କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି ବୀଣାପାଣି

ଫୁଲବାଣୀ, (ବଟକୃଷ୍ଣ ବିହାରୀ): ଗରିବ ପରିବାରରେ ତାଙ୍କର ଜନ୍ମ। ପିଲାଟି ଦିନରୁ ହିଁ ସାମାଜିକ କାର୍ଯ୍ୟକଳାପ ସହ ସାମିଲ ହେବା, ସମାଜରେ ଦେଖା ଦେଉଥିବା କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିବା ଏବଂ ଜନ ସଚେତନତା ସୃଷ୍ଟି କରିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ । ହେଲେ ବାପଘରେ ଯାହା ସମ୍ଭବ ହୋଇ ପାରି ନଥିଲା, ଆଜି ଶାଶୂ ଘରକୁ ଆସିବା ପରେ ତାହା ପୂରଣ ହୋଇଛି। ଆଉ ସେଇ ସଦିଚ୍ଛା ପୂରଣ ହେବା ପଛରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସ୍ବାତୀ’ ତାଙ୍କ ପାଇଁ ବରଦାନ ସଦୃଶ ସହଯୋଗ କରିଛି ବୋଲି କହନ୍ତି ସମାଜସେବୀ ବୀଣାପାଣି ନାୟକ।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ମାଲେରିମାହାରେ ବୀଣାପାଣିଙ୍କ ବାପଘର। ଅଧିକ ପାଠ ପଢି ସମାଜ ପାଇଁ କିଛି କରିବା ସକାଶେ ତାଙ୍କର ଇଚ୍ଛା ଥିଲା। ହେଲେ ପରିବାରର ଆର୍ଥିକ ସମସ୍ୟା ଏଥିରେ ବାଧା ସୃଷ୍ଟି କରିଥିଲା। ବିବାହଯୋଗ୍ୟା ହେବା ପରେ ବାପା-ମା ବୀଣାପାଣିଙ୍କ ପାଇଁ ବରପାତ୍ର ଖୋଜିଥିଲେ। ହେଲେ ବୀଣାପାଣି ବାହା ହେବାକୁ ପ୍ରଥମେ ମନା କରିଥିଲେ। କାଳେ ବିବାହ ପରେ ଶ୍ବଶୂର ଘର ପରିବାର ତାଙ୍କର ଇଚ୍ଛା ପୂରଣ କରିବାରେ ଅନ୍ତରାୟ ସୃଷ୍ଟି କରିବେ। ହେଲେ, ପରବର୍ତ୍ତୀ ସମୟରେ ବାପା-ମା’ଙ୍କ ନିଷ୍ପତ୍ତିକୁ ମାନି ନେଇ ରାଜମିସ୍ତ୍ରୀ ଭା‌ବେ କାମ କରୁଥିବା ଚାଞ୍ଚେଡ଼ିର ଜଣେ ଯୁବକଙ୍କୁ ସେ ବାହା ହେଲେ। ବୀଣାପାଣିଙ୍କ ସଂସାର ସୁଖରେ ଆଗକୁ ବଢ଼ିଲା। ବର୍ତ୍ତମାନ ଝିଅ ଦଶମ ଶ୍ରେଣୀରେ ଓ ପୁଅ ନବମ ଶ୍ରେଣୀରେ ପଢୁଛନ୍ତି। ଏତେ ସବୁ ଜଞ୍ଜାଳ ଓ ବନ୍ଧନ ମଧ୍ୟରେ ସେ ସାମାଜିକ କୁସଂସ୍କାର ବିରୋଧରେ ନିଜର ସଂଗ୍ରାମ ଜାରି ରଖିବା କଥା ଅବଶ୍ୟ ଭୁଲି ନ ଥିଲେ। ହେଲେ, ସୁଯୋଗ ମିଳୁ ନଥାଏ। ଥରେ ‘ସ୍ବାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ କୌଣସି କାମରେ ଚାଞ୍ଚେଡ଼ି ଯାଇଥିଲେ। ସେହି ସମୟରେ ବୀଣାପାଣି ତାଙ୍କୁ ଦେଖା କରି ନିଜର ଅଭିଳାଷ ବ୍ୟକ୍ତ କରିଥିଲେ। ବୀଣାପାଣିଙ୍କ ଅଭିଳାଷ ପୂରଣ କରିବା ନିମନ୍ତେ ସବୁ ପ୍ରକାର ସାହାଯ୍ୟ କରିବାକୁ ଶ୍ରୀ ରାଉତ ପ୍ରତିଶ୍ରୁତି ଦେଇଥିଲେ। ତାପରେ ‘ସ୍ବାତୀ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ମ୍ୟାଲେରିଆ ସଚେତନତା କାର୍ଯ୍ୟରେ ବୀଣାପାଣିଙ୍କୁ ଶ୍ରୀ ରାଉତ କାମ କରିବାର ସୁଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଲୋକଙ୍କର ଏତେ ପ୍ରିୟଭାଜନ ହୋଇଗଲେ ଯେ ବୀଣାପାଣିଙ୍କୁ ସରପଞ୍ଚ ହେବାର ସୁଯୋଗ ମଧ୍ୟ ଆସିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ ଚାଞ୍ଚେଡ଼ି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଉନ୍ନୟନମୂଳକ କାର୍ଯ୍ୟରେ ସବୁ ପ୍ରକାରେ ସହଯୋଗ କରିବା ସହ ଜନସାଧାରଣଙ୍କ ଆହୁରି ଅଧିକ ପ୍ରିୟଭାଜନ ହେବାର ସୌଭାଗ୍ୟ ପାଇଲେ।

ତେବେ ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ରାଜନୀତିରୁ ନିଜକୁ ଦୂରେଇ ସଂପ୍ରତି ସେ ପୂର୍ବଭଳି ‘ସ୍ବାତୀ’ ଅନୁଷ୍ଠାନ ସହ ଜଡ଼ିତ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ଅନନ୍ୟା କାର୍ଯ୍ୟକ୍ରମ ଜରିଆରେ ବାଲ୍ୟବିବାହ ବିରୋଧରେ ସେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଏହାକୁ ଶାଶୂଘର ଲୋକେ ପ୍ରଥମେ ପସନ୍ଦ କରୁ ନଥିଲେ। ତେବେ ବୀଣାପାଣିଙ୍କ ଆଗ୍ରହ ଦେଖି ଏବେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ଏମିତି କି ପୁଅ ଓ ଝିଅ ବି ବୀଣାପାଣିଙ୍କୁ ଏଭଳି କାର୍ଯ୍ୟ ପାଇଁ ଅଧିକ ସମୟ ଦେବାକୁ କହୁଛନ୍ତି।

ପରିବାର ଜଞ୍ଜାଳ ସହ ପୁଅ ଓ ଝିଅକୁ ପାଠ ପଢାଇ ଭଲ ମଣିଷ କରିବାକୁ ହେବ। ସେଥିପ୍ରତି ତାଙ୍କର ନିଷ୍ଠା ରହିଛି। ତେବେ, ଯେତିକି ସମୟ ସେ ପାଉଛନ୍ତି, ସମାଜ ପାଇଁ ଆହୁରି ଅଧିକା କିଛି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହନ୍ତି। କେବଳ ଘରେ ବସି ରହିବା ଠିକ ନୁହେଁ, ସମାଜ ପାଇଁ କିଛି କରିବାକୁ ମହିଳାମାନେ ସଦାସର୍ବଦା ଆଗେଇ ଆସିବା ସକାଶେ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର