ ପଡ଼ିଲା, ତାହା ବିଧିବଦ୍ଧ ଭାବେ ଘୋଷଣା ହେବ। ଫଳାଫଳ ନେଇ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଥିବାବେଳେ ଦଳୀୟ କର୍ମୀଙ୍କ ହିସାବ କିତାବରେ ବିରାମ ଲାଗିନାହିଁ। ମଙ୍ଗଳବାରରୁ ନେତା ଏବଂ କର୍ମୀମାନେ ପଦ୍ମପୁରରେ କ୍ୟାମ୍ପ ପକାଇ ରହିଛନ୍ତି।

ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସକାଳ ୮ଟାରୁ ପଦ୍ମପୁରସ୍ଥିତ ଆର୍‌ଏମ୍‌ସି ପରିସରରେ ଭୋଟ୍‌ ଗଣତି ଆରମ୍ଭ ହେବ। ୨୧ ରାଉଣ୍ଡ ଗଣତି ହେବ। ଗୋଟିଏ ରାଉଣ୍ଡରେ ଏକାଥରକେ ୧୪ଟି ବୁଥର ଭୋଟ୍‌ ଗଣାଯିବ। ଗୋଟିଏ ରାଉଣ୍ଡ ଗଣତି ପାଇଁ ପ୍ରାୟ ୧୫ ମିନିଟ୍‌ ସମୟ ଲାଗିବ ବୋଲି କୁହାଯାଉଛି। ସବୁ ସୁରୁଖୁରୁରେ ଚାଲିଲେ ଅପରାହ୍ନ ୨ଟା ମଧ୍ୟରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ସାରିଥିବ। ଅନ୍ୟପକ୍ଷରେ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଫଳାଫଳ ଉପରେ ତିନି ଦଳର ଆଖି

ବରଗଡ଼ : ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରଠାରୁ ବିଜେପୁର ନିର୍ବାଚନମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି। ଦୁଇ ବର୍ଷ ଭିତରେ ଦୁଇଟି ଉପନିର୍ବାଚନ ଏବଂ ଗୋଟିଏ ସାଧାରଣ ନିର୍ବାଚନ ଦେଖିଛି ବିଜେପୁର। ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ମଧ୍ୟ ଅନ୍ୟତମ ପ୍ରମୁଖ ରାଜନୈତିକ ଘଟଣା। ସୁବଳଙ୍କ ବିୟୋଗ ପରେ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ତାଙ୍କ ପତ୍ନୀ ରୀତା ସାହୁ ଏବଂ ଏହାପରେ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏହି ଆସନରୁ ବିଜୟ ଲାଭ କରିଥିଲେ। ସାଧରଣ ନିର୍ବାଚନର ଫଳାଫଳ ପରେ ନିଜ ନିଜ ବଳ ପରଖିବା ସକାଶେ ସବୁ ଦଳ ପାଇଁ ବିଜେପୁର ସମ୍ଭାବନା ସୃଷ୍ଟି କରିଛି। ସବୁ ଦଳ ପାଇଁ ବିଜେପୁର ବିଜୟ ସମ୍ମାନର ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ଏଠାରୁ ବିଜୟୀ ହୋଇ ପରେ ଇସ୍ତଫା ଦେଇଥିଲେ। ତେଣୁ ସମ୍ମାନ ଦୃଷ୍ଟିରୁ ବିଜେଡି ନିଶ୍ଚିତ ଏଠାରୁ ବିଜୟ ଚାହିଁବ। ମୁଖ୍ୟମନ୍ତ୍ରୀ ଯେତେ ବ୍ୟବଧାନରେ ବିଜୟୀ ହୋଇଥିଲେ, ତାର ପାଖାପାଖି କିମ୍ବା ଅଧିକ ଭୋଟ୍‌ରେ ଦଳ ବିଜୟ ପାଇବାକୁ ଚାହୁଁଛି। ୨୦୧୮ ମସିହା ପୂର୍ବରୁ କ୍ରମାଗତ ୩ଥର ବିଜେପୁର କଂଗ୍ରେସ କବ୍‌ଜାରେ ଥିଲା। କିନ୍ତୁ ସୁବଳ ସାହୁଙ୍କ ବିୟୋଗ ପରେ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ଦଳ ଅତି ଶୋଚନୀୟ ପ୍ରଦର୍ଶନ କରିଛି। ଏଥର ଦଳ ନୂଆ ଚେହେରା ଭାବେ ଦିଲୀପ ପଣ୍ଡାଙ୍କୁ ଟିକଟ୍‌ ଦେଇଥିଲା। ଏହି ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ୍‌, ତାହା ଆଉ କେଇ ଘଣ୍ଟା ପରେ ହିସାବ ମିଳିଯିବ। ବିଧାନସଭା ନିର୍ବାଚନର ଅପଯଶକୁ ଏଡ଼ାଇବା ପାଇଁ କଂଗ୍ରେସ ଆସନ୍ତାକାଲି (ଗୁରୁବାର)ର ଫଳାଫଳ ଉପରେ ନଜର ରଖିଛି।

ଅନ୍ୟପକ୍ଷରେ ବିଜେପୁର ଆସନକୁ ବିଜେପି ଗୋଟିଏ ଉପନିର୍ବାଚନ ଭଳି ଦେଖି ନାହିଁ। ସାଧାରଣ ନିର୍ବାଚନ ଭଳି ବିଜେପି ପ୍ରସ୍ତୁତି କରିଥିଲା। ନିଜର ବଛାବଛା ଷ୍ଟାର ପ୍ରଚାରକଙ୍କୁ ଓହ୍ଲାଇ ବିଜେପି ଦମ୍‌ ଦେଖାଇଥିଲା। ଗତ ୧୫ଟି ନିର୍ବାଚନରେ ବିଜେପି ଥରୁଟିଏ ବି ବିଜେପୁରରେ ବିଜୟୀ ହୋଇନାହିଁ। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧୁର ଫଳ ଦଳକୁ ଉତ୍ସାହିତ କରିଥିଲା। କିନ୍ତୁ ଏହି ସଫଳତାକୁ ଦଳ ୨୦୧୮ ଉପନିର୍ବାଚନରେ ଦୋହରାଇ ପରିନଥିଲା। ପୁଣି ସାଧାରଣ ନିର୍ବାଚନରେ ମଧ୍ୟ ଦଳ ସଫଳତା ପାଇନଥିଲା। ସମାନ ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ଏଥର ମଇଦାନରେ ଓହ୍ଲାଇବା ନିଷ୍ପତ୍ତି ସୁହାଇଲା ନା ନାହିଁ, ତାହା ଫଳାଫଳରୁ ଦଳ ତର୍ଜମା କରିବ। ସବୁଠାରୁ ବଡ଼ କଥା ହେଉଛି, ସାଧାରଣ ନିର୍ବାଚନ ବରଗଡ ଜିଲ୍ଲାକୁ ସାରା ଭାରତବର୍ଷରେ ଚର୍ଚ୍ଚାକୁ ଆଣିଥିଲା। କାରଣ, ଗତ ସାଧାରଣ ନିର୍ବାଚନରେ ବରଗଡ଼ ଏକମାତ୍ର ଲୋକସଭା ଆସନ, ଯେଉଁଥିରେ ସମସ୍ତ ବିଧାନସଭା ଆସନରେ ବିଜେଡି ଜିତିବା ପରେ ବି ସାଂସଦ ପଦବି କିନ୍ତୁ ବିଜେପି ଖାତାକୁ ଯାଇଥିଲା। ସୁରେଶ ପୂଜାରୀ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏଣୁ ବିଜେପି ଶ୍ରୀ ପୂଜାରୀଙ୍କୁ ସାମ୍ନାକୁ ଆଣି ଲଢିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇ ଧର ପ୍ରଚାର ପାଇଁ ଯାଇଥିଲେ। ଏବେ ଦେଖିବା କଥା ଯେ ବିଜେପି ଖାତାରେ ଭୋଟ ପରିମାଣ ଗତ ସାଧାରଣ ନିର୍ବାଚନ ତୁଳନାରେ ବଢୁଛି ନା କମୁଛି। ଯଦି କମିବ, ତେବେ ବିଜେପି ଲୋକପ୍ରିୟତାକୁ ଆଙ୍ଗୁଠି ଉଠାଇବା ଲାଗି ବିଜେଡିକୁ ବେଶ୍ କିଛି ଦିନ ପାଇଁ ସୁଯୋଗ ମିଳିଯାଇପାରେ।

ସମ୍ବନ୍ଧିତ ଖବର