ବିଜୁ ପକ୍କାଘର ଯୋଜନା ଫେଲ୍‌

୭ ମାସ ବିତିଲା, ଏବର୍ଷ ବଣ୍ଟା ହେଲାନି ଘର

ଗତବର୍ଷ ବଣ୍ଟା ଯାଇଥିଲା ଲକ୍ଷ୍ୟଧାର୍ଯ୍ୟର ୪୩ ପ୍ରତିଶତ

ବାଲେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ଗ୍ରାମୀଣ ପକ୍କାଘର ଯୋଜନା ବାଲେଶ୍ୱର ଜିଲ୍ଲାରେ ଫେଲ୍‌ ମାରିଛି। ଚଳିତ ଆର୍ଥିକ ବର୍ଷର ୭ ମାସ ଭିତରେ ଜିଲ୍ଲାରେ ଏହି ଯୋଜନାରେ ଗୋଟିଏ ବି ଘର ବଣ୍ଟାଯାଇନି। ଜିଲ୍ଲାରେ ଏବର୍ଷ ୬ ଶହ ଘର ବଣ୍ଟାଯିବ ବୋଲି ସରକାର କରିଥିବା ଲକ୍ଷ୍ୟଧାର୍ଯ୍ୟ ଆଉ ୪ ମାସରେ ଯେ ପୂରଣ ହେବ, ସେନେଇ ଅନିଶ୍ଚିତତା ଦେଖା ଦେଇଛି। ଗତବର୍ଷ ବି ବହୁ ପଛରେ ପଡ଼ିଥିଲା ବାଲେଶ୍ୱର। ଲକ୍ଷ୍ୟଧାର୍ଯ୍ୟ ୪,୫୭୪ଟି ଘର ମଧ୍ୟରୁ ମାତ୍ର ୪୩ ପ୍ରତିଶତ ଅର୍ଥାତ ୧୯୭୫ଟି ଘର ବାଣ୍ଟି ଫାଇଲ୍‌ କ୍ଲୋଜ୍‌କରି ଦେଇଥିଲା ଡିଆରଡିଏ। ଏଥିରୁ ଏବର୍ଷ ଯେ ଅବସ୍ଥା ଆହୁରି ଖରାପ ତାହା ଜଳଜଳ ଦିଶୁଛି।

ଗ୍ରାମାଞ୍ଚଳର ଗରିବ, ବାସହୀନ ପରିବାର ଯେମିତି ମୁଣ୍ଡ ଗୁଂଜିବା ପାଇଁ ସ୍ଥାୟୀ ଛାତ ଘର ଖଣ୍ଡେ ପାଇବେ, ସେ ଥିଲା ଏହି ଯୋଜନାର ଉଦ୍ଦେଶ୍ୟ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ଗ୍ରାମୀଣ ପକ୍କାଘର ଯୋଜନା। ବିପିଏଲ୍‌ ତାଲିକାଭୁକ୍ତ ହୋଇପାରି ନଥିବା ଗରିବ ଲୋକଙ୍କୁ ଚିହ୍ନଟ କରି ଏହି ଯୋଜନାରେ ଘର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ବାଲେଶ୍ୱରର ୧୨ଟି ବ୍ଲକ୍‌ ପାଇଁ ୪୫୭୪ଟି ଘର ବାଣ୍ଟିବାକୁ ଟାର୍ଗେଟ ଥିଲା। ମାତ୍ର ଏହାର ୪୦ ପ୍ରତିଶତ ବି ପୂରା ହୋଇ ପାରିଲାନି। ଗତବର୍ଷ ମାତ୍ର ୧୯୭୫ ଜଣ ହିତାଧିକାରୀଙ୍କୁ ଘର ବଣ୍ଟାଯାଇଥିଲା। ଏବର୍ଷ ନଭେମ୍ବର ପ୍ରଥମ ସପ୍ତାହ ସରିଲାଣି। ହେଲେ ବିଡ଼ମ୍ବନାର କଥା, ଏଯାଏଁ ଗୋଟିଏ ବି ଘର ବଣ୍ଟାଯାଇ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟ ପାଇଁ ୧୧ହଜାର ୨୫ଟି ଘର ବାଣ୍ଟିବାକୁ ଟାର୍ଗେଟ ରହିଥିବା ବେଳେ, ବାଲେଶ୍ୱର ଜିଲ୍ଲାପାଇଁ ରହିଛି ୬୦୦ ଘର। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୫ଟି ଲେଖାଏଁ ଘର ବାଣ୍ଟିବାକୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ ରହିଛି। ଏଣେ ଏହି ଯୋଜନାରେ ଚୟନ ଓ ମନୋନୟନ ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ଏଯାଏଁ କାହାକୁ ଘର ବଣ୍ଟାଯାଇ ପାରିନଥିବା ବିଭାଗ ପକ୍ଷରୁ କୁହାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍‌ କଥା, ଏ ଯୋଜନାରେ ହିତାଧିକାରୀ ପାଇବାକୁ ଥିବା ୧ ଲକ୍ଷ ୨୦ ହଜାର ଟଙ୍କାକୁ ୪ଟି କିସ୍ତିରେ ପ୍ରଦାନ କରାଯାଉଛି। ପ୍ରଥମ ଓ ଦ୍ୱିତୀୟ କିସ୍ତି ପରେ ଶତାଧିକ ହିତାଧିକାରୀ ଠିକ୍‌ ଭାବେ ଘର କାମ କରିଥିବା ଦେଖାଇପାରୁ ନଥିବାରୁ ସେମାନଙ୍କୁ ତୃତୀୟ କିସ୍ତି ଟଙ୍କା ଦିଆଯାଇ ପାରୁନାହିଁ। ସରକାରଙ୍କ ନିୟମ ଅନୁସାରେ ଏହି ଯୋଜନାରେ ଘର ୪ ମାସ ମଧ୍ୟରେ ସଂପୂର୍ଣ୍ଣ ହେବା କଥା। କିଛି ସ୍ଥାନରେ ୪ରୁ ୬ ମାସ କିମ୍ବା ଅତି ବେଶୀରେ ୮ମାସ ମଧ୍ୟରେ ଘର ସାରିବାକୁ ନିର୍ଦ୍ଦେଶ ରହିଛି। ୪ ମାସ ମଧ୍ୟରେ ଘର ନିର୍ମାଣ ସରିଲେ ଦାୟିତ୍ୱରେ ଥିବା ସଂପୃକ୍ତ ଅଧିକାରୀଙ୍କୁ ଅଧିକ ୫୦୦ ଟଙ୍କା ବୋନସ୍‌ ଦେବାକୁ ମଧ୍ୟ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଟୋବର ୯ ତାରିଖରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠିରେ ଜଣାଇଛନ୍ତି। ଏତେ ସବୁ ପରେ ମଧ୍ୟ ଠିକ୍‌ ସମୟରେ ଆରମ୍ଭ ହୋଇ ପାରୁନି ଘର ବଣ୍ଟା। ଫଳରେ ବାଲେଶ୍ୱର ଜିଲ୍ଲାରେ ଏବର୍ଷ ବିଜୁ ଗ୍ରାମୀଣ ପକ୍କାଘର ଯୋଜନାର ଭବିଷ୍ୟତ କ’ଣ ହେବ, ସେନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର