ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଚିକିତ୍ସା‌, ସରକାର ହସ୍ପିଟାଲକୁ ଦେଉନାହାନ୍ତି ଟଙ୍କା 

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସରକାର ସାମିଲ୍‌ ହେଲେନି। ରାଜ୍ୟ ସରକାର କହିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ବି ଓଡ଼ିଆଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିବ। ୭୦ଲକ୍ଷ ଲୋକଙ୍କୁ ଯେକୌଣସି ଘରୋଇ ହସ୍ପିଟାଲରେ (ପୁରୁଷଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ, ମହିଳାଙ୍କୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ଚିକିତ୍ସା ମିଳିବ। ହେଲେ ଏହି ଯୋଜନା ଲାଗୁ ହେବାର ୧୫ମାସ ପରେ ମଧ୍ୟ ଏହାର ବି‌ଶେଷ ସୁଫଳ ମିଳିନି। ଅଧିକାଂଶ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା‌େର ରୋଗୀଙ୍କୁ ସେବା ଯୋଗାଉନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ବି ଏନେଇ ତତ୍ପରତା ଦେଖାଉନି।

ରାଜ୍ୟ ସରକାର ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଟଙ୍କା ଦେଉନଥିବାରୁ ଏବେ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଆଡମିଟ୍‌ କରିବାକୁ ରୋକଠୋକ୍ ମନା କରିଦେଉଛନ୍ତି। ଜଣେ ରୋଗୀ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ତାଙ୍କୁ ପ୍ରଥମେ ୫ରୁ ୧୦ହଜାର ଟଙ୍କା ଜମା କରିବାକୁ କୁହାଯାଉଛି। ଯଦି କେହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କଥା ଉଠାଉଛନ୍ତି ତେବେ କହୁଛନ୍ତି ଆପଣଙ୍କ ରୋଗର ଚିକିତ୍ସା ଏଠାରେ ହୋଇପାରିବନି। ଅନ୍ୟ ହସ୍ପିଟାଲକୁ ଯାଆନ୍ତୁ। ରୋଗୀଙ୍କ ସମ୍ପର୍କୀୟ ଯଦି ପାଟିତୁଣ୍ଡ କରି ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରୁଛନ୍ତି ତେବେ କୁହାଯାଉଛି ଓଏସ୍‌ଟିଏଫ୍‌ ଅନୁମୋଦନ କରିକି ଆଣ। ନଚେତ୍ ଯାହା ଔଷଧ ଲାଗୁଛି ଦିଅ। ରୋଗୀ ଅସମର୍ଥ ହେଲେ ବେଡ୍‌ରେ ପଡ଼ି ରୋଗୀ ମଲେ ବି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଆବଶ୍ୟକୀୟ ଚିକିତ୍ସା ଯୋଗାଉନାହାନ୍ତି।

ରାଜ୍ୟରେ ୨୦୮ଟି ଘରୋଇ ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସରକାରଙ୍କ ଧାର୍ଯ୍ୟ ଟଙ୍କା‌ ଭିତରେ ଚିକିତ୍ସା ଯୋଗାଇ ଦେବାକୁ ଅନୁବନ୍ଧିତ ହୋଇଥିଲେ ହେଁ ଏବେ ମାତ୍ର କେତୋଟି ହାତଗଣତି ହସ୍ପିଟାଲକୁ ଛାଡ଼ିଦେଲେ କେହି ବିଏସ୍‌କେୱାଇ ଯୋଜନାରେ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ୍‌ କରୁନାହାନ୍ତି। ଫଳରେ ବୀମା ନଥିବା ଏବଂ ଟଙ୍କା ନଥିବା ରୋଗୀ ଏବେ ସରକାରୀ ହସ୍ପିଟାଲରେ ପଡ଼ି ପଡ଼ି ମରୁଛନ୍ତି ନଚେତ୍ ଘରେ ପଡ଼ି ମରୁଛନ୍ତି। ସରକାରଙ୍କ ମାଗଣା ‌ସ୍ବାସ୍ଥ୍ୟ ସେବା ଏବେ ଗରିବଙ୍କ ପାଇଁ ଉପହାସ ପାଲଟିଯାଇଛି।

ଘରୋଇ ହସ୍ପିଟାଲ ବିଏସ୍‌କେୱାଇ ଯୋଜନାରେ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ଅମଙ୍ଗ ହେବା ନେଇ ନିଖିଳ ଓଡ଼ିଶା ଘରୋଇ ମେଡିକାଲ ପ୍ରତିଷ୍ଠାନ ଫୋରମ୍‌ର ସମ୍ପାଦକ ଇନ୍ଦ୍ରମଣି ଜେନା କହିଛନ୍ତି ଯେ, ରାଜ୍ୟ ସରକାର ବିଏସ୍‌କେୱାଇ ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇଲେ ୩ସପ୍ତାହ ମଧ୍ୟରେ ଅର୍ଥ ଭରଣା କରିବେ ବୋଲି ନିୟମ କରିଛନ୍ତି। କିନ୍ତୁ ଏହି ଯୋଜନା ଆରମ୍ଭ ହେବାର ୧୫ମାସ ପରେ ବି ବହୁ ହସ୍ପିଟାଲକୁ ଟଙ୍କାଟିଏ ବି ମିଳିନି। ଏପରିକି ୨୦୦ରୁ ଅଧିକ ଘରୋଇ ହସ୍ପିଟାଲ ଏବେ ରାଜ୍ୟ ସରକାରଙ୍କ ଠାରୁ ଏହା ବାବଦକୁ ପ୍ରାୟ ୩୫କୋଟିରୁ ଅଧିକ ପାଇବାକୁ ରହିଲାଣି। ଏନେଇ ଜାତୀୟ ସ୍ବାସ୍ଥ୍ୟ ମିସନ୍ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କୁ ବାରମ୍ବାର ଚିଠି ଲେଖିଲେ ବି କିଛି ଉତ୍ତର ମିଳୁନି। ଏପରିକି ନା ସ୍ବାସ୍ଥ୍ୟ ମନ୍ତ୍ରୀ ନା ଜାତୀୟ ସ୍ବାସ୍ଥ୍ୟ ମିସନ୍ ନିର୍ଦ୍ଦେଶିକା କେହି ବି ଆ‌ମ ସହ ଆଲୋଚନା କରୁନାହାନ୍ତି କି କେବେ ସୁଦ୍ଧା ଟଙ୍କା ଦେବେ ସେ ପ୍ରତିଶ୍ରୁତି ଦେଉନାହାନ୍ତି।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଟଙ୍କା ନଦେବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର କରିଛନ୍ତି। ଆମେ ଯେଉଁ ବିଲ୍‌ ଦାଖଲ କରୁଛୁ ତାହାକୁ ଅଯଥା କାରଣ ଦେଖାଇ କାଟି ଦେଉଛନ୍ତି। ବିଏସ୍‌କେୱାଇ ଯୋଜନା ବାବଦକୁ ହସ୍ପିଟାଲଗୁଡ଼ିକୁ ବିଭିନ୍ନ ବୀମା କମ୍ପାନି ମାଧ୍ୟମରେ ଟଙ୍କା ଦେବାକୁ ନିୟମ ହୋଇଛି। ହେଲେ କମ୍ପାନିର ଅଧିକାରୀମାନେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଯିବା ପରେ କହୁଛନ୍ତି ତୁମେ ଏ ଚିକିତ୍ସା କରିନ, ଏ ବାବଦକୁ ଏତେ ଟଙ୍କା କାହିଁକି ବିଲ୍‌ କରିଛ, ଏମିତି କେଁ ଦେଖାଇ ବିଲ୍‌ କାଟି ଦେଉଛନ୍ତି। ଏପରିକି ଯଦି ସବୁ ଠିକ୍‌ଠାକ୍ ରହୁଛି ତେବେ କହୁଛନ୍ତି ସରକାର ଆମକୁ ଟଙ୍କା ଦେଉନାହାନ୍ତି ଆମେ କେଉଁଠୁ ଦେବୁ। ସରକାର ଦେଲେ ଦେବୁ। ଫଳରେ ଯେଉଁ ହସ୍ପିଟାଲଗୁଡ଼ିକ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ମାଗଣାରେ ଚିକିତ୍ସା କଲେ ସେମାନେ ବାକି ଟଙ୍କା ବୋଝରେ ଆଉ ମାଗଣା ଚିକିତ୍ସା କରିବାକୁ ଚାହୁଁନାହାନ୍ତି।

ସରକାର ଯୋଜନା ପରେ ଯୋଜନା କରୁଛନ୍ତି, କିନ୍ତୁ ଯିଏ ସେବା ଯୋଗାଉଛି ତାଙ୍କୁ ଟଙ୍କା ଦେଉନାହାନ୍ତି। ଏବେ ୧୫ମାସ ହେଲେ ଟଙ୍କା ଦେଇନାହାନ୍ତି। ଆଗରୁ ବିଜୁ କୃଷକ କଲ୍ୟାଣ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ବି ୪୦ରୁ ୫୦କୋଟି ଟଙ୍କା ବାକି ପଡ଼ିଛି। ଏପରିକି କେତେକ ହସ୍ପିଟାଲ ଉପରେ ୩ରୁ ୫ବର୍ଷ ହେଲା ଏହି ଟଙ୍କା ବାକି ପଡ଼ିଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଡିସେମ୍ବର ୩୧, ୨୦୧୮ରୁ ବନ୍ଦ ହୋଇଥିଲେ ହେଁ ଏବେବି ରାଜ୍ୟ ସରକାର ଏବାବଦକୁ ୨୫କୋଟି ଟଙ୍କା ଦେଇନାହାନ୍ତି।

କେବଳ ଏତିକି ନୁହେଁ ସରକାର ୨୦୦୮ ମସିହାରେ ବିଭିନ୍ନ ଚିକିତ୍ସା ପାଇଁ ଅର୍ଥ ଧାର୍ଯ୍ୟ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାକୁ ସଂଶୋଧନ କରୁନାହାନ୍ତି। ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରି ପ୍ରସବ କଲେ ସର୍ବନିମ୍ନ ୨୦ହଜାର ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ରାଜ୍ୟ ସରକାର ୬ହଜାର ଟଙ୍କା ଦେଉଛନ୍ତି, ଗଲ ବ୍ଲାଡର୍ ଲାପ୍ରୋସ୍କୋପିକ ଅପରେସନ୍ ହେଲେ ୨୫ହଜାର ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ରାଜ୍ୟ ସରକାର ୧୧ହଜାର ଟଙ୍କା ଦେଉଛନ୍ତି। ଯେଉଁ ଚିକିତ୍ସାକୁ ଯେତିକି ଟଙ୍କା ଦରକାର ସେତିକି ଦେଉନଥିବାରୁ ଘରୋଇ ହସ୍ପିଟାଲ ବିଏସ୍‌କେୱାଇରେ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି।

ସମ୍ବନ୍ଧିତ ଖବର