ବିଜେପୁର ପ୍ରକଳ୍ପ ନେଇ ମୁହାଁମୁହିଁ

ଭୁବନେଶ୍ୱର: ଗଙ୍ଗାଧର ମେହେର ସେଚ ଯୋଜନାକୁ ନେଇ ବିଧାନସଭାରେ ବିଜେପି ସୃଷ୍ଟି କରିଥିବା ଅଚଳାବସ୍ଥାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଗୃହରେ ବିବୃତି ରଖି ବିଜେପିର ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ, ବିଧାନସଭା ଭିତରେ ଓ ବାହାରେ ବିଜେପିକୁ କଟାକ୍ଷ କରି କହିଥିଲେ ଯେ କୁମ୍ଭୀର କାନ୍ଦଣା ନ କାନ୍ଦି ଗୃହ କାର୍ଯ୍ୟରେ ସହଯୋଗ କର। କୁମ୍ଭୀର କାନ୍ଦଣା ନ କାନ୍ଦି ବ୍ରାହ୍ମଣୀ ବି୍ରଜ୍‌ ନିର୍ମାଣ କର। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତିକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିଜେପି ସଭ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ, ଗୃହ ବାହାରେ ବିରୋଧୀ କଂଗ୍ରେସ ଉଭୟ ଦଳକୁ କଡ଼ା ସମାଲୋଚନା କରିଛି। ଆଜି ପ୍ରଶ୍ନୋତ୍ତର ଆରମ୍ଭ ହେବାମାତ୍ରେ ପଞ୍ଚାୟତିରାଜ ବିଭାଗ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେବା ଲାଗି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଡାକିଥିଲେ ବାଚସ୍ପତି। ସମାନ୍ତରାଳ ଭାବେ ବିଜେପି ବିଧାୟକମାନେ ଗୃହ ମଧ୍ୟକୁ ପ୍ରବେଶ କରି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ବଜେଟ୍‌ ପୁସ୍ତିକା ଦେଖାଇ ଗଙ୍ଗାଧର ମେହେର ସେଚ ଯୋଜନାରେ ଅର୍ଥ ବରାଦ ହୋଇନଥିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରି ସରକାରୀ ବିରୋଧୀ ନାରା ଦେଇଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ବିଧାୟକମାନେ ଜିଦ୍‌ରେ ଅଟଳ ରହିବାରୁ ଗୃହକୁ ୧୧.୩୦ ଯାଏ ମୁଲତବୀ କରାଯାଇଥିଲା। ପରେ ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ।

ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ଗୃହରେ ବିବୃତି ଦେବା ଲାଗି ଆଗ୍ରହ ରଖିଥିଲେ ମୁଖ୍ୟମନ୍ତ୍ରୀ। ବାଚସ୍ପତି ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଅନ୍ୟମାନଙ୍କ ଭଳି ନୁହେଁ, ବରଂ ଆମେ କଥା କମ୍‌ କହୁ ଓ ଆମ କାମ କଥା କହିଥାଏ। ଆମେ ହେଉଛୁ, ଏକମାତ୍ର ସରକାର, ଯିଏ କି ନିର୍ବାଚନ ଇସ୍ତାହାରରେ ଯାହା କହିଥାଉ, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁ। ମୁଖ୍ୟମନ୍ତ୍ରୀ କହିଥିଲେ, ବରଗଡ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳ ଜଳସେଚନ ପ୍ରକଳ୍ପକୁ ଅର୍ଥ ବରାଦ କରାଯାଇନଥିବା କଥା ଠିକ୍‌ ନୁହେଁ। ୨୦୧୭-୧୮ ବାର୍ଷିକ ବଜେଟ୍‌ରେ ବିଜେପୁର ଉଠା ଜଳସେଚନ ପ୍ରକଳ୍ପ ସମେତ ୫୮ଟି ପ୍ରକଳ୍ପ ପୂର୍ବବର୍ତ୍ତୀ କାର୍ଯ୍ୟ ପାଇଁ ଦେଢ କୋଟି ଟଙ୍କା ବରାଦ କରାଯାଇଥିଲା। ନିକଟରେ ବିଜେପୁର ଉଠା ଜଳସେଚନ ପ୍ରକଳ୍ପର ନାମ ବଦଳାଇ ଗଙ୍ଗାଧର ମେହେରଙ୍କ ନାମରେ କରାଯାଇଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ବିଜେପୁରରେ ଏକ ଡିଭିଜନ ଖୋଲିଛନ୍ତି, ଯେଉଁଥିରେ ଜଣେ ନିର୍ବାହୀ ଯନ୍ତ୍ରୀ, ତିନି ସହକାରୀ ଯନ୍ତ୍ରୀ ଓ ୬ଜଣ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି, ଯେଉଁମାନେ କେବଳ ଏହି ପ୍ରକଳ୍ପ କଥା ବୁଝିବେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପ୍ରକଳ୍ପ ଲାଗି ୧୨୪୬ କୋଟି ୫୬ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି, ଯାହା ଦ୍ୱାରା ବିଜେପୁର, ସୋହେଲା, ବରପାଲି ବ୍ଲକରେ ଖରିଫ୍‌ରେ ୨୫୬୦୦ ହେକ୍ଟର ଓ ରବିରେ ୭ହଜାର ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ଏହି ପ୍ରକଳ୍ପରେ ଅତ୍ୟାଧୁନିକ କୌଶଳରେ ମାଟି ତଳେ ପାଇପ୍‌ ଲାଇନ୍‌ ଦ୍ୱାରା ଜଳଯୋଗାଣ କରାଯିବ। ହେଲେ ମୁଖ୍ୟମନ୍ତ୍ରୀ କହିବା ବେଳେ ବିଜେପି ବିଧାୟକମାନେ ପ୍ରଥମେ ନିଜ ଆସନରେ ଏହାର ପ୍ରତିବାଦ କରିଥିଲେ ଓ ପରେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ଗୃହ ବାହାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ, ହୀରାକୁଦ ଡ୍ୟାମରୁ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଜଳ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ। ମାତ୍ର ନିକଟରେ ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟରେ ଏହି ପ୍ରକଳ୍ପକୁ ଟଙ୍କାଟିଏ ମଧ୍ୟ ଦିଆଯାଇ ନାହିଁ। ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅପମାନ ଛଡ଼ା ଅନ୍ୟ କିଛି ନୁହେଁ। ଏନେଇ ସମଗ୍ର ରାଜ୍ୟର ବିରୋଧର ସମ୍ମୁଖୀନ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଗୃହରେ ଅସତ୍ୟ ତଥ୍ୟ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ସେହିପରି ବ୍ରାହ୍ମଣୀ ବ୍ରିଜ ନେଇ ଶ୍ରୀ ପୁରୋହିତ କହିଥିଲେ, ବ୍ରାହ୍ମଣୀ ବ୍ରିଜ୍‌ ପାଇଁ ଅର୍ଥ ଆସିଛି। ମାତ୍ର ଜଙ୍ଗଲ ଜମି ପ୍ରତିବନ୍ଧକ ସାଜିଛି। ରାଜ୍ୟ ସରକାର ଚାହିଁଥିଲେ ଏଥିପାଇଁ ଜଙ୍ଗଲ ଜମି ଅନୁମତି ଦେଇପାରିଥାଆନ୍ତେ। ତାହା ନକରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେପି କେବେ କୁମ୍ଭୀର କାନ୍ଦଣା କାନ୍ଦେନାହିଁ। ଅନ୍ୟପକ୍ଷରେ ଗୃହ ମୁଲତବୀ ନେଇ ଆଜି ବିରୋଧୀ ଦଳ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଦଳ ଜାଣିଶୁଣି ବିଧାନସଭାକୁ ମୁଲତବୀ ରଖିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ସରକାରୀ ଦିବସ ଥିଲେ ହେଁ, ଗୃହ କାର୍ଯ୍ୟସୂଚୀରେ ସରକାରୀ କାର୍ଯ୍ୟକ୍ରମ କିଛି ନଥିଲା। ବରଂ ନାରୀ ନିର୍ଯାତନା ନେଇ ଆଜି କଂଗ୍ରେସ ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଥିଲା, ଯାହାକୁ ବାଚସ୍ପତି ଗ୍ରହଣ କରିଥିଲେ। କାରଣ, ସମଗ୍ର ଦେଶରେ ନାରୀ ନିର୍ଯାତନା ବଢିଚାଲିଛି। ଓଡ଼ିଶା ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। ଏହି ପ୍ରସଙ୍ଗ ଆଲୋଚନା ହୋଇଥିଲେ ବୋଧହୁଏ ବିଜେପି କାଠଗଡ଼ାରେ ପଡିଥାନ୍ତା। ଏମିତି ଆଶଙ୍କା କରି ସେମାନେ ଆଲୋଚନା କରାଇ ଦେଲେନି। ନାରୀ ନିର୍ଯାତନାରେ ଦିଲ୍ଲୀ ଏକ ନମ୍ବର ରହିଛି, ଯେଉଁଠି ସେମାନେ ଶାସନ କରିଥାନ୍ତି। ଆସାମରେ ବି ବିଜେପି ସରକାର ରହିଛି। ଏସବୁକୁ ସାମ୍ନା କରିବାକୁ ସେମାନଙ୍କ ପାଖେ ତଥ୍ୟ ନଥିଲା। ବିନା କାରଣରେ ଗୃହକୁ ମୁଲତବୀ କରାଯାଇଛି। ଓଲଟା ବିଜେପି ଓ ବିଜେଡି ମିଥ୍ୟା ପ୍ରତିଶ୍ରୁତି ଦେବାରେ ପ୍ରତିଯୋଗିତା ଚଳାଇଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ବିରୋଧୀ ଦଳ ନେତା କହିଥିଲେ, ପ୍ରଧାନମନ୍ତ୍ରୀ କଳାଧନ ଆଣିବା ପ୍ରତିଶ୍ରୁତି ଦେଇ ପ୍ରତି ପରିବାରକୁ ୧୫ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ପରେ ଏହାକୁ ଏକ ଜୁମ୍‌ଲା ବୋଲି ତାଙ୍କର ଦଳର ରାଷ୍ଟ୍ରୀୟ ସଭାପତି କହିଛନ୍ତି। ପ୍ରଧାନମନ୍ତ୍ରୀ ଚାଷୀକୁ ଉତ୍ପାଦନର ଦେଢଗୁଣା ହିସାବରେ ଏମ୍‌ଏସ୍‌ପି ଦେବେ ବୋଲି କହିଥିିଲେ। ବ୍ରାହ୍ମଣୀ ନଦୀ ଉପରେ ପୋଲ ପ୍ରତିଶ୍ରୁତି ଦିଆଯାଇଥିଲା। ଏସବୁ କିଛି ବି ପୂରଣ ହୋଇନି।

ସେପଟେ ମୁଖ୍ୟମନ୍ତ୍ରୀ୨୦୧୪ରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କଥା କହିଥିଲେ। ଚାଷୀକୁ ମାଗଣା ବିଜୁଳି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୦୬ରେ ୩୫ ପ୍ରତିଶତ ଜଳସେଚନ, ୨୦୦୯ରେ ୩୫ ପ୍ରତିଶତ ଜଳସେଚନ ହୋଇନଥିିବା ଗାଁକୁ ୫ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କୁହାଯାଇଥିଲା। ଏସବୁ କିଛି ବି ହୋଇନି। ଦେଖାଯାଉ, କିଏ ମିଛ କହିବାରେ ଆଗରେ ରହୁଛିି ଓ କିଏ ପଛରେ ବୋଲି କଟାକ୍ଷ କରିଥିଲେ ବିରୋଧୀ ଦଳ ନେତା।

ସମ୍ବନ୍ଧିତ ଖବର