ଚିଲିକାରେ ହେବ ପକ୍ଷୀ ମହୋତ୍ସବ

ଭୁବନେଶ୍ୱର : ଶୀତ ପଡ଼ିବା କ୍ଷଣି ଜଳାଶ୍ରୟରେ ସୃଷ୍ଟି ହେଲାଣି ପକ୍ଷୀଙ୍କ କୋଳାହଳମୟ ପରିବେଶ। ପ୍ରତିଦିନ ଦେଶ, ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଚିଲିକା, ଭିତରକନିକା, ଅଂଶୁପା, ନଳବଣ, ମହାନଦୀ ପଠା, ହୀରାକୁଦ ଜଳାଶ୍ରୟ ନିକଟରେ ଭିଡ଼ ଜମାଇବାଇଥିବାରୁ ଆସନ୍ତା ଜାନୁଆରିରେ ପକ୍ଷୀ ଗଣନା କରାଯିବ। କେଉଁ ଅଭୟାରଣ୍ୟରେ କେତେଜଣ ଗଣନା କରିବେ, କିଭଳି ଗଣନା ହେବ ସେନେଇ ପ୍ରସ୍ତୁତି ଚଲାଇଛି ବନ ବିଭାଗ। ଏଥିସହ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଥର ବନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ମହୋତ୍ସବ କରିବାକୁ ନିଷ୍ପତ୍ତି ହୋଇଛି।

ଗତ ୬ ବର୍ଷର ପରିସଂଖ୍ୟାନକୁ ଦେଖିଲେ ଓଡ଼ିଶାକୁ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଉଛି। ଚଳିତବର୍ଷ ନିର୍ଧାରିତ ସମୟରେ ଶୀତ ପଡ଼ିଥିବାରୁ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜାନୁଆରି ଦ୍ୱିତୀୟ ସପ୍ତାହରୁ ପକ୍ଷୀ ଗଣନା ଆରମ୍ଭ ହେବ। ଚିଲିକା, ଭିତରକନିକା, ହୀରାକୁଦ ସମେତ ବାଲେଶ୍ୱର, ବାରିପଦା, ସୁନାବେଡ଼ା, ସାତକୋଶିଆ ଅଭୟାରଣ୍ୟରେ ପକ୍ଷୀ ଗଣନା କରାଯିବ।

ଅନ୍ୟପକ୍ଷରେ ପ୍ରଥମ ଥର ଲାଗି ଜାନୁଆରିରେ ଚିଲିକାରେ ପକ୍ଷୀ ମହୋତ୍ସବ କରାଯିବ। ନଳବଣ ଏବଂ ମଙ୍ଗଳାଯୋଡ଼ିରେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଏଥିରେ ଦୁଃସାହସିକ ଟୁର ଅପରେଟର୍‌ଙ୍କୁ ସାମିଲ କରାଯିବ। ଫଟୋଗ୍ରାଫି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହେବ। ଦେଶ, ବିଦେଶରୁ ଆସିଥିବା ଅନେକ ପକ୍ଷୀ ଏବଂ ଜୀବଜନ୍ତୁ ବିଶେଷଜ୍ଞଙ୍କୁ ନେଇ କର୍ମଶାଳା କରିବାକୁ ଲକ୍ଷ୍ୟ ରଖାଯାଇଛି।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପ୍ର୍ରତିବର୍ଷ ପରି ଚଳିତବର୍ଷ ଶୀତ ଦିନେ ଚିଲିକାକୁ ବିଦେଶୀ ପକ୍ଷୀ ଆଗମନ ଆରମ୍ଭ ହୋଇଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ସହ ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାରେ ଏହି ମହୋତ୍ସବ ସହାୟକ ହେବ। ଚିଲିକାରେ ମଙ୍ଗଳାଯୋଡ଼ି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ସେଠାରେ ବାର୍ଡ ଓ୍ଵାଚିଂ ସୁବିଧା ରହିଛି। ୨୦୧୮ ଜାନୁଆରିରେ ଜାତୀୟ ପକ୍ଷୀ ମହୋତ୍ସବ ହେବା ଫଳରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବହୁ ପରିମାଣରେ ବଢ଼ିବ ବୋଲି ଆଶା କରାଯାଉଛି।

ପର୍ଯ୍ୟଟନ ବିଭାଗ ନିର୍ଦେଶକ ନିତିନ୍‌ ଭାନୁଦାସ ଜଓ୍ଵାଲେ କହିଛନ୍ତି ଯେ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଚିଲିକା ସମ୍ଭାବନା ସୃଷ୍ଟି କରୁଛି। ତାହାର ବିକାଶ ହୋଇପାରିବେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇବ। ମହୋତ୍ସବ କରିବା ନେଇ ଏପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇନି। ଜାନୁଆରି ଦ୍ୱିତୀୟ ନ ହେଲେ ତୃତୀୟ ସପ୍ତାହ ଶେଷ ଆଡକୁ କରାଯିବ।

ସମ୍ବନ୍ଧିତ ଖବର