ଭୁବନେଶ୍ୱରରେ ବାର୍ଡ ଫ୍ଲୁ ! ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ

ଭୁବନେଶ୍ୱର: କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଭୁବନେଶ୍ବରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଭଳି ଚାଞ୍ଚଲ୍ୟକର ଖବର ମିଳିଛି। ସୂଚନା ଅନୁସାରେ, ଗତ ଦୁଇଦିନ ହେଲା ଓଡ଼ିଶା କୃଷି ବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି  କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ଆଜି ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ  ରିପୋର୍ଟ  ପିଜିଟିଭ୍‌ ଆସିବା ପରେ କୁକୁଡା ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ଏହାପରେ ବାର୍ଡ ଫ୍ଲୁ ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି। 

ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିବା ପରେ ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ଏଥିସହ ବାର୍ଡ ଫ୍ଲୁ ରିପୋର୍ଟ ପିଜିଟିଭ୍‌ ଆସିଥିବା ସୂଚନା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଓୟୁଏଟି ପାଥୋଲୋଜି ମୁଖ୍ୟ ସୁରେଶ ପଣ୍ଡା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Image result for bird flu in bhubaneswar

ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ହୋଇଥିବା ନେଇ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ ବି କରାଯାଇଛି। ଓୟୁଏଟି ଠାରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି। ଓୟୁଏଟି ଫାର୍ମରେ ଶହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ମିଳିଛି। ରାଜ୍ୟରେ କରୋନା ଭୂତାଣୁ ପରେ ବାର୍ଡ ଫ୍ଲୁ ଆତଙ୍କ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର