ଆଜିଠାରୁ ଗଡ଼ିବ ବିଜୁ ଗାଁ ଗାଡ଼ି

କୋଟିଆ ପାଇଁ ଲାଗିଲା ଫାଟକ

କୋରାପୁଟ : ଓଡ଼ିଶା ଭିତରେ ଆନ୍ଧ୍ରର ଅନୁପ୍ରବେଶ ପରେ ପ୍ରଶାସନ ମୁଣ୍ଡକୁ ବୁଦ୍ଧି ଯୁଟିଛି। କୋଟିଆ ପଞ୍ଚାୟତକୁ ଆନ୍ଧ୍ର ପ୍ରଶାସନ ଯେମିତି ମନଇଛା ପଶି ପାରିବ ନାହିଁ, ସେଥିପାଇଁ ଫାଟକ ଲଗାଇଛି। ଏଥିସହ ଆସନ୍ତାକାଲିଠାରୁ କୋଟିଆକୁ ବିଜୁ ଗାଁ ଗାଡି ଯୋଜନାରେ ବସ୍‌ ଗଡ଼ିବ ବୋଲି ଜଣାପଡିଛି।

କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ଏହି ଗାଁଗୁଡିକ ଓଡ଼ିଶାର ହୋଇଥିଲାବେଳେ ଏହାକୁ ଦଖଲ କରିବା ପାଇଁ ଆନ୍ଧ୍ର ସରକାର ଜୋରଦାର ଚେଷ୍ଟା କରୁଛନ୍ତି। ଏମିତି ବାରମ୍ବାର ଅନୁପ୍ରବେଶ ପରେ କୋଟିଆ ଯିବା ପାଇଁ ଟାଉ ପଦରରେ ଏକ ତନଖି ଫାଟକ ଲଗା ଯାଇଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ପଞ୍ଚାୟତ ତରଫରୁ ଏହି ଫାଟକ ଲଗା ଯାଇଥିଲାବେଳେ ଏହାର ଉଦ୍‌ଘାଟନ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ଏବିଡିଓ ସଦାଶିବ ଅଧିକାରୀ, କୋଟିଆ ସରପଞ୍ଚ ବିଶ୍ୱନାଥ ଖରା ପ୍ରମୁଖ ଉପସ୍ଥିତ ଥିଲେ। କୋଟିଆ ଯିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏଠାରେ ସମସ୍ତ ଗାଡି ମୋଟର ଯାଂଚ କରାଯିବ। କୋଟିଆକୁ ଯାଉଥିବା ଗାଡ଼ିକୁ ମାଗଣାରେ ଛଡାଯିବ। ତେବେ ଦେଓମାଳୀ ଯାଉଥିବା ପର୍ଯ୍ୟଟକ ଗାଡ଼ିଗୁଡିକ ପାଖରୁ କିଛି ଦେୟ ସଂଗ୍ରହ କରାଯିବ। ଦେଓମାଳି ବିକାଶ ପରିଷଦ ଏହାର ଦେଖାଶୁଣା କରିବ। ଏହି ଫାଟକ ଲାଗିବା ପରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ ଲଗା ଯାଇ ପାରିବ ବୋଲି ଅନୁମାନ କରାଯାଉଛି।

ଦୁର୍ଗମ କୋଟିଆ ଅଂଚଳରେ କିଛି ଦିନ ହେଲା ସରକାରୀ କାମ ଜୋରସାର୍‌ରେ ଚାଲିଛି। ରାସ୍ତା ନିର୍ମାଣ ଓ ବିଦ୍ୟୁତକରଣକୁ ପ୍ରାଧାନ୍ୟ ଦିଆଯାଇଛି। ଏପଟେ ଆସନ୍ତାକାଲିଠାରୁ କୋଟିଆକୁ ବିଜୁ ଗାଁ ଗାଡି ଯୋଜନାରେ ଏକ ବସ୍‌ ଚଳାଚଳ କରିବ ବୋଲି ଜଣାପଡିଛି। ଏହି ବସ୍‌ କୁନ୍ଦୁଲିରୁ ପୂର୍ବାହ୍ନ ୧୦ଟାରେ ବାହାରି କୋଟିଆ ପର୍ଯ୍ୟନ୍ତ ଯିବ। ସେଠାରୁ ମଧ୍ୟାହ୍ନରେ ଫେରି ଆସିବ। ୩୫ସିଟ୍‌ ବିଶିଷ୍ଟ ଏହି ବସ୍‌ ଚଳାଚଳ କରିବ ବୋଲି ଜଣାପଡିଛି। ଏ ସଂପର୍କରେ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ଟାଉପଦରରେ ତନଖି ଫାଟକ ଲାଗିବା ଦ୍ୱାରା ଆନ୍ଧ୍ର ପ୍ରଶାସନ ଆଉ ମନଇଛା ଏଠାରେ ପଶି ପାରିବେ ନାହିଁ। ସେହିପରି ଆସନ୍ତାକାଲିଠାରୁ କୋଟିଆକୁ ବସ୍‌ ଚଳାଚଳ କରିବ। ଆସନ୍ତାକାଲି ଏହି ବସ୍‌ରେ ବିଧାୟକଙ୍କ ସମେତ ଜନ ପ୍ରତିନିଧି ଓ ଅଧିକାରୀମାନେ କୋଟିଆ ଯିବେ। ଏହା ପରେ ନିୟମିତ ଏହି ବସ୍‌ ଚାଲିବ ବୋଲି ଶ୍ରୀ ପାଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର