ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ରାସ୍ତା ମରାମତି ଦାବିରେ ଟାୟାର ଜାଳି ବିକ୍ଷୋଭ

ବାଲେଶ୍ୱର : ଟ୍ରକ ଧକ୍କାରେ ବାଲେଶ୍ୱର ସହର ସହଦେବଖୁଣ୍ଟା ନୂଆସାହି ଛକରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଉଛନ୍ତି ଖନ୍ତାପଡ଼ା ଥାନା ଅଧୀନ ଶାସନପଦା ଗାଁର ଦେବେନ୍ଦ୍ରନାଥ ନାୟକ(୬୫)। ଏନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ସହଦେବଖୁଣ୍ଟା-ରେମୁଣା ରାସ୍ତା ୨ଘଣ୍ଟା ଧରି ଅବରୋଧ କରିଥିଲେ। ଶ୍ରୀ ନାୟକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ।

ଅବସର ପରେ ସେ ଭୀମପୁରା ଦୂରଦର୍ଶନ କାର୍ଯ୍ୟାଳୟରେ ଅସ୍ଥାୟୀ କିରାଣି ଭାବେ କାର୍ଯ୍ୟରତ ଥିଲେ। ସେ ବାଲେଶ୍ୱର ଅଙ୍ଗାରଗଡ଼ିଆରେ ରହୁଥିଲେ। ସୂଚନାଯୋଗ୍ୟ ଆଜି ସକାଳେ ଦେବେନ୍ଦ୍ରନାଥ ନିଜ ସ୍କୁଟର(ଓଏସ୍‌ବି-୨୫୦୩)ରେ କାର୍ଯ୍ୟାଳୟକୁ ଯାଉଥିଲେ। ପଛପଟୁ ଆସୁଥିବା ଏକ ଟ୍ରକ୍‌(ଓଡିି-୦୧-ଜି-୨୦୪୫) ତାଙ୍କୁ ଧକ୍କା ଦେଇଥିଲା ଓ ସେ ତଳେ ପଡ଼ିଯାଇଥିଲେ। ଟ୍ରକ୍‌ ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଥିଲେ। ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ କାଚ ଭାଙ୍ଗିବା ସହ ଅନ୍ୟ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ କାଚ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହାସହ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ୨ ଘଣ୍ଟା ଉଭୟ ପାର୍ଶ୍ୱରେ ଯାତାୟତରେ ବାଧା ଉପୁଜିଥିଲା। ସହଦେବଖୁଣ୍ଟା ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ଓ ସଦର ତହସିଲଦାର ରଶ୍ମିରେଖା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପରେ ଧାରଣାକାରୀମାନେ ରାସ୍ତାରୋକରୁ ଓହରିଥିଲେ।

ଦୀର୍ଘଦିନ ଧରି ଉକ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ରହିଛି। ବାଲେଶ୍ୱରର ବିଭିନ୍ନ ସଂଗଠନ ପକ୍ଷରୁ ବହୁବାର ରାସ୍ତା ମରାମତି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ଉଦାସୀନତା କାରଣରୁ ରାସ୍ତା ମରାମତି ହୋଇପାରୁନି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ସ୍କୁଟରକୁ ପୁଲିସ୍‌ ଜବତ କରିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର