ଓୟୁଏଟିରେ ବାର୍ଡ ଫ୍ଲୁ: ମରାଗଲା ୯୧୫ କୁକୁଡ଼ା, ଆଜି ୧୦ କିମି ପର୍ଯ୍ୟନ୍ତ ହେବ ‌ଯାଞ୍ଚ

୭ ବତକ, ୪୬୩୧ ଅଣ୍ଡା ନଷ୍ଟ, ଦିଆଗଲା ୧୮ ହଜାର କ୍ଷତିପୂରଣ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁକୁଡ଼ା ଫାର୍ମରେ ବା‌ର୍ଡ ଫ୍ଲୁ ଜଣାପଡ଼ିବା ପରେ ଆଜିଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓୟୁଏଟି ଫାର୍ମ ସମେତ ଏହାର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ୯୧୫ଟି କୁକୁଡ଼ା ଓ ୭ଟି ବତକଙ୍କୁ ମରାଯାଇଛି। ଏଥିସହ ୪ ହଜାର ୬୩୧ଟି ଅଣ୍ଡା, ୨ ହଜାର ୩୫୭ କିଲୋଗ୍ରାମ କୁକୁଡ଼ା ଖାଦ୍ୟ ଓ ଫାର୍ମର କୁକୁଡ଼ା ଖତ ଗଭୀର ଗାତରେ ପୋତି ଦିଆଯାଇଛି। ପୋତିବା ସମୟରେ ଗାତରେ ବିଶୋଧକ ଭାବେ ଚୂନ ଓ ବ୍ଲିଚିଂ ପାଉଡର ପ୍ରୟୋଗ କରାଯାଇଥିଲା। ସଂକ୍ରମିତ ସ୍ଥାନରେ ମଧ୍ୟ ସେମାନେ ବିଶୋଧକ ଭାବେ ବ୍ଲିଚିଂ ପାଉଡ଼ର ପ୍ରୟୋଗ କରିଥିଲେ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁକୁଡ଼ା ମରିବା ପାଇଁ ୭ଟି ରାପିଡ୍‌ ରେସପନ୍ସ ଟିମ୍‌ ନିୟୋଜିତ ହୋଇଥିଲେ। ଦୁଇଟି ଟିମ୍‌ ସଂକ୍ରମିତ ସ୍ଥାନରେ ୭୯୮ଟି କୁକୁଡ଼ା ମାରିବା ସହ ଓୟୁଏଟି ଫାର୍ମରେ ୧୨୧୫ଟି ଅଣ୍ଡା, ୨୩୫୦ କେଜି କୁକୁଡ଼ା ଖାଦ୍ୟ ଓ ଫାର୍ମରେ ଥିବା କୁକୁଡ଼ା‌ ଖତ ଗଭୀର ଗାତରେ ପୋତି ଦେଇଛନ୍ତି। ଆଉ ୫ଟି ଟିମ୍‌ ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଆଜି କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ଥିଲେ। ସେମାନେ ଏହି ଅଞ୍ଚଳରେ ଥିବା କୁକୁଡ଼ା ଦୋକାନ ଓ କୁକୁଡ଼ା ଚାଷୀଙ୍କ ୧୧୭ଟି କୁକୁଡ଼ା ଓ ୭ଟି ବତକଙ୍କୁ ମାରି ପୋତିଥିଲେ। ଏଥିସହ ସେମାନେ ୩ ହଜାର ୪୧୬ଟି ଅଣ୍ଡା ଓ ୭ କିଲୋଗ୍ରାମ କୁକୁଡ଼ା ଖାଦ୍ୟ ଗଭୀର ଗାତରେ ପୋତି ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ୧୧ଟି ବ୍ରଏଲର ଚିଆଁ, ୮୫୯ଟି ଲେୟର କୁକୁଡ଼ା, ୭ଟି ବତକ, ୪ ହଜାର ୬୩୧ ଅଣ୍ଡା ଓ ୨ ହଜାର ୩୫୭ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଛି। କ୍ଷତିପୂରଣ ବାବଦକୁ ବ୍ରଏଲର ଚିଆଁ ପ୍ରତି ୨୦ ଟଙ୍କା, ବ୍ରଏଲର କୁକୁଡ଼ା ପ୍ରତି ୭୦ ଟଙ୍କା, ଲେୟର ଚିଆଁ ପ୍ରତି ୨୦ ଟଙ୍କା‌, ଲେୟର କୁକୁଡ଼ା‌ ପ୍ରତି ୯୦ ଟଙ୍କା, ବତକ ଚିଆଁ ପ୍ରତି ୩୫ ଟଙ୍କା, ବତକ ପ୍ରତି ୧୩୫ ଟଙ୍କା, ଅଣ୍ଡା ପ୍ରତି ୩ ଟଙ୍କା ଓ କୁକୁଡ଼ା ଦାନା କିଲୋ ପିଛା ୧୨ ଟଙ୍କା ହିସାବରେ ମୋଟ ୧୭ ହଜାର ୮୮୭ ଟଙ୍କାର କ୍ଷତିପୂରଣ ବଣ୍ଟନ କରାଯାଇଛି। ଓୟୁଏଟି କୁକୁଡ଼ା ଫାର୍ମ ସରକାରୀ ଫାର୍ମ ହୋଇଥିବାରୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ବୁଧବାର ମଧ୍ୟ କୁକୁଡ଼ା ମରା ଅଭିଯାନ ଚାଲିବ। ବିଶୋଧନ ପ୍ରକ୍ରିୟା ଓୟୁଏଟି କୁକୁଡ଼ା ଫାର୍ମ ଓ ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଆସୁଥିବା ଅଞ୍ଚଳଗୁଡ଼ିକ ଚାଲୁରହିବ। ଏହାବ୍ୟତୀତ ୧ରୁ ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ରାପିଡ ରେସପନ୍ସ ଟିମ୍‌ଗୁଡ଼ିକ ଦ୍ବାରା ତନ୍ନ ତନ୍ନ କରି ନିରୀକ୍ଷଣ କରାଯିବ।

ସମ୍ବନ୍ଧିତ ଖବର