ମନ୍ତ୍ରୀଙ୍କ ଘରଭଡ଼ା ବୃଦ୍ଧି ପାଇଁ ବିଲ୍‌ ପାରିତ : ମାସିକ ୧୦୦ ଟଙ୍କାରୁ ଦିନକୁ ୧ ହଜାର ଟଙ୍କାକୁ ବୃଦ୍ଧି

ପୂର୍ବତନ ବିଧାୟକ ପାଇବେ ୨ ହଜାର ଟଙ୍କାର ମାସିକ ଚିକିତ୍ସା ଭତ୍ତା

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଘରଭଡ଼ା ମାସିକ ୧୦୦ ଟଙ୍କା ଦୀର୍ଘଦିନରୁ ପ୍ରଚଳିତ। ଏହା ଦୈନିକ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ଏହି ଆଇନର ସଂଶୋଧନ ନେଇ ବିଧାନସଭାରେ ଆଗତ ବିଲ୍‌ ପାରିତ ହୋଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବିଲ୍‌ ଆଗତ କରି କହିଲେ ଯେ ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ବିଲ୍‌ ଆଇନରେ ସରକାରୀ ବାସଗୃହ ପାଇନଥିବା ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାସିକ ୧୦୦ ଟଙ୍କାର ଘରଭଡ଼ା ପାଇବାର ବ୍ୟବସ୍ଥା ରହିଛି। ଏହି ଭତ୍ତା ବ୍ୟବସ୍ଥାରେ ସଂଶୋଧନ ପାଇଁ ବିଲ୍‌ ଅଣାଯାଇଛି। ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ବିଲ୍‌, ୨୦୧୮ ଅନୁଯାୟୀ ମାସିକ ଘରଭଡ଼ା ୧୦୦ ଟଙ୍କା ପରିବର୍ତେ ଦିନକୁ ଭଡ଼ା ୧ ହଜାର ଟଙ୍କା ରଖାଯାଇଥିବା ଦର୍ଶାଇ ଏହାକୁ ପାରିତ କରିବାକୁ ସେ ଅନୁରୋଧ କରିଥିଲେ। ସେତେବେଳକୁ ଗୃହରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଅନୁପସ୍ଥିତ ଥିଲେ। ଶାସକ ଦଳର ବରିଷ୍ଠ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମହେଶ ସାହୁ ଏହାକୁ ସମର୍ଥନ କରିଥିଲେ।

ପୂର୍ବତନ ବିଧାୟକ ପାଇବେ ୨ ହଜାର ଟଙ୍କାର ମାସିକ ଚିକିତ୍ସା ଭତ୍ତା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାକୁ ନିର୍ବାଚିତ ସଦସ୍ୟମାନଙ୍କ ପାଇଁ ମାସିକ ୫ ହଜାର ଟଙ୍କାର ଚିକିତ୍ସା ଭତ୍ତା ପ୍ରଦାନ ବ୍ୟବସ୍ଥା ରହିଛି। କିନ୍ତୁ ପୂର୍ବତନ ବିଧାୟକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ନାହିଁ। ଏ ନେଇ ସେମାନଙ୍କ ପାଇଁ ମାସିକ ଚିକିତ୍ସା ଭତ୍ତାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଇନରେ ସଂଶୋଧନ ପାଇଁ ଆଗତ ବିଲ୍‌କୁ ଆଜି ଗୃହରେ ପାରିତ ହୋଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବିଲ୍‌ ଆଗତ କରି ପୂର୍ବତନ ବିଧାୟକଙ୍କୁ ମାସିକ ୨ ହଜାର ଟଙ୍କାର ଚିକିତ୍ସା ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯାଇଥିବା କହିଥିଲେ। ଏହି ବିଲ୍‌କୁ ବରିଷ୍ଠ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମର୍ଥନ କରିବା ପରେ ଏହା ପାରିତ ହୋଇଥିଲା। ଏହି ବିଲ୍‌ ଉପସ୍ଥାପନ କରାଯିବା ବେଳେ ଗୃହରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର