୩ଜଣଙ୍କୁ ‘ବିଜୁ ଶ୍ରମିକ ବନ୍ଧୁ’ସମ୍ମାନ

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କ କଲ୍ୟାଣ ଓ ସହାୟତା ପାଇଁ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକାଶର ସବୁ କ୍ଷେତ୍ରରେ ଶ୍ରମିକମାନଙ୍କ ତ୍ୟାଗ ଓ ପରିଶ୍ରମ ରହିଛି। ଶ୍ରମିକମାନେ ହେଉଛନ୍ତି ଆଧୁନିକ ଯୁଗର ବିଶ୍ୱକର୍ମା। ଦାଦନ ଶ୍ରମିକ ରୋକିବା କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ଜାରି ରହିଛି। ଗତ ଦୁଇ ବର୍ଷରେ ପ୍ରବାସୀ ଶ୍ରମିକ ସଂଖ୍ୟା କମିଛି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି।

ଏହି ଅବସରରେ ବାଲୁଗାଁ, ପଦ୍ମପୁର ଓ କଣ୍ଟାବାଂଝିରେ ‘ଶ୍ରମିକ ସାରଥୀ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରବାସୀ ଶ୍ରମିକ ସହାୟତା ଓ ସାଧନ କେନ୍ଦ୍ର ଜରିଆରେ ସେମାନଙ୍କ ନିରାପତ୍ତା, ଅଭିଯୋଗର ଶୁଣାଣି ଓ ସମାଧାନ ପାଇଁ ପରାମର୍ଶ ପ୍ରଦାନ କରାଯିବ। ସେହିପରି ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ମଧ୍ୟ ଏକ ୪୫ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମିକମାନଙ୍କ ପିଲାଙ୍କ ଶିକ୍ଷା ପାଇଁ ୨ଶହରୁ ଅଧିକ ସିଜିନାଲ ହଷ୍ଟେଲ ଖୋଲାଯାଇଛି ଓ ଏଥିରେ ୯ହଜାରରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ସେହିପରି ‘ଶୁଣ ଶ୍ରମିକ’ ନାଁରେ ଏକ ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ଶ୍ରମିକମାନଙ୍କ ପାଇଁ ବିଭିନ୍ନ କଲ୍ୟାଣ ଯୋଜନାର ପ୍ରଚାର ଓ ପ୍ରସାର କରାଯିବ। ଏହାସହ ନିର୍ମାଣ ଶ୍ରମିକଙ୍କ ପାଇଁ ଲୋକସେବା ଅଧିକାର ପୋର୍ଟାଲ ଉନ୍ମୋଚନ କରିବା ସହିତ ନିର୍ମାଣ ଶ୍ରମିକ ଡଟ୍‌ କମ୍‌ ନାମକ ଏକ େଓ୍ଵବସାଇଟ ମଧ୍ୟ ଉନ୍ମୋଚିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ୨୦୧୭/୧୮ବର୍ଷର କାର୍ଯ୍ୟାବଳୀର ବାର୍ଷିକ ବିବରଣୀ ତଥା ଶ୍ରମ କଲ୍ୟାଣ ବୁଲେଟିନ୍‌ ଉନ୍ମୋଚିତ କରିଥିଲେ। ପରେ ହିନ୍ଦ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ବାରିକ, ସର୍ବଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସର ରାଜ୍ୟ ଶାଖାର ଉପସଭାପତି ଜେ.ରାୟ, ସର୍ବଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ରାଜ୍ୟ ଶାଖାର କାର୍ଯ୍ୟକାରୀ ସଭାପତି ରମେଶ ଜେନା ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରୀଷ୍ଣନ୍‌, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଓ ଶ୍ରମ ଆୟୁକ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର