ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ, ୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ମାରୁଛନ୍ତି କୁକୁଡ଼ା

ଭୁବନେଶ୍ୱର: ବାର୍ଡ ଫ୍ଲୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ବରିତ କାର୍ଯ୍ୟକାରୀ ଦଳ(ରାପିଡ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ ରେସପନ୍ସ ଟିମ୍‌ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିଛନ୍ତି । ଏହା ପରେ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେଗୁଡ଼ିକୁ ମାରିବାର ବ୍ୟବସ୍ଥା କରାଯିବ । ନିରୀକ୍ଷଣ ଅଞ୍ଚଳରେ ନି‌ୟୋଜିତ ଥିବା ତ୍ବରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ।

ସେହିପରି ବାର୍ଡ଼ ଫ୍ଲୁକୁ ସଂକ୍ରମଣ ସଂପର୍କିତ ନିୟମାବଳୀ ଜାରି କରାଯାଇଛି | ଓୟୁଏଟିଠାରୁ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ କୌଣସି କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥ ଚାଲାଣ କରାଯାଇପାରିବ ନାହିଁ କି ପ୍ରବେଶ କରାଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ।

ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାର୍ଡ ଫ୍ଲୁ ବାବଦରେ ସଚେତନ କରିବାକୁ ସଚେତନତା କାର୍ଯ୍ୟକ୍ରମ ହେବ। ଏହି ରୋଗ ମୁଖ୍ୟତଃ ଏଚ୍‌୫ ଏନ୍‌୧ ପ୍ରକାରର ଇନ୍‌ଫ୍ଲୁୟେଞ୍ଜା ଭୂତାଣୁ ଯୋଗୁ ହୋଇଥାଏ। ଏହାଦ୍ବାରା କୁକୁଡ଼ା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ସାଧାରଣତଃ ଆକ୍ରାନ୍ତ ହୋଇଥାନ୍ତି। ମୁଖ୍ୟତଃ ବହିରାଗତ ପକ୍ଷୀମାନେ ଏହି ରୋଗର ବାହାକ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ଲାଳ ଓ ମଳରେ ଏହି ଭୂତାଣୁ ନିର୍ଗତ ହୋଇଥାଏ।

ସମ୍ବନ୍ଧିତ ଖବର