ଆତଙ୍କିତ କଲାଣି ପକ୍ଷୀ ମଡ଼କ

କୃଷ୍ଣପ୍ରସାଦରେ କୁକୁଡ଼ା ମରା ଅଭିଯାନ ଜାରି, ପାରାଦୀପ, ରାଉରକେଲା,କଣିହାଁରୁ ନମୁନା ସଂଗ୍ରହ

ଭୁବନେଶ୍ବର : ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଦେଖାଦେଲାଣି। ଯଦିଓ ଅନ୍ୟ କୌଣସି ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନି, ତେବେ ପକ୍ଷୀ ମଡ଼କ ନେଇ ଲୋ‌େକ ଆତଙ୍କିତ ହୋଇପଡ଼ିଛନ୍ତି। ବିଭିନ୍ନ ଜିଲ୍ଲାରୁ ପକ୍ଷୀ ମଡ଼କ ଖବର ଆସିବାରେ ଲାଗିଛି। କୃଷ୍ଣପ୍ରସାଦରେ ଗତକାଲି ପରି ଆଜି କୁକୁଡ଼ା ମରା ଅଭିଯାନ ଜାରି ରହିଛି। ପୁରୀର କଣାସ, ଅନୁଗୁଳର କଣିହାଁ, ପାରାଦୀପ ଓ ରାଉରକେଲାରୁ ଆଜି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

କୃଷ୍ଣପ୍ରସାଦ ବ୍ଳକର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳ (ରେଡ୍‌ ଜୋନ୍)ରେ ଆଜି ଦ୍ବିତୀୟ ଦିନରେ କୁକୁଡା ମରା ଅଭିଯାନ ଶେଷ ହୋଇଛି। ଆସନ୍ତାକାଲି ୟେ‌େଲା ଜୋନ୍‌‌ ଅର୍ଥାତ ପ୍ରଭାବିତ ଅଞ୍ଚଳରୁ ୧୦ କିମି ମଧ୍ୟରେ ଥିବା ଅଞ୍ଚଳରେ କୁକୁଡା ମରା ଅଭିଯାନ ଆରମ୍ଭ ହେବ। ଷ୍ଟାଣ୍ତାର୍ଡ ଅପରେଟିଭ୍‌ ପ୍ରୋସିଜିଓର (ଏସଓପି) ଅନୁଯାୟୀ ଗତକାଲି ପ୍ରଥମ ଦିନରେ ପ୍ରଭାବିତ ଅଞ୍ଚଳରୁ ୩୯୯ଟି କୁକୁଡା ମରାଯାଇ ପୋତା ଯାଇଛି। ଆଜି ସକାଳେ ୫ଟି ରାପିଡ୍‌ ରେସପନ୍‌ସ ଟିମ୍‌ କୃଷ୍ଣପ୍ରସାଦର ବାର୍ଡ ଫ୍ଲୁ ପ୍ରଭାବିତ ଲଳିତାକୁଦା, ପଥରଗଞ୍ଜ, ଅଲଦାବାଦ, ସାନସାହି, ଖୋଲଗଞ୍ଜ, ମାଲୁଦ ପ୍ରଭୃତି ଅଞ୍ଚଳରେ କୁକୁଡାମରା ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ଦିନରେ ୨୭୬ଟି କୁକୁଡା ମରାଯିବା ସହିତ ୯୪ଟି ଅଣ୍ତା ଓ ୫ କେଜି କୁକୁଡା ଖାଦ୍ୟ ନଷ୍ଟ କରାଯାଇଛି। କ୍ଷତିଗ୍ରସ୍ତ କୁକୁଡା ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯିବା ଲାଗି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି। ପ୍ରଭାବିତ ଅଞ୍ଚଳର ଏକ କିଲୋମିଟର ପରିସରକୁ ରେଡ୍ ଜୋନ୍‌ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେଠାରୁ ୧୦ କିଲୋମିଟର ୟଲୋ ଜୋନ୍‌ ଓ ତା’ ପରଠାରୁ ଅରେଞ୍ଜ୍‌ ଜୋନ୍‌ ଭାବେ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ପାଇଁ ଭୟଭୀତ ନ ହେବା ଲାଗି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଜା ପଟ୍ଟନାୟକ କହିଛନ୍ତି। ସେହିପରି କୃଷ୍ଣପ୍ରସାଦର ପଡ଼ୋଶୀ ବ୍ଳକ କଣାସରେ ବାର୍ଡ ଫ୍ଲୁ ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଗୁଆ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାରେ କୁକୁଡା ଓ ଅଣ୍ଡା ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ବିଦେଶୀ ପକ୍ଷୀଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି ବୋଲି କଣାସ ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ବିଭୂତି ଭୂଷଣ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପାରାଦୀପର ବଡ଼ପଡିଆ, ନେହେରୁ ବଙ୍ଗଳା, ଅଠରବାଙ୍କୀ ଓ ଷଣ୍ଢକୁଦ ଆଦି ଅଞ୍ଚଳରେ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ବିଭିନ୍ନ ସ୍ଥାନରୁ ୨୪ଟି ମୃତ କାଉଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପଟେ ପାରାଦୀପରେ କିଛି ଦିନ ହେଲା ବିଭିନ୍ନ ଅଞ୍ଚଳରେ କାଉ ମରି ପଡ଼ୁଥିଲେ ବି ପଶୁ ପାଳନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଇ ଏହାକୁ ତରବରିଆ ଭାବେ ପୋଡ଼ି ଦେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଗତବର୍ଷ ଭଳି ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନ୍‌ଟିପିସି ବଜାରରେ ଦେଖା ଦେଇଛି କାଉ ମଡ଼କ। ଏକ ଆଜବେଷ୍ଟସ ଘର ଛାତ ଉପରେ ଗତକାଲି ଦୁଇ କାଉଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ସୂଚନା ପାଇ ସ୍ଥାନୀୟ ଭିଏଏସ୍ କମଳଲୋଚନ ଦାସ ଆଜି ଦୁଇ ମଲା କାଉଙ୍କ ଶବ ଜବତ କରିବା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।

ରାଉରକେଲାର ବିଭିନ୍ନ ଅଞ୍ଚଳରୁ ଆଜି ୫୨ଟି ନମୁନା ସଂଗ୍ରହ କରାଯାଇଛି। ଆଇଜି ପାର୍କରୁ ୭ଟି ନମୁନା ସଂଗ୍ରହ କରାଯାଇଥିବାବେଳେ ଛେଣ୍ଡ ଅଞ୍ଚଳରୁ ୨ଟି, ବାଗୁଡ଼ି ବସ୍ତିରୁ ୧୦ଟି, ବାସନ୍ତୀ କଲୋନି ଗୁଆଳା ଖଟାଲରୁ ୧୮ଟି ଏବଂ ଏସ୍‌ଟିଆଇ ଛକ ୧୫ଟିରୁ ଏହି ନମୁନା ସଂଗ୍ରହ ହୋଇଛି। ଉଭୟ ଗୃହ ପାଳିତ ଓ ବଜାରରେ ମିଳୁଥିବା ପଶୁପକ୍ଷୀଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ରାଉରକେଲା ବଜାରକୁ ବାହାରୁ ବ୍ରଏଲର୍‌ କୁକୁଡ଼ା ଆମଦାନୀ ହେଉଥିବାରୁ ଆଜି ବିଭାଗ ପକ୍ଷରୁ ଏସ୍‌ଟିଆଇ ଛକରେ ଥିବା ବିଭିନ୍ନ କୁକୁଡ଼ା ଦୋକାନ‌ରୁ ନମୁନା ସଂଗ୍ରହ କରା ଯାଇଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ପି.କେ. ମହାରଣାଙ୍କ ନେତୃତ୍ବରେ ୪ ଜଣିଆ ଦଳ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରିଥିଲେ। ଯଦିଓ ରାଉରକେଲାରେ ବାର୍ଡ ଫ୍ଲୁ ବ୍ୟାପି ଥିବା ନେଇ ଆନୁଷ୍ଠାନିକ ଭାବେ ଜଣା ପଡ଼ି ନାହିଁ, ତେବେ ପକ୍ଷୀଗୁଡ଼ିକର ମୃତ୍ୟୁ ନେଇ ଲୋକେ ଭୀଷଣ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର