କଟକରେ ବାର୍ଡ ଫ୍ଲୁ : ଚିକେନ୍‌ ଏବଂ ଅଣ୍ଡା ନ ଖାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ

କଟକ : କଟକ ସହରରେ ବ୍ୟାପିଛି ବାର୍ଡ ଫ୍ଲୁ। ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ବତକରୁ ଭୂତାଣୁ ଚିହ୍ନଟ ହେବା ପରେ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବିଶେଷ କରି ଏହି କେନ୍ଦ୍ରର ୧କିଲୋମିଟର ପରିଧି ଭିତରେ ରହୁଥିବା ଏକାଧିକ ଦୋକାନ ଉପରେ ଚଢ଼ଉ କରାଯାଇ ୫୨୭ଟି କୁକୁଡ଼ା ଓ ବତକକୁ ମାରି ଦିଆଯାଇଥିବା ବେଳେ ୯୯୬୮ଅଣ୍ଡା ଏବଂ ୩କୁଇଣ୍ଟାଲ୍‌ ୬୮କେଜି ଦାନା ନଷ୍ଟ କରାଯାଇଛି। ଏଥିସହିତ ଉକ୍ତ ୧କିଲୋମିଟର ଅଂଚଳ ଭିତରେ ଆସନ୍ତା ୩ମାସ ଯାଏଁ ମାଂସ ଦୋକାନ ବନ୍ଦ କରିବା ପାଇଁ କୁହାଯିବା ସହ ଚିକେନ୍‌ ଏବଂ ଅଣ୍ଡା ନ ଖାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ଗତ ୨୩ରୁ ୨୮ ତାରିଖ ମଧ୍ୟରେ ୨୩୫ବତକର ମୃତ୍ୟୁ ଘଟିଥିଲା। ଏତେ ସଂଖ୍ୟକ ବତକର ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିବା ପରେ ଜିଲ୍ଲା ପ୍ରାଣୀ ସଂପଦ ବିଭାଗୀୟ କର୍ତୃପକ୍ଷ ଭୋପାଳସ୍ଥିତ ଉଚ୍ଚ ପରୀକ୍ଷାଗାରକୁ ଏହାର ନମୁନା ଯାଞ୍ଚ ପାଇଁ ପଠାଇଥିଲେ। ତେବେ ଗତ ୨୮ତାରିଖ ସଂଧ୍ୟାରେ ବାର୍ଡ ଫ୍ଲୁ’ ସଂକ୍ରମଣ କାରଣରୁ ବତକ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିବା ପରେ କର୍ତୃପକ୍ଷ ତତ୍ପରତା ପୂର୍ବକ ଫାର୍ମରେ ଥିବା ବାକି ୪୩୫ବତକକୁ ମାରି ଦେଇଥିଲେ। ଏହାପରେ ୧୦ଟି ଟିମ୍‌ ଗଠନ କରାଯାଇ ଚିକେନ୍ ଦୋକାନ ଉପରେ ଚଢ଼ଉ ଆରମ୍ଭ ହୋଇଥିଲା। ଗତ ୨୯ରୁ କେନ୍ଦ୍ରର ୧କିଲୋମିଟର ଅଂଚଳ ଭିତରେ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ଆଜି ଖପୁରଆ, ପ୍ରେସ ଛକ, ବାଲିସାହି, ନୂଆପଡା, ମଧୁପାଟଣା, କଲ୍ୟାଣ ନଗର, ଛତ୍ରବଜାର, ଖାନନଗର, କାଜିଢିହ, ଅନ୍ଦରପୁର ଅଞ୍ଚଳରେ ଥିବା ବିଭିନ୍ନ ଚ‌ିକେନ୍ ଦୋକାନ ଉପରେ ଚଢ଼ଉ କରାଯାଇଥିଲା। ଆଜି ସୁଦ୍ଧା ମୋଟ୍ ୪୩୫ ବତକ ଏବଂ ୯୨ଟି କୁକୁଡ଼ା ମରାଯାଇଛି। ଏହା ସହିତ କ୍ଷତିପୂରଣ ବାବଦକୁ ବ୍ୟବସାୟୀଙ୍କୁ ୧୮ହଜାର ୮୬୯ଟଙ୍କା କ୍ଷତିପୂରଣ ଦିଆଯାଇଛି। ଆସନ୍ତାକାଲି ବି ଚଢ଼ଉ ଜାରି ରହିବ।

ଖାସ୍‌ କରି ବତକ ପ୍ରଜନନ କେନ୍ଦ୍ରର ୧କିଲୋମିଟର ଅଂଚଳରେ ବ୍ୟବସାୟୀ ମାନଙ୍କୁ ତିନି ମାସ ଯାଏଁ ଦୋକାନ ନ ଖୋଲିବା ପାଇଁ ପରାମର୍ଶ ଦିଆଯିବା ସହ ଲୋକ ମାନଙ୍କୁ ଚିକେନ୍‌, ଅଣ୍ଡା ଏବଂ ଫାଷ୍ଟଫୁଡ୍‌ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରାଣୀ ବିଭାଗ କର୍ତୃପକ୍ଷ କହିଛନ୍ତି, ପ୍ରଶାସନ ପରିସ୍ଥିତି ଉପରେ ସଂପୂର୍ଣ୍ଣ ସଜାଗ ରହିଛି। ୧୦ଟି ଟିମ୍‌ ଗଠନ କରାଯାଇ କୁକୁଡ଼ା ଓ ବତକକୁ ମାରି ପୋତା ଯାଉଛି। ୧କିଲୋମିଟର ଅଂଚଳ ଯାଏଁ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ ଲୋକମାନଙ୍କୁ ୩ମାସ ଯାଏଁ ଚିକେନ୍‌ ଓ ଅଣ୍ଡା ନ ଖାଇବା ପାଇଁ ସତର୍କ କରାଯାଇଛି। ୧୦କିଲୋମିଟର ଯାଏଁ କିନ୍ତୁ ସଂକ୍ରମଣ ଆଶଙ୍କା ରହିଥିବାରୁ ସେହି ସବୁ ଅଂଚଳରେ ବି କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ମଟନ୍‌ କିମ୍ବା ମାଛ ଖାଇଲେ କିଛି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର