ବାଙ୍ଗାଲୁରୁ ଏରୋ ଶୋ’ ରେ ପ୍ରଦର୍ଶନ ହେବ ବିଜୁବାବୁଙ୍କ ପ୍ରସିଦ୍ଧ ଡାକୋଟା ବିମାନ

ଭୁବନେଶ୍ୱର : ବାଙ୍ଗାଲୁରୁଠାରେ ଆସନ୍ତା ୨୦ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦ୍ୱିବାର୍ଷିକ ଏରୋ ଇଣ୍ଡିଆ ଶୋ’ରେ ଅନ୍ୟତମ ଆକର୍ଷଣ ହେବ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଏହି ଡାକୋଟା ବିମାନ ମାଧ୍ୟମରେ ଏକ ଅତ୍ୟନ୍ତ ଦୁଃସାହସିକ ଅଭିଯାନ ଚଳାଇ ବିଜୁବାବୁ ୧୯୪୭ ଜୁଲାଇ ୨୨ରେ ଇଣ୍ଡୋନେସିଆର ତତକାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍‌ ସେନା କବଳରୁ ମୁକ୍ତ କରି ନେଇଆସିଥିଲେ । ଦେଶ ସ୍ୱାଧୀନତା ସମୟରେ ବିଜୁବାବୁ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୫ଟି ଡାକୋଟା ବିମାନ ଥିଲା ।
କେବଳ ଏହି ଭିଣ୍ଟେଜ ଡାକୋଟା ବିମାନ ନୁହେଁ, ଏହି ଏରୋ ଶୋରେ ଦେଶ ବିଦେଶର ପ୍ରାୟ ୪୭ଟି ଅତ୍ୟାଧୁନିକ ବିମାନର ପ୍ରଦର୍ଶନ ହେବ । ଏହା ମଧ୍ୟରୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ରହିବ ଫ୍ରାନ୍ସର ଡାସାଁ ଆଭିଏସନ ଦ୍ୱାରା ନିର୍ମିତ ବହୁଚର୍ଚ୍ଚିତ ରାଫେଲ ବିମାନ । ଏହି ଶୋ ପାଇଁ ଫ୍ରାନ୍ସରୁ ମୋଟ ୩ଟି ରାଫେଲ ଆସିବାର ସମ୍ଭାବନା ରହିଛି । ଏହାଛଡା ଏଲସିଏ, ସୁଖୋଇ, ଲାଇଟ ୟୁଟିଲିଟି ହେଲିକପ୍ଟର ଆଦିର ମଧ୍ୟ ପ୍ରଦର୍ଶନ ହେବ ।

ସମ୍ବନ୍ଧିତ ଖବର