ଖର୍ଚ୍ଚ ହୋଇପାରୁନି ଅନୁଦାନ : ତାଳଚେର-ବିମଳାଗଡ଼ ରେଳପଥ ପାଇଁ ବଜେଟ୍‌ ଅର୍ଥ ଅଧା କମିଲା

ରାଉରକେଲା : ରାଜ୍ୟ ସରକାରଙ୍କର ଅନ୍ତରିକତାର ଅଭାବ ଏବଂ ପ୍ରଶାସନର ଢିଲାପଣ ପାଇଁ ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟ ନିର୍ଧାରିତ ସମୟରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ରେଳ ବଜେଟ୍‌ରେ ଏଥର ଏଥିପାଇଁ ଖୁବ୍‌ କମ୍ ଅର୍ଥ ଦିଆଯାଇଛି, ଯାହା ବିଗତ ଆର୍ଥିକ ବର୍ଷ ଅପେକ୍ଷା ଅଧାରୁ ମଧ୍ୟ କମ୍।

ଚଳିତ ଆର୍ଥିକ ବର୍ଷ (୨୦୧୯-୨୦୨୦)ରେ ରେଳ ବଜେଟ୍‌ରେ ତାଳଚେର- ବିମଳାଗଡ଼ ରେଳପଥ ପାଇଁ ମାତ୍ର ୧୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ୨୦୧୮-୨୦୧୯ ମସିହାରେ ଏହି ରେଳପଥ ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏହି ଅର୍ଥ ଖର୍ଚ୍ଚ ହୋଇ ନ ପାରିବାରୁ ଏଥର ବଜେଟ୍‌ରେ ଅନୁଦାନକୁ କମାଇ ଦିଆଯାଇଥିବା କୁହାଯାଉଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ରେଳପଥ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ରେଳପଥ ପାଇଁ ଜମି ଅଧିଗ୍ରହଣ ଓ ରେଳ ପଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରବର୍ତ୍ତି ସମୟରେ ଅଧିକ ମଞ୍ଜୁର ହୋଇଥିଲେ ମଧ୍ୟ ଏହି ଅର୍ଥକୁ ବିନିଯୋଗ କରା ନଯାଇ ପକାଇ ରଖାଯାଇଥିଲା। ତେଣୁ ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ଅଧିକ ଅର୍ଥ ମିଳିଥିବା ବେଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଖୁବ୍ କମ୍ ଅର୍ଥ ମଞ୍ଜୁର କରାଯାଇଛି।

ଏହି ରେଳପଥ ନିର୍ମାଣ ହେଲେ ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ଦୂରତା ପ୍ରାୟ ୧୦୦ କିମି କମିଯିବ। ଖଣିଜ ଏବଂ ଶିଳ୍ପ ସଂପର୍କୀତ ମାଲ ପରିବହନ କ୍ଷେତ୍ରରେ ଏହା ଆହୁରି ଅଧିକ ଲାଭପ୍ରଦ ହେବ। ସେଥିପାଇଁ ପାଇଁ ୧୯୬୯ ମସିହାରୁ ରାଉରକେଲା ଛାତ୍ର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରି ଆସୁଛି। ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସି˚ହଦେଓ ଛାତ୍ରମାନଙ୍କ ଯଥାର୍ଥ ଦାବିକୁ ହୃଦୟଙ୍ଗମ କରି, ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଏହାପରେ କିନ୍ତୁ ଓଡିଶା ସରକାର ନିରବ ରହିଗଲେ। ୨୦୦୩-୦୪ ମସିହା‌ରେ ଏହି ରେଳପଥ କ୍ୟାବିନେଟ ଅନୁମୋଦନ ଲାଭ କଲା। କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ବି ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ପାରିଲେ ନାହିଁ।

ସମ୍ବନ୍ଧିତ ଖବର