କେନ୍ଦୁଝର ଜିଲ୍ଲାର ଅପହଞ୍ଚ ଅଞ୍ଚଳକୁ ଯିବ ବାଇକ୍‌ ଆମ୍ବୁଲାନ୍ସ, ଡିସେମ୍ବରରେ ଆସିବ ୬ ଗାଡ଼ି

କେନ୍ଦୁଝର : ଅପହଞ୍ଚ ଅଞ୍ଚଳର ରୋଗୀଙ୍କୁ ଖଟିଆରେ ବୁହାଇବା ଘଟଣାରେ କେନ୍ଦୁଝର ଜିଲ୍ଲା ବେଶ୍‌ ବଦ୍‌ନାମ। କିଛି ମାସ ତଳେ ବାଂଶପାଳ ବ୍ଲକର ଛଡ଼ାଡିହି ଗ୍ରାମର ଜଣେ ଗର୍ଭବତୀ ମହିଳା ନାନସି ମୁଣ୍ଡା(୪୦)ଙ୍କୁ ଖଟିଆରେ ବୋହି ନେବା ଘଟଣାରେ ମଧ୍ୟ କେନ୍ଦୁଝର ଜିଲ୍ଲା ପ୍ରଶାସନ ସମାଲୋଚନାର ଶିକାର ହୋଇଥିଲା। ଏହି ସମାଲୋଚନା ଓ ବଦ୍‌ନାମରୁ ମୁକ୍ତି ପାଇଁ ଦୁର୍ଗମ ଅଞ୍ଚଳରେ ବାଇକ୍‌ ଆମ୍ବୁଲାନ୍ସ ଚଳାଇବା ପାଇଁ ‌ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

କେନ୍ଦୁଝର ଜିଲ୍ଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ବ୍ଲକର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଓ ଜଙ୍ଗଲ ଘେରା। ଏହି ବ୍ଲକଗୁଡ଼ିକରେ ଥିବା ଅଧିକାଂଶ ପାହାଡ଼ିଆ ଗାଁକୁ ରାସ୍ତା ନାହିଁ। ଫଳରେ ବିଭିନ୍ନ ସମୟରେ ରୋଗୀମାନେ ଚିକିତ୍ସାଳୟରେ ପହଞ୍ଚିବାବେଳେ ମୃତ୍ୟୁ ହୋଇ ଯାଇଥାଏ କିମ୍ବା ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥାଏ।

ଏହି ସମସ୍ୟାର ସମାଧାନ ପାଇଁ ଏହି ସବୁ ଅଞ୍ଚଳରେ ବାଇକ୍‌ ଆମ୍ବୁଲାନ୍ସ ଚଳାଚଳ ପାଇଁ ବ୍ୟବସ୍ଥା ହୋଇଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାକୁ ୬ଟି ବାଇକ୍‌ ଆମ୍ବୁଲାନ୍ସ ଆସିବ। ବାଂଶପାଳ ଓ ହରିଚନ୍ଦନପୁର ବ୍ଲକର ପାହାଡ଼ିଆ ରାସ୍ତା ନ ଥିବା ଗାଁଗୁଡ଼ିକରେ ରୋଗୀ ଯାତାୟାତ ପାଇଁ ବ୍ୟବହାର କରାଯିବ। ଏହି ବାଇକ୍‌ ଆମ୍ବୁଲାନ୍ସ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଡି‌ସେମ୍ବର ଶେଷ ସୁଦ୍ଧା ଏହା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଏହାକୁ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ଏଥିରେ କେଉଁମାନେ ଚାଳକ ରହିବେ ତାହା ସ୍ଥିର ହୋଇ ନ ଥିଲେ ସୁଦ୍ଧା ଏହାକୁ କିଛି ଏନ୍‌ଜିଓ କିମ୍ବା ମା’ ଘର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଦିଆଯାଇପାରେ ବୋଲି ସୂଚନା ମିଳିଛି। ଏ ସଂପର୍କରେ ସିଡିଏମ୍‌ଓ ଡାକ୍ତର ଅଶୋକ କୁମାର ଦାଶଙ୍କୁ ପଚାରିଥିଲୁ। ସେ କହିଥିଲେ, ଅପହଞ୍ଚ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉଛି। ଏହା ଖୁବ୍‌ଶୀଘ୍ର ଆସିବା ପରେ ରାସ୍ତାଘାଟ ନ ଥିବା ସ୍ଥାନରୁ ରୋଗୀ ସ୍ଥାନାନ୍ତର କରିବା ସହଜ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର