ବିପିୟୁଟି କୁଳପତି ଚୟନରେ ଫିକ୍ସିଂ ଅଭିଯୋଗ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)କୁ ପିଛା ଛାଡ଼ୁନି ବିବାଦ। ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ର ଆନ୍ଦୋଳନ ଥମି ନ ଥିବା ବେଳେ ଏବେ କୁଳପତି ଚୟନକୁ ନେଇ ମୁଣ୍ଡ ଟେକିଛି ବିବାଦ। ଗତ ଦୁଇ ମାସ ହେଲା ଚାଲିଥିିବା କୁଳପତି ଚୟନ ପ୍ରକ୍ରିୟାରେ ପାତରଅନ୍ତର ହେଉଥିବା ନେଇ ଅଭିଯୋଗ କରିଛି ଜଷ୍ଟିସ୍‌ ଫର୍‌ ହ୍ୟୁମାନିଟି। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ଆଡଭୋକେଟ୍‌ ଦେବ କୁମାର ରଥ ଏବଂ ଲଲାଟେନ୍ଦୁ ଦାସ।

ସେମାନେ ଅଭିଯୋଗ କରିଛନ୍ତି ଯେ କୁଳପତି ଚୟନ ଠିକ୍‌ ଭାବେ ହେଉ ନାହିଁ। ଚୟନ ଲାଗି ଗଠିତ ୩ ଜଣିଆ କମିଟିର ସଦସ୍ୟ ପାତରଅନ୍ତର କରୁଛନ୍ତି। ଓଡ଼ିଶାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୁଳପତି ଥିବା ଜଣେ ପ୍ରଫେସରଙ୍କୁ ଥଇଥାନ କରିବାକୁ ଚକ୍ରାନ୍ତ ଚାଲିଛି। ତାଙ୍କୁ ବିପିୟୁଟି କୁଳପତି ପଦରେ ବସାଇବା ପୂର୍ବରୁ ଚୟନ କମିଟିର ଜଣେ ସଦସ୍ୟଙ୍କୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି। ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସଂକ୍ଷିପ୍ତ ତାଲିକାରେ ଥିବା ୧୧ ଜଣ ପ୍ରଫେସରଙ୍କ ସାକ୍ଷାତକାର ଚୟନ କମିଟି ନେବ। ଏହି ସଂକ୍ଷିପ୍ତ ତାଲିକାରେ ସେହି କୁଳପତି ଜଣକ ବି ରହିଛନ୍ତି। ତାଙ୍କୁ ଚୂଡ଼ାନ୍ତ ୩ ଜଣ ପ୍ରଫେସରଙ୍କ ତାଲିକାରେ ସ୍ଥାନ ଦେବା ଲାଗି ମଧ୍ୟ କମିଟିର ସଦସ୍ୟମାନେ ଲାଗିପଡ଼ିଛନ୍ତି। ଏଥିପାଇଁ କଥାବାର୍ତ୍ତା ଚାଲିଛି।

ସମ୍ପୃକ୍ତ କୁଳପତି ଆନ୍ଧ୍ରପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ସମୟରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବରଂ ଚକ୍ରାନ୍ତ କରାଯାଇ ଓଡ଼ିଶାର ଏକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଥଇଥାନ କରାଗଲା। ଏବେ ପୁଣି ବିପିୟୁଟିର କୁଳପତି ଭାବେ ବସାଇବା ଲାଗି ଚକ୍ରାନ୍ତ ଚାଲିଛି। ସମ୍ପୃକ୍ତ କୁୁଳପତି ଜଣକ ମାର୍କ ଜାଲିଆତି କରି ନିଜ ପୁଅକୁ ଟପର୍‌ କରାଇଛନ୍ତି। ସ୍ୱର୍ଣ୍ଣ ପଦକ ବି ପ୍ରଦାନ କରାଯାଇଛି। ତେଣୁ ଏଭଳି ଜଣେ ପ୍ରଫେସରଙ୍କୁ କୁଳପତି ଚୟନ ପ୍ରକ୍ରିୟାରୁ ବାଦ୍‌ ଦେବାକୁ ସେମାନେ ଦାବି କରିଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସମ୍ପୃକ୍ତ କୁଳପତିଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ନ ହେଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନିଆଯିବ ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ କଳିଙ୍ଗ ସେନା ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଛି। ଚୟନ ପ୍ରକ୍ରିୟା ସରିବା ପୂର୍ବରୁ କୁଳପତି ପଦ ନିଲାମ ହୋଇଛି ବୋଲି ଏହାର ସଭାପତି ହେମନ୍ତ ରଥ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର