୧୦ ଭାଗ ସଂରକ୍ଷଣକୁ ସଂସଦର ଅନୁମୋଦନ: ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବ ଲୋକଙ୍କୁ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୦ ଭାଗ ଆସନ ସଂରକ୍ଷଣ ଦେବା ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲକୁ ଆଜି ରାଜ୍ୟସଭା ଅନୁମୋଦନ ପ୍ରଦାନ କରିଛି। ଗତକାଲି ଲୋକସଭାରେ ଏହା ଗୃହୀତ ହୋଇଥିଲା। ଏହାସହିତ ସଂସଦ ଏହି ବିଲକୁ ଅନୁମୋଦନ ପ୍ରଦାନ କରିଥିବାରୁ ଏହାକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ଦସ୍ତଖତ ପାଇଁ ପଠାଯିବ। ରାଜ୍ୟସଭାରେ ଆଗତ ଏହି ବିଲ ଉପରେ ଆଜି ୮ ଘଣ୍ଟାରୁ ଅଧିକ ସମୟ ଧରି ଆ‌େଲାଚନା ହେବାପରେ ମତଦାନ କରାଯାଇଥିଲା। ଗୃହରେ ଉପସ୍ଥିତ ୧୭୨ ଜଣ ସଭ୍ୟଙ୍କ ମଧ୍ୟରୁ ୧୬୫ ଜଣ ଏହା ସପକ୍ଷରେ ଭୋଟ ଦେଇଥିବା ବେଳେ ୭ ଜଣ ବିରୋଧ କରିଥିଲେ। ଉକ୍ତ ବିଲ୍ ପାସ ହେଲା ବୋଲି ଉପାଧ୍ୟକ୍ଷ ହରିବଂଣ ନାରାୟଣ ସିଂହ ଘୋଷଣା କରିଥିଲେ। ଗତକାଲି ଲୋକସଭାରେ ୩୨୩-୩ ଭୋଟରେ ଏହି ବିଲ୍ ପାସ୍ ହୋଇଥିଲା। ଉକ୍ତ ବିଲ ଉପରେ ଆଲୋଚନା ବେଳେ ବିରୋଧୀ ଦଳମାନେ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ଅଡ଼ି ବସିଥିଲେ। କିନ୍ତୁ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ବିଲ ଉପରେ ମତଦାନ କରାଯାଇଥିଲା। କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ଏହା ସପକ୍ଷରେ ଭୋଟ୍ ଦେଇଥିଲେ। ବିଜୁ ଜନତା ଦଳ ମଧ୍ୟ ବିଲକୁ ସମର୍ଥନ କରିଥିଲା। ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ୧୯ କୋଟି ଲୋକ ଉପକୃତ ହେବେ ବୋଲି ସରକାର କହିଥିଲେ। ଆଗକୁ ଏଭଳି ଅନେକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ଲାଗୁ ହେବ।

ଆଜି ବିଲ୍‌ ଉପରେ ବିତର୍କ ବେଳେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ସରକାର ଏଭଳି ବିଲ୍‌ ହଠାତ୍‌ କାହିଁକି ଆଣିଲେ ଏବଂ ଏହା ପଛରେ ଥିବା ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ। ଗୃହରେ ପ୍ରବଳ ହଙ୍ଗାମା ଯୋଗୁଁ ଅପରାହ୍ନ ୧୨ଟା ୪୦ରୁ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ରହିଥିଲା। କେନ୍ଦ୍ରମନ୍ତ୍ରୀ ଥାୱର ଚନ୍ଦ୍ର ଗେହଲଟ ୧୨ଟା ୨ ମିନିଟରେ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ରାଜ୍ୟସଭାରେ ଆଗତ କରିଥିଲେ। ଡିଏମ୍‌କେ ସାଂସଦ କାନିମୋଝି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ ଏବଂ ଅନ୍ୟ ସାଂସଦମାନେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ପ୍ରବଳ ପାଟିତୁଣ୍ଡ କରିଥିଲେ।

ବିଲ୍‌କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବଙ୍କ ଲାଗି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲ୍‌କୁ ବିଜେଡି ଆଜି ରାଜ୍ୟସଭାରେ ସମର୍ଥନ କରିଛି। ରାଜ୍ୟସଭାରେ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଆମେ ଏହି ବିଲ୍‌କୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ। ତେବେ ଶୀତ ଅଧିବେଶନର ଶେଷ ଦିନରେ ତଥା ଗୋଟିଏ ଦିନ ସମ୍ପ୍ରସାରଣ କରାଯାଇ ତରବରିଆ ଭାବେ ଏହି ବିଲ୍‌ ଉପସ୍ଥାପନ କରିଥିବାରୁ ଏଥିପାଇଁ ସେ ସରକାରଙ୍କୁ ସମାଲୋଚନା କରିଥିଲେ। ବର୍ତ୍ତମାନର ସରକାର ରୋଗଗ୍ରସ୍ତ ସରକାର ଓ ଏଥିପାଇଁ ସରକାରଙ୍କୁ ଆଇସିୟୁ ଓ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି। ସରକାରଙ୍କୁ ଏହି ବିଲ୍‌ ଅକ୍ସିଜେନ୍‌ ସ୍ବରୂପ କାମ ଦେବ ବୋଲି ପ୍ରସନ୍ନ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ‘ଗରିବର କୌଣସି ଜାତି ନାହିଁ’ ମନ୍ତବ୍ୟକୁ ଉଲ୍ଲେଖ କରି ପ୍ରସନ୍ନ କହିଥିଲେ ଯେ ବିଳମ୍ବ ସତ୍ତ୍ବେ ସରକାର ଏହି ବିଲ୍‌ ଆଣିଛନ୍ତି। ହେଲେ ଏଭଳି ବିଲ୍‌ ଆଇନଗତ ପ୍ରକ୍ରିୟାରେ ତିଷ୍ଠି ପାରିବ କି ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମହିଳା ସଂରକ୍ଷଣ ମାମଲାରେ ମଧ୍ୟ ସରକାର ତତ୍ପରତା ପ୍ରକାଶ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହିଳା ସଂରକ୍ଷଣ ପ୍ରସଙ୍ଗ‌ରେ ଲେଖାଯାଇଥିବା ପତ୍ରକୁ ଗ୍ରହଣ କରିବାପାଇଁ ବିଜେପି ସଭାପତି ସମୟ ଦେଇନାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର