ନିର୍ବାଚନୀ ପ୍ରସଙ୍ଗ ହେବ ବିମଳାଗଡ଼-ତାଳଚେର ରେଳପଥ

ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳରେ ଅସନ୍ତୋଷ ଦାନା ବାନ୍ଧୁଛି

ରାଉରକେଲା : ଅର୍ଥର ଅଭାବ ନାହିଁ, ମାତ୍ର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରାଜ୍ୟ ପ୍ରଶାସନର କଚ୍ଛପ ଗତି ଯୋଗୁଁ ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ। ଏହି କାରଣରୁ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବାରୁ ଆଗାମୀ ନିର୍ବାଚନରେ ବିଜେପି ଏହାକୁ ପ୍ରସଙ୍ଗ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ପାରାଦୀପ ବନ୍ଦରରୁ ରାଜ୍ୟର ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳ ଦେଇ ଉତ୍ତର ଭାରତକୁ ସଂଯୋଗ କରିବା ପାଇଁ ନିର୍ମାଣ ହେବାକୁ ଥିବା ଫ୍ରେଟ୍‌ କରିଡ଼ରରେ ତାଳଚେର-ବିମଳାଗଡ଼ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ଉଭୟ ଯାତ୍ରୀ ଓ ମାଲ ପରିବହନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ଇସ୍ପାତ ସହର ରାଉରକେଲା ଓ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ଦୂରତ୍ୱ କେବଳ ଯେ ୧୩୦ କିଲୋମିଟର ହ୍ରାସ ପାଇବ ତାହା ନୁହେଁ, ବରଂ ରାଉରକେଲା- ସମ୍ବଲପୁର-ଭୁବନେଶ୍ୱର ରେଳପଥରେ ଲାଗି ରହିଥିବା ଭିଡ଼ ହ୍ରାସ ପାଇବ। ଅନ୍ୟ ପକ୍ଷରେ ଝାଡ଼ଖଣ୍ଡ ସହ ରେଳ ଯୋଗାଯୋଗ ମଧ୍ୟ ଅଧିକ ସହଜ ହେବ।

ଏସବୁ ସମ୍ଭାବନା ଦୃଷ୍ଟିରୁ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣକୁ ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାର ହେଳା ନକରି ଜମି ଅଧିଗ୍ରହଣ କରିବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିୟମିତ ବ୍ୟବଧାନରେ ଚିଠି ଲେଖି ଆସିଛନ୍ତି। ମାସେ ପୂର୍ବେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟପାଳ ଏସ୍‌.ସି ଜମିର୍‌ଙ୍କୁ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦିଆଯାଇଥିବା ସ୍ମାରକପତ୍ରରେ ମଧ୍ୟ ଜମି ଅଧିଗ୍ରହଣ ତ୍ୱରାନ୍ଵିତ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ଏସବୁ ସତ୍ତ୍ୱେ ବିକାଶର ଦ୍ୱାହି ଦେଉଥିବା ବିଜେଡି ସରକାର ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଜମି ଅଧିଗ୍ରହଣକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିଜେପି ଯୁବ ମୋର୍ଚ୍ଚା ନେତାମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୪ ବର୍ଷ ପୂର୍ବରୁ ରେଳ ମନ୍ତ୍ରାଳୟର ଅନୁମୋଦନ ଲାଭ କରିଥିବା ୧୪୯.୭୮ କିମି ଦୈର୍ଘ୍ୟବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳପଥର ବ୍ୟୟ ଅଟକଳ ୧,୯୨୮ କୋଟି ଟଙ୍କା ଥିବା ବେଳେ ତାଳଚେର ପଟୁ ୪୦.୫ କିମି ପର୍ଯ୍ୟନ୍ତ ଉଭୟ ପଟୁ ୯୭.୩୦୪ ଏକର ଜମି ଅଧିଗୃହୀତ ହୋଇନଥିବା ବେଳେ ୨୫ କିମି ପର୍ଯ୍ୟନ୍ତ ନିର୍ମାଣ ଶେଷ କରିବାକୁ ୨୦୧୭ ଅଗଷ୍ଟକୁ ମିଆଦ ଧାର୍ଯ୍ୟ କରାଯାଇଥିଲା। ତେବେ ଏହା ସମ୍ଭବ ନହେବାରୁ ମିଆଦକୁ ଆଉ ଏକ ବର୍ଷ ଘୁଞ୍ଚାଯାଇଛି। ଜମି ଅଧିଗ୍ରହଣ ହୋଇନଥିବାରୁ ତାଳଚେରଠାରୁ ୪୦ କିମି ମଧ୍ୟରେ କେବଳ କଲଭର୍ଟ ନିର୍ମାଣ ଭଳି କାଁ-ଭାଁ ନିର୍ମାଣ ଚାଲିଛି। ପ୍ରସ୍ତାବିତ ରେଳପଥର ଉଭୟ ପଟୁ ୯୮୧ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ମାତ୍ର ୨୯୭.୧୨ ଏକର ଘରୋଇ ଜମି ଅନୁଗୁଳ ଜିଲ୍ଲାରେ ଅଧିଗୃହୀତ ହୋଇଛି। ପ୍ରାୟ ୬୦୦ ଏକର ଜଙ୍ଗଲ ଜମି ପାଇଁ ଅନୁମତି ଓ ସରକାରୀ ଜମି ହସ୍ତାନ୍ତର ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଲାଗି ରହିଛି।

ସମ୍ବନ୍ଧିତ ଖବର