ନିମ୍ନମାନର କାମକୁ ଧରାପକାଇଲା ଅମ୍ଫାନ, ଭୁଶୁଡ଼ିଲା ବିଜୁସେତୁ

କୋରେଇ: ନିମ୍ନମାନର କାମ ଯୋଗୁଁ କୋରେଇ ବ୍ଲକ ଅନ୍ତର୍ଗତ ତଣ୍ଡରା ବିଜୁ ସେତୁର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଅଧାପନ୍ତରିଆ ଆପ୍ରୋଚ ରୋଡଟି ମଧ୍ୟ ଧସି ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୋରେଇ ବ୍ଲକ ଅନ୍ତର୍ଗତ ତଣ୍ତରା ପଞ୍ଚାୟତଟି ଖରସ୍ରୋତା ନଦୀ କୂଳରେ ଅବସ୍ଥିତ ହୋଇଥିବା ବେଳେ ବର୍ଷା ଦିନେ ଏହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥାଏ। ପଞ୍ଚାୟତକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିତିଦିନିଆ ରାସ୍ତା କରାଯାଇଥିଲେ ପୋଲ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ସ୍ଥାନୀୟ ଅଧିବାସୀ ତତ୍କାଳୀନ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ନିକଟରେ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ। ବିଧାୟକ ଶ୍ରୀ ଦାସ ନାୟକଙ୍କ ଉଦ୍ୟମରେ ୨୦୧୭ ମସିହା ଅଗଷ୍ଟ ୩୧ ତାରିଖରେ ଗ୍ରାମକୁ ସଂଯୋଗ କରିଥିବା ରାସ୍ତାରେ ରୁଡ଼ିଆ-ଯୋକଡ଼ିଆ ହାଇଲେଭଲ କେନାଲ ରାସ୍ତା ଠାରୁ ଗ୍ରାମର ମୁଖ୍ୟ ରାସ୍ତାରେ ଏକ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ସେତୁକୁ ବିଜୁ ସେତୁ ଯୋଜନାରେ ସାମିଲ କରାଯାଇଥିଲା। ସେତେବେଳେ ଏହି ସେତୁ ପାଇଁ ୫କୋଟି ୯୦ଲକ୍ଷ ୩୬ହଜାର ବ୍ୟୟ ଅଟକଳ କରାଯାଇଥିଲା। ଏହାର ଦୈର୍ଘ୍ୟ ୧୨୨.୫୨ମିଟର ପ୍ରସ୍ଥ ୮.୩୫ ମିଟର ରଖାଯାଇଥିଲା। ପୋଲ ନିର୍ମାଣ ହେଲେ ତଣ୍ତରା, ବରେଇ, ରାଡ଼ିକୁଦ ସମେତ ବିରୁଆଁ, ଟିକର ରାଉତରାପୁର ଆଦି ଗ୍ରାମର ୨୦ ହଜାରରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହେବେ ବୋଲି ଅଟକଳ ବେଳେ ଜଣାପଡ଼ିଥିଲା। ସେତୁ ନିର୍ମାଣର ତିନିବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏଯାବତ୍ ସଂଯୋଗୀକରଣ ରାସ୍ତା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ଏବେ ବି ସେତୁ ଗମନାଗମନ ଉପଯୋଗୀ ହୋଇପାରି ନାହିଁ। ସେତୁକୁ ଲଗାଇ ଯେଉଁ ସଂଯୋଗୀକରଣ ରାସ୍ତା କରାଯାଇଥିଲା ବାତ୍ୟା ଅମ୍ପାନ ଯୋଗୁଁ ସଂଯୋଗୀ ରାସ୍ତାକୁ ଲଗାଇ କରାଯାଇଥିବା ଢଳେଇ ସହିତ ରାସ୍ତାଟି ଭୁଶୁଡ଼ି ପଡ଼ିଛି। ଏହାକୁ ନେଇ ପଞ୍ଚାୟତ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଢଳେଇ କାର୍ଯ୍ୟ ସମୟରେ ମଧ୍ୟ ଏହା ଫାଟି ଯାଇଥିବା ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ବିଭାଗୀୟ ଅଧିକାରୀ ଘଟଣାକୁ ଅଣଦେଖା କରିବା ସହିତ ଏହାକୁ ଗୁରୁତ୍ବ ଦେଇ ନଥିବା ଅଭିଯୋଗ ହେଉଛି। ଫଳରେ ସାମାନ୍ୟ ବର୍ଷାରେ ଏଭଳି ପରିସ୍ଥିତି ଉପୁଜିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଉ ମାତ୍ର କେଇଟା ଦିନ ପରେ ବର୍ଷା ଋତୁ। ବର୍ଷା ହେଲେ ଗ୍ରାମକୁ ଯାତାୟାତ କରିବା କଷ୍ଟକର। ସେତୁ ସଂଯୋଗୀକରଣ ରାସ୍ତା ସମ୍ପୂର୍ଣ୍ଣ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଚଳିତ ବର୍ଷା ଋତୁ ପୂର୍ବରୁ ଆଉ ସେତୁ କାର୍ଯ୍ୟକ୍ଷମ ହୋଇପାରିବ କି ‌ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ଦୃଷ୍ଟି ଦେବା ସହିତ ସମ୍ପୃକ୍ତ ଠିକାଦାର ଓ ଏହାର ଦାୟିତ୍ବ ତଦାରଖ କରୁଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଛି। ବିଭାଗୀୟ ଏସ୍‌ଡିଓ ଭେଙ୍କଟ ମୁଦୁଲି କହିଛନ୍ତି ଯେ ୪ ମାସ ହେବ ଦାୟିତ୍ବରେ ଅଛି। ପୋଲ ନିର୍ମାଣ ବେଳେ କଣ କରାଯାଇଥିଲା, ସେ ସମ୍ପର୍କରେ ସେ ଜାଣି ନାହାନ୍ତି। ତେବେ ତଣ୍ଡରା ବିଜୁ ସେତୁ ଭୁଶୁଡ଼ିବା ସମ୍ପର୍କରେ ସେ ଖବର ପାଇଥିବା କହିଛନ୍ତି। ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଏହାର ମରାମତି ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର