ଦଳ ବଦଳାଇବା ଦେବରାଜଙ୍କୁ ମହଙ୍ଗା ପଡ଼ିଲା, ପୂର୍ଣ୍ଣଙ୍କ ହ୍ୟାଟ୍ରିକ୍‌, ଗଡ଼ ରକ୍ଷା କଲେ ବିକ୍ରମ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ତିନି ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଆସିକା, ସୋରଡ଼ା ଓ ଭଞ୍ଜନଗର। ନିର୍ବାଚନ ସରି ଫଳାଫଳ ମଧ୍ୟ ଘୋଷଣା ହୋଇଛି। କିଏ ହାରିଛି ତ କିଏ ଜିତିଛି। ଏଠି ଆଉ କାହାକୁ ମହଙ୍ଗା ପଡିଥିବା ବେଳେ କିଏ ହ୍ୟାଟ୍ରିକ ମାରି ନେଇଛି। ଏଠି କିଏ କାହାକୁ ଠକିଛି, କିଏ କାହା ପାଇଁ କାମ କରିଛି, ତାହା ଏବେ ଖୋଜୁଛନ୍ତି ନେତା। ଫଳାଫଳକୁ ନେଇ ଚାଲିଛି ସବୁଠି ଘନଘନ ସମୀକ୍ଷା। ଏଥିସହ ନେତାଙ୍କ ସନ୍ତୁଷ୍ଟିକରଣ କରିବା ପାଇଁ ଲାଗି ପଡିଛନ୍ତି କର୍ମୀ। ଏହି ତିନି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ କଂଗ୍ରେସ ବିରୋଧୀ ଦଳ ଭାବେ ରହୁଥିବା ବେଳେ ଏଥର ଦ୍ବିତୀୟ ସ୍ଥାନ ବିଜେପି ହାତେଇଛି। କିନ୍ତୁ ସବୁଠି ବିଜେଡି ବାଜିମାତ କରିଛି। ଆସିକା ନିର୍ବାଚନ ମଣ୍ଡଳୀରୁ ମଞ୍ଜୁଳା ସ୍ବାଇଁ ବିଜୟ ଲାଭ କରିଥିବା ବେଳେ ସୋରଡା ନିର୍ବାଚନ ମଣ୍ଡଳୀରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଞ୍ଜନଗର ନିର୍ବଚାଚନ ମଣ୍ଡଳୀରୁ ବିକ୍ରମ କେଶରୀ ଆରୁଖ ବିଜୟ ଲାଭ କରିଛନ୍ତି।

ଆସିକା ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ଥର ଲଗାତାର ଭାବେ ବିଜୟୀ ହୋଇଥିବା ଦେବରାଜ ମହାନ୍ତି ବିଜେଡି ଟିକଟ ନ ପାଇ ଦଳ ବିଜେପିକୁ ଡିଆଁ ମାରିଥିଲେ। ତାଙ୍କ ବଦଳରେ ସେଠାରେ ଆସିକା ସାଂସଦ ସ୍ବର୍ଗତ ଲଡୁକିଶୋର ସ୍ବାଇଁଙ୍କ ଧର୍ମପତ୍ନୀ ମଞ୍ଜୁଳା ସ୍ବାଇଁଙ୍କୁ ଟିକେଟ ମିଳିଲା। ଅପରପକ୍ଷରେ ବିଜେପି ପକ୍ଷରୁ ଏଠାରେ ଦେବରାଜଙ୍କୁ ଟିକଟ ମିଳିଥିଲା। ପ୍ରଚାର ମଇଦାନରେ ଯେପରି ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ପ୍ରତିଯୋଗିତା ହୋଇଥିଲା। କିନ୍ତୁ ଶେଷରେ ଏହି ଆସନ ବିଜେଡି ହାତକୁ ଆସିଛି। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ ୬୬୭୫୨ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତି ୩୯୩୪୬ ଭୋଟ, କଂଗ୍ରେସର ମନୋଜ କୁମାର ଜେନା ୯୨୬୨ ଭୋଟ, ସମତାକ୍ରାନ୍ତି ଦଳର ସମୀର ସ୍ବାଇଁ ୧୦୫୮ ଭୋଟ, ଆମ୍ବେଦକର ନ୍ୟାସନାଲ କଂଗ୍ରେସର ସୀତାରାମ ମୋହିନୀ ୮୫୫ ଭୋଟ, ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ମହାପାତ୍ର ୯୨୮ ଭୋଟ ପାଇଥିବା ବେଳେ ୧୮୪୮ ଭୋଟ ନୋଟାକୁ ଯାଇଛି। ଅର୍ଥାତ ଏଥର ବିଜେଡିର ମଞ୍ଜୁଳା ସ୍ବାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କଠାରୁ ୨୭,୪୦୬ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଦେବରାଜ ମହାନ୍ତି ବିଜେଡି ଛାଡି ବିଜେପି ଦଳରୁ ଲଢ଼େଇ କରିଥିବା ବେଳେ ଦଳ ବଦଳ ତାଙ୍କୁ ମହଙ୍ଗା ପଡିଛି।

ସେହିପରି ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଗତ ଦୁଇ ଥର ଲଗାତାର ଭାବେ ବିଜୟୀ ହୋଇଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏଥର ହ୍ୟାଟ୍ରିକ କରିଛନ୍ତି। ଗତ ଦୁଇଟି ନିର୍ବାଚନରେ ଗୋଟିଏ ପରିବାରର ଦୁଇ ଭାଇ ପ୍ରତିଦ୍ବନ୍ଦ୍ବୀ ହୋଇ ଉଭା ହୋଇଥିଲେ ମଧ୍ୟ ପୂର୍ଣ୍ଣଙ୍କ ଲୋପ୍ରିୟତା କମିବା ବଦଳରେ ବଢ଼ିବାରେ ଲାଗିଛି। ଗତ ୨୦୦୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ନୀଳମଣି ବିଶୋୟୀଙ୍କ ଠାରୁ ୪,୦୧୧ ଭୋଟରେ ପୂର୍ଣ୍ଣ ବିଜୟ ଲାଭ କରିଥିବା ବେଳେ ୨୦୧୪ ନିର୍ବାଚନରେ ବସନ୍ତ ବିଶୋୟୀଙ୍କଠାରୁ ୬ ହଜାର ଭୋଟରେ ବିଜୟ ଲାଭ କରିଥିଲେ। ତେବେ ପୂର୍ବ ଦୁଇଟି ନିର୍ବାଚନ ଅପେକ୍ଷା ଚଳିତ ଥର ପୂର୍ଣ୍ଣଙ୍କ ଭୋଟ ବଢ଼ିଥିବାର ଦେଖିବାକୁ ମିଳିଛି। ଚଳିତ ନିର୍ବଚାନରେ ବିଜେପି ପ୍ରାର୍ଥୀ ନୀଳମଣି ବିଶୋୟୀ ୬୨୮୭୧, ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୭୬୮୫୯, କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି ୭୬୨୯, ସ୍ବାଧୀନ ପ୍ରାର୍ଥୀ ନିରାକାର ନାୟକ ୧୫୦୧, ସ୍ବାଧୀନ ପ୍ରା‌ର୍ଥୀ ରଘୁନାଥ ନାୟକ ୧୪୨୫ ଭୋଟ ପାଇଥିବା ବେଳେ ୨୯୧୧ ଭୋଟ ନୋଟାକୁ ଯାଇଛି। ଫଳରେ ପୁଣିଥରେ ପୂର୍ଣ୍ଣଙ୍କଠାରୁ ୧୩,୯୮୮ ଭୋଟ କମ୍ ପାଇ ନୀଳମଣିଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଛି।

ସେହିପରି ଭଞ୍ଜନଗର ନିର୍ବଚାନ ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗଡ଼ରେ ପରିଣତ ହୋଇଛି। ପୂର୍ବରୁ ପାଞ୍ଚ ଥର ଶ୍ରୀ ଆରୁଖ ଏଠାରେ ନିଜର ବିଜୟ ଧ୍ବଜା ଉଡ଼ାଇ ଆସିଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ସହ ପ୍ରତିଦ୍ବନ୍ଦ୍ବିତା ହୋଇଥିବାବେଳେ ଏଥର ବିଜେପି ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଛି। କିନ୍ତୁ ମୋଦୀ ହାୱାକୁ ଶ୍ରୀ ଆରୁଖ ଭୁଲ ପ୍ରମାଣିତ କରି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର ଭାବେ ବିଜୟୀ ହୋଇ ନିଜ ଗଡ଼କୁ ରକ୍ଷା କରିଛନ୍ତି ବିକ୍ରମ। ଚଳିତ ନିର୍ବାଚନରେ ଶ୍ରୀ ଆରୁଖ ୭୬୩୩୦ ଭୋଟ ପାଇଥିବାବେଳେ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକ ୬୬୯୦୬ ଭୋଟ ପାଇଛନ୍ତି। ଅର୍ଥାତ ପ୍ରଦ୍ୟୁମ୍ନ ନାୟକଙ୍କ ଠାରୁ ଶ୍ରୀ ଆରୁଖ ୯,୨୧୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସେହିପରି ବିଏସପିର ନରସିଂହ ଗୌଡ ୨୮୮୮, କଂଗ୍ରେସର ସଞ୍ଜୟ କୁମାର ତ୍ରିପାଠୀ ୬୯୪୧, ସିପିଆଇ (ଏମଏଲ)ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ୧୧୬୩, ସ୍ବାଧୀନ ପ୍ରାର୍ଥୀ ବିରେନ୍ଦ୍ର କୁମାର ଗୌଡ ୧୦୪୬ ଭୋଟ ପାଇଥିବା ବେଳେ ୧୪୩୩ ଭୋଟ ନୋଟାକୁ ଯାଇଛି।

ସମ୍ବନ୍ଧିତ ଖବର